କୋଟିଆ ପରେ ରେବତୀଗୁଡ଼ାରେ ଅନୁପ୍ରବେଶ

Advertisment

ଆନ୍ଧ୍ର କବ୍‌ଜାରେ ଓଡ଼ିଶାର ୯୦ ହେକ୍ଟର ଜମି, ତହସିଲଦାର ଓ ବନ ବିଭାଗର ମିଳିତ ତଦନ୍ତ

ଆନ୍ଧ୍ର କବ୍‌ଜାରେ ଓଡ଼ିଶାର ୯୦ ହେକ୍ଟର ଜମି, ତହସିଲଦାର ଓ ବନ ବିଭାଗର ମିଳିତ ତଦନ୍ତ

କୋଟିଆ ପରେ ରେବତୀଗୁଡ଼ାରେ ଅନୁପ୍ରବେଶ

ନାରାୟଣପାଟଣା/ବନ୍ଧୁଗାଁ : କେବଳ କୋଟିଆରେ ସୀମିତ ହୋଇ ରହିନାହିଁ ଆନ୍ଧ୍ରର ଅନୁପ୍ରବେଶ। ଓଡ଼ିଶାର ଅନ୍ୟ ସୀମାନ୍ତ ଗାଁକୁ ବି କବ୍‌ଜାକୁ ନେବା ପାଇଁ ପୂରା ଜୋର ଲଗାଇ ଦେଇଛି। ୫ବର୍ଷ ମଧ୍ୟରେ ଅଳ୍ପ ଅଳ୍ପ କରି ଓଡ଼ିଶାର ୯୦ହେକ୍ଟର ଜମିକୁ ଆନ୍ଧ୍ର ଅକ୍ତିଆରକୁ ନେଇ ସାରିଲାଣି। ସେହି ଜମିରେ ଏବେ କାଜୁ ଉତ୍ପାଦନ କରୁଥିବା ଜଣାପଡ଼ିଛି। ଜୀବିକା ହରାଇବାପରେ ବାଧ୍ୟହୋଇ ସୀମାନ୍ତ ଗ୍ରାମବାସୀ ସ୍ବର ଉଠାଇଛନ୍ତି। ଖବର ପାଇ ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ତହସିଲଦାର ଏବଂ ବନ ବିଭାଗ କର୍ମଚାରୀ ତଦନ୍ତ କରିଛନ୍ତି।

ଆନ୍ଧ୍ର ସୀମାକୁ ଲାଗି ରହିଛି ବନ୍ଧୁଗାଁ ବ୍ଲକ୍‌ର ରେବତୀଗୁଡ଼ା ଗାଁ। ୧୯୯୩ ମସିହାରେ ତତ୍କାଳୀନ କୋରାପୁଟ ଜିଲ୍ଲାପାଳଙ୍କ ଅନୁମତି ନେଇ ଏଠାରେ ବସତି ସ୍ଥାପନ କରିଥିଲେ ଗ୍ରାମବାସୀ। ସରକାରୀ ଜମିରେ ଚାଷ କରି ଗୁଜୁରାଣ ମେଣ୍ଟାଉ ଥିଲେ। କିନ୍ତୁ ୫ବର୍ଷ ତଳେ ଓଡ଼ିଶାର ଏହି ଫଳନ୍ତି ଜମି ଉପରେ ଆନ୍ଧ୍ରର ନଜର ପଡ଼ିଥିଲା। ଅଳ୍ପ ଅଳ୍ପ କରି ଜମି ନିଜ ଅକ୍ତିଆରକୁ ନେବା ପରେ ସେଠାରେ ଆନ୍ଧ୍ର ବନ ବିଭାଗ କାଜୁ ଗଛ ଲଗାଇଛି। ଚଳିତବର୍ଷ ଉକ୍ତ ଜମିରେ ରେବତୀଗୁଡ଼ା ଗ୍ରାମବାସୀ ଚାଷ କରିବାକୁ ପ୍ରସ୍ତୁତ ହେବାବେଳକୁ ଆନ୍ଧ୍ର ବନ ବିଭାଗ କର୍ମଚାରୀ ବାରଣ କରିଥିଲେ, ଯାହାକୁ ନେଇ ମାସକ ତଳେ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଆନ୍ଧ୍ର ଅଧିକାରୀଙ୍କ ଦାଦାଗିରି ଯୋଗୁ ବାଧ୍ୟହୋଇ ବନ୍ଧୁଗାଁ ତହସିଲଦାରଙ୍କୁ ଜଣାଇଥିଲେ ଗ୍ରାମବାସୀ। ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଆଜି ତହସିଲଦାର ସଦାଶିବ ଭତ୍ରା, ରାଜସ୍ବ ବିଭାଗ ସୁପରଭାଇଜର ଭାସ୍କର ଚନ୍ଦ୍ର ଗମାଙ୍ଗ, ରାଜସ୍ବ ନିରୀକ୍ଷକ ଅର୍ଜୁନ ବିଲେଇପାଡିଆ, ଅତିରିକ୍ତ ରାଜସ୍ବ ନିରୀକ୍ଷକ ଗୋପୀ ଜାନି, ଏଫ୍‌ଆରଏ ସଂଯୋଜକ ଏମ୍‌. ଜଗଦୀଶ, ଆଲମଣ୍ଡା ବନପାଳ ଅଜିତ୍ ଖରା, ରେବତୀଗୁଡା ଫରେଷ୍ଟ ବିଟ୍ ଇନ୍‌ଚାର୍ଜ କୃଷ୍ଣ ପଣ୍ଡା ପ୍ରମୁଖଙ୍କୁ ନେଇ ଗଠିତ ୧୦ଜଣିଆ ଟିମ୍‌ ପହଞ୍ଚିଥିଲେ। ରେବତୀଗୁଡ଼ା ଫରେଷ୍ଟ ବିଟ୍‌ ଅଧୀନରେ ୨୨୬୧.୪୬ ହେକ୍ଟର ଜଙ୍ଗଲ ଜମି ରହିଥିବା ବେଳେ ସେଥିରୁ ୯୦ହେକ୍ଟର ଜମିରେ ଆନ୍ଧ୍ର ଅକ୍ତିଆର କରିଛି। ବହୁ ବର୍ଷ ଧରି ରହିବା ସତ୍ତ୍ବେ ଜଙ୍ଗଲ ଜମି ପଟ୍ଟା ମିଳି ନଥିବା ବେଳେ ନିୟମିତ ରାଜସ୍ବ ପୈଠ କରୁଥିବା ଅଧିକାରୀଙ୍କୁ ଗ୍ରାମବାସୀ କହିଛନ୍ତି। ଯଦି ଆନ୍ଧ୍ର ଜମି ନେଇଯିବ, ଆମେ କେମିତି ଚଳିବୁ ବୋଲି ପ୍ରଶ୍ନ ଉଠାଇଛନ୍ତି।

ଏହି ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା ପରେ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ତହସିଲଦାର ଏବଂ ବନ ବିଭାଗ ଅଧିକାରୀ ମ୍ୟାପ୍‌ ଦେଖିବା ପରେ ଆନ୍ଧ୍ର ଜବରଦଖଲ କରିଥିବା ସ୍ପଷ୍ଟ ହୋଇଥିଲା। ତେବେ ଗୋଟିଏଦିନରେ ଏହି ଜବରଦଖଲ ହୋଇନାହିଁ। ଅଳ୍ପ ଅଳ୍ପ କରି ଜମି ଅକ୍ତିଆର କରି ଆନ୍ଧ୍ର ନିଜ ସୀମା ଡେଇଁ ଆଗକୁ ଆଗକୁ ମାଡ଼ି ଆସିଥିବା ଜଣାପଡ଼ିଥିଲା। ଲୋକଙ୍କ ଅଭିଯୋଗରେ ସତ୍ୟତା ରହିଛି, ତେଣୁ ତୁରନ୍ତ ଜିଲ୍ଲାପାଳଙ୍କୁ ଏହାର ତଦନ୍ତ ରିପୋର୍ଟ ଦିଆଯିବ ବୋଲି ତହସିଲଦାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe