ମୁଖ୍ୟମନ୍ତ୍ରୀଙ୍କୁ ପିସିସି ସଭାପତିଙ୍କ ଚିଠି, ପ୍ରବାସୀ ଶ୍ରମିକଙ୍କୁ ଆଣିବା ପାଇଁ ଦୈନିକ ୩୦ ଟ୍ରେନ୍‌ ଆବଶ୍ୟକ

Advertisment
ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦିଅନ୍ତୁ : ପିସିସି ସଭାପତି

photo--india com

ଭୁବନେଶ୍ୱର: ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ନିୟୋଜିତ ଟ୍ରେନ୍‌ ପର୍ଯ୍ୟାପ୍ତ ହେଉନାହିଁ। ଏପରି ଚାଲିଲେ ସମସ୍ତ ଶ୍ରମିକ ଫେରିବା ପାଇଁ ଆଉ ୬ ମାସ ସମୟ ଲାଗିବ। ଏହି ପ୍ରକ୍ରିୟାକୁ ତ୍ବାରାନ୍ବିତ କରିବା ପାଇଁ ଦୈନିକ ୩୦ଟି ଟ୍ରେନ୍‌ ଚାଲିବା ଦରକାର। ଆଜି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଧିକ ଟ୍ରେନ୍‌ ଚଳାଇବା ପାଇଁ ଅନୁରୋଧ କରି ଚିଠି ଲେଖିଛନ୍ତି। ଏ ନେଇ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ୪ଟି ପ୍ରସ୍ତାବ ଦେଇଛନ୍ତି।

ଶ୍ରୀ ପଟ୍ଟନାୟକ ଚିଠିରେ ଦର୍ଶାଇଛନ୍ତି, ଓଡ଼ିଶାର ବହୁ ପ୍ରବାସୀ ଶ୍ରମିକ ବିଭିନ୍ନ ରାଜ୍ୟର ସହରଗୁଡିକରେ ଅଟକି ରହିଛନ୍ତି। ସେମାନଙ୍କ ନିକଟରେ ଜୀବନ ନିର୍ବାହ କରିବା କିମ୍ବା ଘରକୁ ଫେରିବା ପାଇଁ କୌଣସି ସାଧନ ନାହିଁ। ଏମାନଙ୍କ ଫେରିବା ନେଇ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଗତ ମାର୍ଚ୍ଚ ୨୪ରୁ ଦେଶବ୍ୟାପୀ ଜାରି ରହିଥିବା ଲକ୍‍ଡାଉନ୍‌ ଯୋଗୁଁ ସେମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ବସ୍‌ଷ୍ଟପ୍ ଓ ରେଳଷ୍ଟେସନ୍‌ ଭଳି ବିଭିନ୍ନ ଟ୍ରାନ୍‍ଜିଟ୍‌ ସ୍ଥଳରେ ସେମାନଙ୍କ ଭିତରୁ କେତେକ ଅଟକି ରହିଛନ୍ତି। ଆଉ କେତେକ ଚାଲିଚାଲି ଘରକୁ ଫେରିବାକୁ ଉଦ୍ୟମ କରୁଥିବା ଦୃଷ୍ଟିକୁ ଆସିଛି। ଶ୍ରମିକମାନଙ୍କ ଏପରି ଅବସ୍ଥା ସମଗ୍ର ଦେଶର ବିବେକକୁ ଦୋହଲାଇ ଦେଇଛି। ଏବେ ସେମାନଙ୍କୁ ଫେରାଇ ଆଣିବା ପାଇଁ ଦିନକୁ ମାତ୍ର ୫ରୁ ୭ଟି ଟ୍ରେନ୍‌ ଚାଲୁଛି। ଫଳରେ ସେମାନଙ୍କ ଫେରିବା ପ୍ରକ୍ରିୟା ଆହୁରି ବିଳମ୍ବିତ ହେବ। ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା ପ୍ରତି ଯଥେଷ୍ଟ ଗୁରୁତ୍ବ ଦେବାକୁ ପୂର୍ବରୁ ମଧ୍ୟ ଚିଠିରେ ଅନୁରୋଧ କରାଯାଇଥିଲା। ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଶୀଘ୍ର ଫେରାଇ ଆଣିବା ପାଇଁ କେତେ ଟ୍ରେନ୍‌ ଆବଶ୍ୟକ ସେ ସମ୍ବନ୍ଧରେ ଜଣାଇବାକୁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଓ ରେଳମନ୍ତ୍ରୀ ବି ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇସାରିଛନ୍ତି। ଗତ ୧୭ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ, ନୋଟିସ ଦେବାର ମାତ୍ର ୩ ଘଣ୍ଟା ପରେ ଭାରତୀୟ ରେଳବାଇ ଦେଶର ଯେ କୌଣସି ସ୍ଥାନରୁ ଯେ କୌଣସି ସମୟରେ ୧୫୦୦ ଟ୍ରେନ୍‌ ଉପଲବ୍ଧ କରାଇବାକୁ ପୂର୍ଣ୍ଣ ସମର୍ଥ। ଏହାକୁ ଦୃଷ୍ଟିରେ ରଖି ବାହାର ରାଜ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ଏକ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରାଯିବା ଦରକାର। ଏ କ୍ଷେତ୍ରରେ ବିହାର ସରକାର ଭାରତୀୟ ରେଳବାଇ ସହିତ ମିଶି ଦୈନିକ ୫୦ଟି ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଚଳାଚଳ ନିମନ୍ତେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେହିପରି ଉତ୍ତରପ୍ରଦେଶ ସରକାର ମଧ୍ୟ ଦୈନିକ ୧୦୦ ଶ୍ରମିକ ଟ୍ରେନ ଚଳାଇବାକୁ ଯୋଜନା କରୁଛନ୍ତି। ଏପରି ସ୍ଥଳେ ଓଡ଼ିଶା କାହିଁକି ପଛରେ ରହିଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇ ପିସିସି ସଭାପତି ଜଣାଇଛନ୍ତି, ଦୈନିକ ୩୦ଟି ଟ୍ରେନ୍‌ ଯୋଗେ ପ୍ରବାସୀ ଶ୍ରମିକ ଫେରିବାକୁ ବ୍ୟବସ୍ଥା କରାଗଲେ, ସେମାନଙ୍କ ପାଇଁ ସରକାର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ଦରକାର। ପ୍ରତି ଷ୍ଟେସନ୍‌ରେ ପ୍ରବାସୀଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ସୁବିଧା ଉପଲବ୍ଧ କରାଯିବା ଆବଶ୍ୟକ। ସମସ୍ତ ପଞ୍ଜୀକୃତ ପ୍ରବାସୀ ଶ୍ରମିକଙ୍କୁ ସଙ୍ଗରୋଧରେ ରଖିବା ପାଇଁ ଯୋଜନା ପ୍ରସ୍ତୁତ କରି ସଙ୍ଗରୋଧ କେନ୍ଦ୍ରଗୁଡ଼ିକର କ୍ଷମତା ବୃଦ୍ଧି କରାଯିବା ଦରକାର। ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରସ୍ଥଳ ପର୍ଯ୍ୟନ୍ତ ନେବା ପାଇଁ ଆବଶ୍ୟକ ସଂଖ୍ୟକ ବସ୍‌ ସେବା ଯୋଗାଇବାକୁ ପଡ଼ିବ। ବାରମ୍ବାର ତାଲାବନ୍ଦ ନିୟମ ପରିବର୍ତ୍ତନ ହେଉଛି। ଏଥିଯୋଗୁଁ ଶ୍ରମିକମାନଙ୍କ ଜୀବନ ଜୀବିକା ବିପନ୍ନ ହେଉଛି। ଯେଉଁ ପ୍ରବାସୀମାନେ ଦୀର୍ଘଦିନରୁ ପରିବାର ମୁହଁ ଦେଖିନାହାନ୍ତି ସଙ୍ଗରୋଧ ଅବଧି ପରେ ତୁରନ୍ତ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଉ। ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବ ଉପରେ ବିଚାର କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶାପୋଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe