ନୟାଗଡ଼ ଜିଲ୍ଲାରେ ଦୁର୍ନୀତିର ଗନ୍ତାଘର ପାକ୍ସ: କୌଣସି ପାକ୍ସ ବାଲାନ୍ସ ‌ରେଜିଷ୍ଟର ଦାଖଲ କରୁନାହାନ୍ତି

Advertisment

ଋଣ ଜାଲିଆତି କରି କୋଟିପତି

ଋଣ ଜାଲିଆତି କରି କୋଟିପତି

ନୟାଗଡ଼ ଜିଲ୍ଲାରେ ଦୁର୍ନୀତିର ଗନ୍ତାଘର ପାକ୍ସ: କୌଣସି ପାକ୍ସ ବାଲାନ୍ସ ‌ରେଜିଷ୍ଟର ଦାଖଲ କରୁନାହାନ୍ତି

ନୟାଗଡ଼: ଗତ ଜୁନ୍‌ ମାସଠାରୁ ଆରମ୍ଭ କରି ‌ସେପ୍ଟେମ୍ବର ମାସ ମଧ୍ୟରେ ନୟାଗଡ଼ ସମବାୟ ସମିତି ସମୂହ ସହକାରୀ ନିବନ୍ଧକ (ଏଆର୍‌ସିଏସ୍‌) ୪ରୁ ଅଧିକ ଥର ଚିଠି କରିସାରିଲେଣି। ହେ‌‌ଲେ ନୟାଗଡ଼ ଜିଲ୍ଲାର କୌଣସି ବି ପ୍ରାଥମିକ କୃଷି ସେବା ସମବାୟ ସମିତି(ପାକ୍ସ) ସେମାନଙ୍କର ବାଲାନ୍ସ ‌ରେଜିଷ୍ଟର ଦାଖଲ କରୁନାହାନ୍ତି। ଜିଲ୍ଲା‌ରେ ୧୫୭ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ରହିଛି। ବାଲାନ୍ସ ‌ରେଜିଷ୍ଟରରେ ପାକ୍ସର ସମସ୍ତ ଆର୍ଥିକ କାରବାରର ହିସାବ ରହୁଥିବା ବେଳେ, ଗୋଟିଏ ବି ପାକ୍ସ ସମ୍ପାଦକ ବାଲାନ୍ସ ‌ରେଜିଷ୍ଟରର କପି ଏଆର୍‌ସିଏସ୍‌ଙ୍କ ନିକଟ‌ରେ ଦାଖଲ ନ କରିବା କେଳେଙ୍କାରୀକୁ ପଦାରେ ପକାଉଛି। ଶେଷଥର ପାଇଁ ଏଆର୍‌ସିଏସ୍‌, ୦୯/୦୮/୨୦୨୩ରେ ପାକ୍ସ ସମ୍ପାଦକମାନଙ୍କୁ ଚିଠି କରିଥିବା ବେଳେ, ସେହି ମାସ ୧୬ ତାରିଖ ସୁଦ୍ଧା ନିଶ୍ଚିତ ବାଲାନ୍ସ ରେଜିଷ୍ଟର କପି ଦାଖଲ କରିବାକୁ ନିର୍ଦ୍ଦେଶ ‌ଦେଇଥଲେ। ଏହା ସତ୍ତ୍ବେ ମଧ୍ୟ ପାକ୍ସ ସମ୍ପାଦକମାନେ ବେଫିକର ପାଲଟିଛନ୍ତି, କେହି ବି ବାଲାନ୍ସ ‌ରେଜିଷ୍ଟର କପି ଦାଖଲ କରିନାହାନ୍ତି। ଫଳରେ ଗତ ୪ ତାରିଖରେ ପୁନର୍ବାର ଏଆର୍‌ସିଏସ୍‌ ସମସ୍ତ ପାକ୍ସ ସମ୍ପାଦକଙ୍କୁ ଚିଠି କରିଥିବା ବେଳେ, ୧୦/୦୯/୨୦୨୩ ସୁଦ୍ଧା ନିଶ୍ଚିତ ବାଲାନ୍ସ ‌ରେଜିଷ୍ଟର କପି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜନୈକ ପୂର୍ବତନ ପାକ୍ସ ସମ୍ପାଦକଙ୍କ କହିବା ଅନୁଯାୟୀ, ବାଲାନ୍ସ ରେଜିଷ୍ଟରରେ ପାକ୍ସର ସମସ୍ତ ଆୟବ୍ୟୟର ହିସାବ ରହିଥାଏ। ନୟାଗଡ଼‌ରେ ପାକ୍ସ ପ୍ରଦାନ କରୁଥିବା ଋଣ‌ରେ ବ୍ୟାପକ କେଳେଙ୍କାରୀ ହେଉଛି। ଏପରିକି ଲୋକ କେବେଠାରୁ ମରିଯାଇଥିବେ, କିନ୍ତୁ ସେମାନଙ୍କ ନାମରେ ଋଣ ପ୍ରଦାନ କରାଯାଉଛି। ଋଣ କାରବାରରେ ନାନା ଅନିୟମିତତା କରାଯାଉଛି। କେହି ବି ଠିକ୍‌ରେ ପାକ୍ସ ଚଳାଉନାହାନ୍ତି। ଫଳରେ ବାଲାନ୍ସ ରେଜିଷ୍ଟର ‌କପି ଦେବାକୁ ଯେ କେହି ବି ଭୟ କରିବ। ଜିଲ୍ଲାର ପ୍ରାୟ ସମସ୍ତ ପାକ୍ସଗୁଡ଼ିକ ଦୁର୍ନୀତିର ଗନ୍ତାଘର ପାଲଟିଛି। ସଭାପତି, ସମ୍ପାଦକଙ୍କଠାରୁ ନେଇ ସ୍ଥାନୀୟ ନେତା, ସମବାୟ ବିଭାଗର କିଛି ପ୍ରମୁଖ ଅଧିକାରୀଙ୍କ ସଲାସୁତରାରେ ଋଣଠାରୁ ଧାନ କିଣାବିକା, ସାର କାରବାର ଯାଏଁ ବ୍ୟାପକ ହେରଫେର ଚାଲିଛି। ଋଣ କାରବାର ଦୁର୍ନୀତିରେ ପାକ୍ସ ସମ୍ପାଦକ ଓ ଅନ୍ୟ କର୍ମକର୍ତ୍ତାଙ୍କୁ ସମବାୟ ବ୍ୟାଙ୍କ କର୍ମଚାରୀ ସହଯୋଗ କରୁଥିବା ଦେଖାଯାଇଛି। ସମସ୍ତଙ୍କ ଭାଗବଣ୍ଟାରେ ଋଣ ଟଙ୍କା ହଡ଼ପ ଚାଲିଛି।

କାଗଜପତ୍ରରେ ଅନେକ ଭୂତଚାଷୀଙ୍କୁ ଋଣ ପ୍ରଦାନ କରାଯିବା ଫଳ‌ରେ କୋଟି କୋଟି ଟଙ୍କା ଅନାଦେୟ ବା ଏନ୍‌ପିଏ ଆକାରରେ ପଡ଼ିରହୁଛି। ଖୋଦ୍‌ ବ‌ାଡ଼ ଏଠାରେ ଫସଲ ଖାଇଥିବାରୁ ଋଣ ଟଙ୍କା ମଧ୍ୟ ଆଦାୟ ହୋଇପାରୁନାହିଁ। ଅନେକ ସମୟରେ ପାକ୍ସ ସମ୍ପାଦକମାନେ ବିଭିନ୍ନ ଦୁର୍ନୀତିରେ ଛନ୍ଦି ହୋଇ ନିଲମ୍ବିତ ‌ହେଉଥିବା ବେଳେ, ନେତା, ସଭାପତି ପ୍ରମୁଖ ଖସିଯାଉଥିବା ଦେଖାଯାଉଛି। ଅଧିକାଂଶ ପାକ୍ସ ସଭାପତି, ସମ୍ପାଦକ ପ୍ରମୁଖ ଋଣ କାରବାରରେ ହେରଫେର କରି କୋଟିପତି ସାଜୁଥିବା ବେଳେ, ସମବାୟ ବ୍ୟବସ୍ଥା ନୟାଗଡ଼ ଜିଲ୍ଲାରେ ଭୁଶୁଡ଼ି ପଡ଼ୁଥିବା ଦେଖାଯାଉଛି। ଚାଷୀଙ୍କ ବଦଳରେ ଦଲାଲ, ନେତା ଲାଭବାନ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe