ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ତେଜୁଛି ଅସନ୍ତୋଷ

Advertisment
ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ତେଜୁଛି ଅସନ୍ତୋଷ

steelguru.com

ଖଣ୍ଡପଡ଼ା : ଖଣ୍ଡପଡ଼ା ସହରାଞ୍ଚଳ ସମେତ ସମଗ୍ର ବ୍ଲକ୍ ଅଞ୍ଚଳରେ ପାୱାର୍ କଟ୍ ସହିତ ଘନ ଘନ ଅଘୋଷିତ ବିଦ୍ୟୁତ୍ କାଟ୍ ଅଞ୍ଚଳବାସୀଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଏପରିକି ବିଦ୍ୟୁତ୍ କାଟ୍ ଯୋଗୁ ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେଉଥିବା ବିଏସ୍ଏନ୍ଏଲ୍ ବ୍ରଡ୍ ବ୍ୟାଣ୍ଡ୍ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି। ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଏହାର ସ୍ଥାୟୀ ସମାଧାନ ନ ହେଲେ ସାଧାରଣ ଲୋକେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ପ୍ରକାଶ ଥାଉକି, କିଛି ଦିନ ହେବ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଦ୍ୟୁତ୍ ସଞ୍ଚୟ ପାଇଁ ଦୈନନ୍ଦିନ ସକାଳ ୬ଟାରୁ ୭ଟା ଏବଂ ସନ୍ଧ୍ୟା ୫ଟାରୁ ୬ଟା ଏହିପରି ଦୁଇ ଘଣ୍ଟା ବିଦ୍ୟୁତ୍ କାଟ୍ କରାଯାଉଛି। କିନ୍ତୁ ଏ ସବୁ ସତ୍ତ୍ବେ ପ୍ରତ୍ୟେକ ଦିନ ମନୋମୁଖୀ ଭାବେ ବିଦ୍ୟୁତ୍ କାଟ୍ ‌କରାଯାଉଛି। ବିଦ୍ୟୁତ୍ କାଟ୍ ସମ୍ପର୍କରେ ସାଧାରଣ ଲୋକେ ପଚାରିଲେ ବିଭାଗୀୟ ଯନ୍ତ୍ରୀ କେଉଁଠାରେ ବ୍ରେକ୍ ଡାଉନ୍ ହେଉଛି ତ ଆଉ କେଉଁ ଡିଭିଜନରେ ଲାଇନ୍ କାମ ଚାଲୁଛି କହି ଆଡ଼େଇ ଯାଉଛନ୍ତି। ଫଳରେ ସରକାରୀ କାର୍ଯ୍ୟାଳୟ‌ରେ ଚାଲୁଥିବା ସମସ୍ତ କାର୍ଯ୍ୟ ଅନ୍‌ଲାଇନ୍ ଓ ଇଣ୍ଟରନେଟରେ ଚାଲୁଥିବାରୁ ବିଦ୍ୟୁତ୍ କାଟ୍ ହେଲେ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ତହସିଲରେ ସାର୍ଟିଫିକେଟ୍ ଓ ଜମିଜମା କାର୍ଯ୍ୟ ଦିନ ଦିନ ଧରି ପଡ଼ି ରହିବା ଫଳରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଆହୁରି ମଧ୍ୟ ବ୍ଲକ୍‌ଠାରୁ ଆରମ୍ଭ କରି ସବ୍ ରେଜିଷ୍ଟ୍ରି, ଏନ୍ଏସି କାର୍ଯ୍ୟାଳୟ ଓ ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟରେ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଏପରିକି ସକାଳେ ପାଣି ମୋଟର ଚାଲୁ ନ ଥିବାରୁ ଲୋକେ ପିଇବା ପାଣି ମଧ୍ୟ ପାଇବାକୁ ସକ୍ଷମ ହେଉ ନାହାନ୍ତି। ସାଧାରଣ ଉପଭୋକ୍ତାଙ୍କୁ ମଧ୍ୟ ଆଜିକାଲି ବିଦ୍ୟୁତ୍‌ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡୁଛି। ଖଣ୍ଡପଡ଼ାରେ ସେସୁ ଓ ଫେଡ୍‌କୋ କର୍ତ୍ତୃପକ୍ଷ ଉଭୟ ବିଦ୍ୟୁତ୍ ବିଭାଗ ଦାୟିତ୍ବ ନେଇଥିଲେ ମଧ୍ୟ ଏ ସମ୍ପର୍କରେ ପଚାରିଲେ ଅଧିକାରୀମାନେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ସନ୍ତୋଷଜନକ ଉତ୍ତର ଦେଉ ନଥିବା ଅଭିଯୋଗ ହେଉଛି। ଏହିଭଳି ଅଭିଯୋଗ ବାରମ୍ବାର ହେଉଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ କର୍ତ୍ତୃପକ୍ଷଙ୍କ ଖାମ୍‌ଖିଆଲି ମନୋଭାବ ଓ ଆନ୍ତରିକତାର ଅଭାବ ଯୋଗୁ ସାଧାରଣ ଲୋକେ ଏହାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe