ପିଡିଏସ୍ ମହାଦୁର୍ନୀତି: ଏତଲା ଦେଇ ବଡ଼ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ

Advertisment

ପଞ୍ଚାୟତକୁ କମ୍ ଚାଉଳ ଯୋଗାଣର ତଦନ୍ତ କେବେ

ପଞ୍ଚାୟତକୁ କମ୍ ଚାଉଳ ଯୋଗାଣର ତଦନ୍ତ କେବେ

ବର୍ଷ ବର୍ଷ ଧରି ଭୂତ ଖାଉଛନ୍ତି ପିଡିଏସ୍‌ ଚାଉଳ

jagran.com

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ପିଡିଏସ୍ ମହାଦୁର୍ନୀତିକ୍ରମେ ନୂଆଗାଁ ବ୍ଲକ୍ ପୁରୁଣାପାଣି ଓ ଜାହରିଟୋଲି ପଞ୍ଚାୟତକୁ ପିଡିଏସ୍ ସାମଗ୍ରୀ ଯୋଗାଣରେ ଦେଖା ଦେଇଥିବା ଅନିୟମିତତା, ୩୨୦ ବସ୍ତା ଚାଉଳ ଗାଏବ, ୫୩ ବସ୍ତା ଗହମ ଚୋରା ଚାଲାଣ ଘଟଣାରେ ପରିବହନ ଠିକାଦାର (ଏଲ-୨) ଉଷା ଅଗ୍ରୱାଲଙ୍କୁ ବହିଷ୍କାର ଓ ଚାଉଳ ସଂଗ୍ରହ କେନ୍ଦ୍ର ନିରୀକ୍ଷକ (ପିଆଇ) କାର୍ମୀ ମୁର୍ମୁଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ସେ ଦୁହିଁଙ୍କ ନାମରେ ମାମଲା ରୁଜୁ କରାଯାଇଛି।

ଏହିକ୍ରମରେ ନୂଆଗାଁ ବ୍ଲକ ଯୋଗାଣ ନିରୀକ୍ଷକ ଯୋଗେଶ୍ବର ସାଏଙ୍କୁ ରାଜଗାଙ୍ଗପୁରକୁ ବଦଳି ଓ ପୁରୁଣାପାଣି, ଜାହରିଟୋଲି ପଞ୍ଚାୟତର ଯୋଗାଣ ସହାୟକଙ୍କୁ ବହିଷ୍କାର କରାଯାଇଛି। ତେବେ ଏପରି ବହିଷ୍କାର, ନିଲମ୍ବନ ଓ ଏତଲା ମଧ୍ୟରେ ବିଭାଗ ତଳିଆଙ୍କୁ ସବୁତକ ଦୋଷ ଦେଇ ବଡ଼ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ଏହା ମଧ୍ୟରେ ଘଟଣାରେ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କ ନାମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି। କିନ୍ତୁ ସେମାନେ ବି ସେ ତଳିଆ କର୍ମଚାରୀ ବୋଲି ଜଣାପଡ଼ିଛି।

ପ୍ରକାଶଯୋଗ୍ୟ, ଏ ଘଟଣାରେ ନୂଆଗାଁ ବ୍ଳକ୍ ଯୋଗାଣ ନିରୀକ୍ଷକଙ୍କ ସମେତ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମ୍ପୃକ୍ତି ଥିବା ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ସିଧାସଳଖ ଅଭିଯୋଗ କରି ଆସୁଛନ୍ତି। ଯୋଗାଣ ଅଧିକାରୀଙ୍କ ମୌଖିକ ନିର୍ଦ୍ଦେଶକ୍ରମେ ଆରଆରସି ପିଆଇ ୩୨୦ ବସ୍ତା ଚାଉଳର ଏସି ନୋଟ କାଟିଥିଲେ ବୋଲି ଅଭିଯୋଗ ଆଣିଛନ୍ତି। ପ୍ରକୃତରେ ଆରଆରସି ଗୋଦାମରୁ ୩୨୦ ବସ୍ତା ଚାଉଳ ଯାଇଥିଲା କି ନାହିଁ, ଯଦି ଯାଇଥିଲା ତାହା ଏବେ କେଉଁଠି ଅଛି ସବୁ କଥା ଜିଲ୍ଲା ଯୋଗାଣ ଅଧିକାରୀ ଅବଗତ ଅଛନ୍ତି। ତେଣୁ ତାଙ୍କୁ ନିଲମ୍ବନ କରିବାକୁ ବିଧାୟକ ଶ୍ରୀ ଓରାମ ଦାବି କରି ଆସୁଛନ୍ତି। ଯାହା ଜିଲ୍ଲା ଯୋଗାଣ ବିଭାଗ ମୁଣ୍ତବ୍ୟଥାକୁ ବଢ଼ାଇ ଦେଇଛି। ଅନ୍ୟପଟେ ଜିଲ୍ଲାର ସମସ୍ତ ପଞ୍ଚାୟତକୁ କମ୍ ଚାଉଳ ଯୋଗାଇ ମାସକୁ ପ୍ରାୟ ୩ ହଜାର କ୍ବିଣ୍ଟାଲ ଚାଉଳ ମିଲର୍ସ, ପରିବହନକାରୀ ଠିକାଦାର (ଏଲ-୨) ଓ ଯୋଗାଣ ବିଭାଗର ଅସାଧୁ ଅଧିକାରୀ ଚଳୁ କରି ନେଉଥିବାର ଯେଉଁ ମହା ଅଭିଯୋଗ ଆସିଛି, ସେ ଉପରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିନାହିଁ।

ଚାଉଳ ହଡ଼ପର ସତ ସାମ୍ନାକୁ ଆଣିବା ପାଇଁ ସରଜମିନ ତଦନ୍ତ ଜରୁରୀ। କିନ୍ତୁ ସେ ଦିଗରେ ପ୍ରଶାସନ କୌଣସି ଆଗ୍ରହ ପ୍ରକାଶ କରୁ ନଥିବା ବେଳେ ବିଭାଗୀୟ ଅଧିକାରୀମାନେ ଅତି ଚତୁରତାର ସହ ଆବଣ୍ଟିତ ପରିମାଣର ଚାଉଳ ପାଉଥିବା ନେଇ ପଞ୍ଚାୟତ ଯୋଗାଣ ସହାୟକମାନଙ୍କ ଠାରୁ ଏକ ସ୍ବୀକାରନାମା ଲେଖାଇ ଦୁର୍ନୀତିକୁ ଚାପି ଦେବାକୁ ମସୁଧା ଚଲାଇଛନ୍ତି। ଅନ୍ୟ ଏକ ଚର୍ଚ୍ଚିତ ଅଭିଯୋଗକ୍ରମେ, ବାପ-ପୁଅଙ୍କୁ କଷ୍ଟମ ମିଲିଂ ଓ ପରିବହନ ଦାୟିତ୍ବ, ସ୍ବାମୀ-ସ୍ତ୍ରୀଙ୍କୁ ପରିବହନ ଓ ପାଇକାରୀ ବିକ୍ରି ଅନୁମତି ଯୋଗାଣ ଅଧିକାରୀଙ୍କ ବେନିୟମ କାର୍ଯ୍ୟର ଜ୍ବଳନ୍ତ ନିଦ୍ଦର୍ଶନ। ତେବେ ଏତେ ସବୁ ଅଭିଯୋଗ ସତ୍ତ୍ବେ ପ୍ରଶାସନ ନିରବ ରହିବା ସାଧାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe