The New Indian Express
ଧର୍ମଗଡ଼: ଧର୍ମଗଡ଼ ବ୍ଲକ ତାରାପୁର ପଞ୍ଚାୟତର ପିଡିଏସ୍ ହିତାଧିକାରୀଙ୍କୁ ଗତ ୪ ମାସର ଚାଉଳ ମିଳିନାହିଁ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚାଉଳ ଉଠାଣ କରିଥିଲେ ମଧ୍ୟ ତାହା ହିତାଧିକାରୀଙ୍କୁ ବଣ୍ଟନ କରାଯାଇ ନଥିବା ଅଭିଯୋଗ ହୋଇଛି। ଏନେଇ କିଛି ଦିନ ତଳେ ତାରାପୁର ଗ୍ରାମବାସୀ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ପରେ ପିଇଓ ଏବଂ ଯୋଗାଣ ଅଧିକାରୀ ମିଶି କୌଣସିମତେ ନବାନ୍ନ ସମୟରେ ୪ଟି ଓ୍ୱାର୍ଡର ହିତାଧିକାରୀଙ୍କୁ ୪ ମାସର ଚାଉଳ ବଣ୍ଟନ କରିଥିଲେ।
ବାକି ଦୁଇ ମାସର ଚାଉଳ ବି ଖୁବ୍ଶୀଘ୍ର ବଣ୍ଟନ କରାଯିବ ବୋଲି ହିତାଧିକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ ତାହା ବଣ୍ଟନ କରାଯାଇ ନାହିଁ। ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ଧର୍ମଗଡ଼ ଯୋଗାଣ ନିରୀକ୍ଷକ ଏବଂ ତାରାପୁର ପଞ୍ଚାୟତ ବିଇଓଙ୍କୁ ଚାରି ଘଣ୍ଟା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ଖବରପାଇ ଧର୍ମଗଡ଼ ବିଡିଓ ଏବଂ ଧର୍ମଗଡ଼ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କେହି ତାଙ୍କ କଥାକୁ ଶୁଣିନଥିଲେ। ପରେ ଯୋଗାଣ ଅଧିକାରୀ ଦୁଇ ମାସ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ବକେୟା ଚାଉଳ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଉଭୟଙ୍କୁ ଛଡ଼ା ଯାଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ତାରାପୁର ପଂଚାୟତରେ ୧୫ଟି ୱାର୍ଡ ରହିଥିବା ବେଳେ କେବଳ ୪ଟି ୱାର୍ଡର ହିତାଧିକାରୀଙ୍କୁ ଚାଉଳ ଦିଆଯାଇ ନଥିବା ବେଳେ ୧୧ଟି ୱାର୍ଡର ହିତାଧିକାରୀଙ୍କୁ ବକେୟା ୪ ମାସର ଚାଉଳ ବଣ୍ଟନ କରାଯାଇଛି।
Follow Us