Zee Business
ବଲାଙ୍ଗୀର : ବଲାଙ୍ଗୀର ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ମହାକେଳେଙ୍କାରୀ। ପେନ୍ସନ୍ ଫାଇଲପତ୍ରରେ ଚଞ୍ଚକତା କରାଯାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗରୁ ଜଣାପଡ଼ିଛି।
ସୂଚନା ଅନୁସାରେ, ଏକାଧିକ ଅବସରପ୍ରାପ୍ତ ଶିକ୍ଷକଙ୍କ ନାଁରେ ଟଙ୍କା ଉଠାଯାଇଛି। ବିଭିନ୍ନ କାରସାଦି କରାଯାଇ ପେନ୍ସନ୍, ଏରିଅର୍ ପ୍ରାପ୍ୟ, ଗ୍ରାଚ୍ୟୁଇଟି, ଅନ୍ୟୁଟିଲାଇଜ୍ଡ ଲିଭ୍ ଇତ୍ୟାଦି ବାବଦରେ ପ୍ରକୃତ ପ୍ରାପ୍ୟଠାରୁ ବହୁ ଅଧିକ ଅର୍ଥ ସରକାରୀ ତହବିଲରୁ ଉଠାଯାଇଛି। କେଉଁଠି ଫାଇଲପତ୍ରରେ ଜନ୍ମତାରିଖ ବଦଳାଇ ପ୍ରଭିଜିନାଲ ପେନ୍ସନ୍ ମଂଜୁର କରାଯାଇଛି ତ କେଉଁଠି ଭୂତ ନାଁରେ ଫାଇଲ କରାଯାଇଛି। କେଉଁଠି ବି ଶିକ୍ଷକ ଭାବରେ କାର୍ଯ୍ୟ କରିନଥିବା ଲୋକ ନାଁରେ ରାଜ୍ୟ କୋଷାଗାରରୁ ଟଙ୍କା ଉଠାଣ ହୋଇଛି। ପ୍ରାଥମିକ ଖୋଳତାଡ଼ରୁ ୧୦ରୁ ୧୫ ଜଣଙ୍କ ନାଁରେ ଏଭଳି ଫାଇଲପତ୍ରରେ ଚଞ୍ଚକତା ହୋଇଥିବାର ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ବଡ଼ ଓ ସାନ ଅଧିକାରୀ ତଥା କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ସବୁ କାରସାଦି ହୋଇଥିବା କଥା ଏବେ ଭିଜିଲାନ୍ସ ନଜରକୁ ଆସିଛି। ବଡ଼ କଥା ହେଉଛି, କିଛି ବିଭାଗୀୟ ଅଧିକାରୀଙ୍କ ଜାଣତରେ ଏସବୁ ହୋଇଛି। ଏବେ ଖୋଳତାଡ଼ ହେବା ପରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ପେନ୍ସନ୍ ଉଠାଣ ବନ୍ଦ ପାଇଁ ବିଭାଗୀୟ ନିର୍ଦେଶ ହୋଇଛି। ଏହି ଶିକ୍ଷକଜଣକ ଶିକ୍ଷା କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ନିକଟ ସଂପର୍କୀୟ ବୋଲି ସୂଚନା ମିଳିଛି।
‘ସମ୍ବାଦ’କୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଣେ ବିଭାଗୀୟ କର୍ମଚାରୀ ଏହି କାରବାରର ମାଷ୍ଟରମାଇଣ୍ଡ ଅଛନ୍ତି। କିନ୍ତୁ କାରସାଦି ହୋଇଥିବା ସବୁ ଫାଇଲକୁ ମଂଜୁରି ଦେଇଛନ୍ତି ଖୋଦ୍ ବ୍ଲକ ଶିକ୍ଷା ଅଧିକାରୀ। ୨୦୧୭ରୁ ୨୦୧୯ ଡିସେମ୍ବର ମାସ ଯାଏ ପେନ୍ସନ୍ ନାଁରେ କୋଷାଗାରରୁ ଟଙ୍କା ହରିଲୁଟ୍ର ଏହି ଖେଳ ଚାଲିଥିବା ଜଣା ପଡ଼ିବା ପରେ ଭିଜିଲାନ୍ସ ଭିତିରିଆ ତଦନ୍ତ ଆରମ୍ଭ କରିଛି। କାର୍ଯ୍ୟାଳୟକୁ ପେନ୍ସନ୍ ସମ୍ବନ୍ଧୀୟ ତଥ୍ୟ ଓ ଫାଇଲ ସଂଗ୍ରହ କରି ତଦନ୍ତ ଜାରି ରଖିଛି। କେତେ ଜଣଙ୍କ ନାଁରେ ସମୁଦାୟ କେତେ ଅର୍ଥ ହଡ଼ପ ହୋଇଛି ଓ କାହାକାହା ଫାଇଲ୍ ସବୁରେ ଚଞ୍ଚକତା କରାଯାଇଛି, କାହା କାହା ନାଁରେ କେତେ ଟଙ୍କା ଉଠାଯାଇଛି, ସମୁଦାୟ ଟଙ୍କା ଏବେ କେଉଁମାନେ ସବୁ ଭାଗବଣ୍ଟା କରିଛନ୍ତି? ତାହାର ତନାଘନା କରାଯାଉଛି। ମାତ୍ର ଏ ନେଇ ଗଣମାଧ୍ୟମକୁ କିଛି ବି ସୂଚନା ଦେଉନି ଭିଜିଲାନ୍ସ ବିଭାଗ। ତେବେ ଖୁବ୍ଶୀଘ୍ର ଏକ ବଡ଼ କେଲେଙ୍କାରୀର ପର୍ଦାଫାସ ହେବ ବୋଲି ସୂଚନା ମିଳୁଛି।
Follow Us