ମକା ଗୋଦାମରୁ ମିଳିଲା ୨୪୦ ବସ୍ତା ପିଡିଏସ୍‌ ଚାଉଳ, ବସ୍ତା ବଦଳାଇ ବଜାରକୁ ଛଡ଼ା ଯାଉଥିଲା

ମକା ଗୋଦାମରୁ ମିଳିଲା ୨୪୦ ବସ୍ତା ପିଡିଏସ୍‌ ଚାଉଳ, ବସ୍ତା ବଦଳାଇ ବଜାରକୁ ଛଡ଼ା ଯାଉଥିଲା

ଉତ୍କେଲା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ ଚାଞ୍ଚେରସ୍ଥିତ ଧର୍ମପାଳ ଜୈନଙ୍କ ସମତା ଇଣ୍ଡଷ୍ଟ୍ରିଜ୍‌ରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସଂସ୍ଥାର ଅଟା ଓ ମକା ଗୋଦାମରୁ ୨୪୦ ବସ୍ତା ପିଡିଏସ୍ ଚାଉଳ ଜବତ କରାଯାଇଛି। ଶନିବାରଠାରୁ ଚଢ଼ଉ ଆରମ୍ଭ ହୋଇ ରବିବାର ରାତି ପର୍ଯ୍ୟନ୍ତ ଚାଲିଥିବା ସୂଚନା ମିଳିଛି।

ସୂଚନା ଅନୁସ‌ାରେ, ଶନିବାର ମୁନମୁନ ଦଣ୍ଡସେନା ନାମକ ଜଣେ ଡ୍ରାଇଭର ଗାଡ଼ି (ଓଡି ୦୮ ଇ ୩୦୪୦) ଯୋଗେ ଭବାନୀପାଟଣା ଫେଜ୍‌-୧ରୁ ଥୁଆମୂଳ ରାମପୁର ବ୍ଲକ୍‌ ସିନ୍ଧିପଦର ପଞ୍ଚାୟତକୁ ପିଡିଏସ୍‌ ଚାଉଳ ନେବାର ଥିଲା। କିନ୍ତୁ ୨୪୦ ବସ୍ତା ପିଡିଏସ୍‌ ଚାଉଳ ଆଣି ସମତା ଇଣ୍ଡଷ୍ଟ୍ରିଜ୍‌ ଗୋଦାମରେ ଅନ୍‌ଲୋଡ୍‌ କରିଥିଲା। ଏହି ଖବର ପାଇ କେସିଙ୍ଗା ପୁଲିସ ଓ ଭବାନୀପାଟଣା ଯୋଗାଣ ବିଭାଗର କର୍ମଚାରୀ ପହଞ୍ଚି ସମତା ଇଣ୍ଡଷ୍ଟ୍ରିଜ୍‌ର ୪ଟି ଗୋଦାମ ଓ ୨ଟି ଗେଟ୍‌କୁ ସିଲ୍‌ କରି ଦେଇଥିଲେ। ରବିବାର ସକାଳ ୧୦ଟାରେ ଭବାନୀପାଟଣା ଉପଜିଲ୍ଲାପାଳ ବିଶ୍ୱଜିତ ଦାସଙ୍କ ନିର୍ଦେଶକ୍ରମେ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କର ଆସି ଗୋଦାମରେ ଥିବା ପିଡିଏସ୍‌ ଚାଉଳର ଟିକିନିକି ଯାଞ୍ଚ୍‌ କରିଥିଲେ। ଯାଞ୍ଚ୍‌ ପରେ ୨୪୦ ବସ୍ତା ପିଡିଏସ୍‌ ଚାଉଳ ସହିତ ସେଠାରେ ଥିବା ଖୋଲା ଚାଉଳ ଓ ପ୍ୟାକେଟ୍‌ ହୋଇଥିବା ଚାଉଳ ମିଶିକି ପାଖାପାଖି ୩ ହଜାର ବସ୍ତା ଚାଉଳ ଥିବା ଆକଳନ କରାଯାଇଛି। ପିଡିଏସ୍‌ ଚାଉଳ ସହିତ ଖୋଲା ବଜାରରେ ମିଳୁଥିବା ଚାଉଳକୁ ସେଠାରେ ମିଶାଇ ହନୁମାନ ଓ ମୟୂର ବ୍ରାଣ୍ଡ୍‌ର ଛାପା ଲଗାଇ ପଚିଶ କେଜିଆ ପ୍ୟାକେଟ୍‌ କରି ଦୋକାନଗୁଡ଼ିକୁ ବିକ୍ରି କରାଯାଉଥିଲା। ଜବତ ପିଡିଏସ୍‌ ଚାଉଳକୁ ଖୁଜୁରୀପଡ଼ା ସମଲେଶ୍ୱରୀ ଆଗ୍ରୋ ମିଲ୍‌କୁ ପଠାଯାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିଲା।

ତଦନ୍ତ ପରେ ଡ୍ରାଇଭର ଓ ଗୋଦାମ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସହକାରୀ ଯୋଗାଣ ଅଧିକାରୀ ଶମ୍ଭୁପ୍ରସାଦ ହରପାଳ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe