ଫସଲ ବୀମା ଅବଧି ବୃଦ୍ଧି କରିବାକୁ ପିସିସି ସଭାପତିଙ୍କ ଦାବି

Advertisment
୬ ରବି ଫସଲର ସର୍ବନିମ୍ନ ମୂଲ୍ୟ ବଢ଼ିଲା

Food Tank

ଭୁବନେଶ୍ବର : କରୋନା ସ୍ଥିତି ଯୋଗୁ ରାଜ୍ୟରେ ଚାଷୀମାନଙ୍କ ରୋଜଗାର ନାହିଁ। ଏପରିକି ସେମାନେ ଅନାହାର ସ୍ଥିତିକୁ ଆସିଲେଣି। ଏଭଳି ସ୍ଥିତିରେ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ଚଳିତବର୍ଷ ଫସଲ ବୀମା ଅବଧିକୁ ଜୁଲାଇ ୩୧ ତାରିଖ ପରିବର୍ତ୍ତେ ଆହୁରି ୧୫ ଦିନ ବୃଦ୍ଧି କରାଯାଉ। ଆଜି ଏପରି ଦାବି କରି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ।

ଏକ ପ୍ରେସ୍‌ ବିବୃତି ଜାରି କରି ଶ୍ରୀ ପଟ୍ଟନାୟକ କହିଛନ୍ତି, କରୋନା ପରିସ୍ଥିତିର ମୁକାବିଲା ପାଇଁ କଂଗ୍ରେସ ଦଳ ପକ୍ଷରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବହୁ ପ୍ରକାର ଅନୁରୋଧ କରାଗଲା, କିନ୍ତୁ ଦଳର ଅନୁରୋଧକୁ ଉଭୟ ସରକାର ଭ୍ରୁକ୍ଷେପ କରିନାହାନ୍ତି। ତଥାପି ଚାଷୀମାନଙ୍କ ଅସୁବିଧାକୁ ଦେଖି ସରକାରଙ୍କୁ ଅନୁରୋଧ କରିବାକୁ ଦଳ କୁଣ୍ଠାବୋଧ କରୁନାହିଁ। ଏବେ ରାଜ୍ୟର ବହୁ ଅଞ୍ଚଳରେ ଚାଷୀମାନେ ଏ ପର୍ଯ୍ୟନ୍ତ ବିକ୍ରି କରିଥିବା ଧାନର ମୂଲ୍ୟ ପାଇନାହାନ୍ତି। ଉଦାହରଣ ଦେଇ ପିସିସି ସଭାପତି କହିଛନ୍ତି, କେନ୍ଦୁଝର ଜିଲ୍ଲା ସାହାରପଡ଼ା ଧାନ ମଣ୍ଡିର ବହୁ ଚାଷୀ ଏବେ ବି ବିକ୍ରି କରିଥିବା ଧାନ ବାବଦରେ ଅର୍ଥ ପାଇନାହାନ୍ତି। ସେମାନେ ଚଳିତ ବର୍ଷ ଜାନୁଆରିରୁ ମାର୍ଚ୍ଚ ମାସ ଭିତରେ ଧାନ ବିକ୍ରି କରିଥିଲେ। ଏପରି କାହିଁକି? ଧାନର ମୂଲ୍ୟ ପାଇନଥିବା ଚାଷୀମାନେ ଦୁଆର ଦୁଆର ବୁଲି ଗୁହାରି କଲେ ବି କେହି ତାଙ୍କ କଥା ଶୁଣୁନାହାନ୍ତି। କିନ୍ତୁ ବହୁ ପଛରେ ଧାନ ବିକ୍ରି କରିଥିବା କେତେକ ଚାଷୀ ବିକ୍ରି ମୂଲ୍ୟ ପାଇସାରିଲେଣି। ଧାନର ବିକ୍ରି ମୂଲ୍ୟ ପାଇନଥିବା ଚାଷୀଙ୍କ ଦୁଃଖ ବୁଝିବାକୁ ପିସିସି ସଭାପତି ଅନୁରୋଧ କରିଛନ୍ତି।

ଅନ୍ୟପଟେ, ଚାଷୀମାନଙ୍କଠାରୁ ଫସଲ ବୀମା କରିବା ପାଇଁ ଚଳିତ ମାସ ୩୧ ତାରିଖ ଧାର୍ଯ୍ୟ କରାଯାଇଛି। ଏହା ସମ୍ପୂର୍ଣ୍ଣ ଭାବେ ଚାଷୀ ବିରୋଧୀ ନୀତି। କରୋନା ମହାମାରୀ ସମୟରେ ଦୀର୍ଘଦିନ ଧରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍‌ଡାଉନ, ସଟ୍‌ଡାଉନ୍‌ କଟାକଣା ଫଳରେ ଚାଷୀମାନଙ୍କ କୃଷି କାର୍ଯ୍ୟ ଠପ୍‌ ହୋଇଯାଇଛି। ଏବେ ଚାଷୀମାନେ ଦୁର୍ଦ୍ଦିନରେ ଅଛନ୍ତି। ତେଣୁ ଫସଲ ବୀମା ରାଶି ପଇଠ ଅବଧିକୁ ଆସନ୍ତା ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଅନୁରୋଧ କରିଛନ୍ତି। ଯଦି ଚଳିତ ବର୍ଷ ଚାଷୀଙ୍କ ଫସଲ ବୀମା ବାବଦ ପ୍ରିମିୟମ୍‌କୁ ସରକାର ବହନ କରନ୍ତେ, ତାହେଲେ ସେମାନେ ଅଧିକ ଉପକୃତ ହୁଅନ୍ତେ ବୋଲି ପିସିସି ସଭାପତି ପରାମର୍ଶ ଦେଇଛନ୍ତି।

ସୂଚନା ଥାଉକି, ଫସଲ ବୀମା ଅବଧି ବୃଦ୍ଧି ନେଇ ଗତକାଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ କୈଳାଶ ଚୌଧୁରୀ ଓ ବିଜେପି ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe