ଆଦାନିର ଅଜବ ନୀତି: ପ୍ରଭାବିତ ଅଞ୍ଚଳବାସୀଙ୍କ ବିରୋଧ ଚେତାବନୀ

ସୁନ୍ଦରଗଡ଼ ହେମଗିର ବ୍ଲକ୍ ବିଜାହାନରେ ଆଦାନିକୁ ଆବଣ୍ଟିତ କୋଇଲା ଖଣିର ଜଙ୍ଗଲ ଭରଣା ପାଇଁ ବାଲାଙ୍ଗୀର ଜିଲ୍ଲା ଗନ୍ଧମାର୍ଦ୍ଦନ ଅଞ୍ଚଳ ଖପ୍ରାଖୋଲ ତହସିଲ ଭରୁଆମୁଣ୍ଡା ମୌଜାରେ ବନୀକରଣ କରିବା ପାଇଁ ବନବିଭାଗ ତରଫରୁ ଅନୁମତି ଦିଆଯାଇଛି।

ସୁନ୍ଦରଗଡ଼: ଖଣି ପାଇଁ ଆଦାନି ସୁନ୍ଦରଗଡ଼ରେ ଉଜାଡ଼ିବ ଜଙ୍ଗଲ, କ୍ଷତିଭରଣା ବନୀକରଣ କରିବ ବଲାଙ୍ଗୀରରେ। ସୁନ୍ଦରଗଡ଼ ଖାଇବ ଧୂଳିଧୂଆଁ,  ଆଉ ଗଛ ଲଗା ହେବ ୩୫୦ କିଲୋମଟର ଦୂର ବଲାଙ୍ଗୀରରେ। ସୁନ୍ଦରଗଡ଼ ହେମଗିର ବ୍ଲକ୍ ବିଜାହାନରେ ଆଦାନିକୁ ଆବଣ୍ଟିତ କୋଇଲା ଖଣିର ଜଙ୍ଗଲ ଭରଣା ପାଇଁ ବାଲାଙ୍ଗୀର ଜିଲ୍ଲା ଗନ୍ଧମାର୍ଦ୍ଦନ ଅଞ୍ଚଳ ଖପ୍ରାଖୋଲ ତହସିଲ ଭରୁଆମୁଣ୍ଡା ମୌଜାରେ  ବନୀକରଣ କରିବା ପାଇଁ ବନବିଭାଗ ତରଫରୁ ଅନୁମତି ଦିଆଯାଇଥିବା ଓ କମ୍ପାନି ଏଥିପାଇଁ ସାଢ଼େ ୧୮ ଏକର ଜମି କିଣିଥିବା ଘଟଣା ପଦାକୁ ଆସିବା ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ଯଦି ଏପରି ହୁଏ, ତେବେ ସୁନ୍ଦରଗଡ଼ରେ  ଆଦାନି ପ୍ରବଳ ବିରୋଧର ସମ୍ମୁଖୀନ ହେବ। ଏହା ମଧ୍ୟରେ କମ୍ପାନିର ଅଜବ ନୀତିକୁ  ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜାହାନ ଖଣିରେ ବିସ୍ଥାପିତ ଓ ପ୍ରଭାବିତ ହେବାକୁ ଥିବା ଅଞ୍ଚଳବାସୀ।

ଅଞ୍ଚଳର ଲଢ଼ୁଆ ବିସ୍ଥାପିତ ନେତା ରାଜେନ୍ଦ୍ର ନାଏକ ଏଥିପାଇଁ ଆଦାନି, ବନବିଭାଗ ଓ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି, ‘ଲୋକଙ୍କ ପିତୃପୁରୁଷ ଭିଟାମାଟି ଯିବ, ଯୁଗଯୁଗ ଧରି  ଜୀବନଜୀବିକା ଯୋଗାଉଥିବା ଜମିରେ ଖଣି ଖୋଳା ହେବ, ଆଗକୁ  ଖଣିର କୋଇଲା  ଧୂଳିଧୂଆଁ ଭିତରେ ଅଣନିଃଶ୍ବାସୀ ହୋଇ ଜୀବନ ଜିଇଁବାକୁ ପଡ଼ିବ। ଏସ୍ଥିତିରେ ଏକର ଏକର ସବୁଜ ବନାନୀ ନଷ୍ଟ କରି  ବଲାଙ୍ଗିରରେ ବନୀକରଣ  କାହିଁକି ? ଦେଶର ସ୍ବାର୍ଥ ପାଇଁ ସର୍ବସ୍ବ ତ୍ୟାଗ କରିବାକୁ ପ୍ରସ୍ତୁତ ଥିବା ଲୋକଙ୍କୁ ସରକାର, ବନବିଭାଗ, ଜିଲ୍ଲା ପ୍ରଶାସନ ଏହି ମୂଲ୍ୟରେ ଦେବାକୁ  ଚାହୁଛନ୍ତି କି ? ଯଦି ଆଦାନି ନିଜ ନିଷ୍ପତ୍ତିର ପୁନର୍ବିଚାର ନକଲେ, ତାକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଆମେ ଚୁପ୍ ବସିବୁ ନାହିଁ । ଏମିତି ହେଲେ ଆଦାନିକୁ  ଇଞ୍ଚେ ବି ଜମି ଦିଆଯିବ ନାହିଁ’ ବୋଲି ଚେତାବନୀ ଦେଇଛନ୍ତି ରାଜେନ୍ଦ୍ର। ସେହିପରି ବିସ୍ଥାପିତ ହେବାକୁ ଥିବା ଗାଁ ବିଜାହାନର ଗୌରବ ପଧାନ, ବଂଶୀଧର ପ୍ରଧାନ, ଭୋଗ୍ରାକଛାରର ଫଣୀନ୍ଦ୍ର ପଧାନ  ମଧ୍ୟ ସମାନ ଢଙ୍ଗରେ ଆଦାନିର ଏ ନୀତିକୁ ବିରୋଧ କରିଛନ୍ତି। ଆଦାନି ଏଠି ବନୀକରଣ ନକଲେ ତୀବ୍ର ବିରୋଧ କରାଯିବ, ଜୀବନ ପଛେ ଚାଲିଯିବ, ହେଲେ ଖଣି ପାଇଁ ଜମି ଦିଆଯିବ ନାହିଁ’ ବୋଲି ସେମାନେ କହିଛନ୍ତି।

publive-image

ଆଦାନିର କମ୍ପାନି ମେସର୍ସ ମହାନଦୀ ମାଇନ୍ସ ଏଣ୍ଡ ମିନେରାଲ୍ସ ପ୍ରାଇଭେଟ ଲିମିଟେଡକୁ  ୧୦.୧୦.୨୦୨୨ରେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକରେ ଥିବା  ବିଜାହାନ୍ ଖୋଲା ମୁହଁ କୋଇଲା ଖଣି ଆବଣ୍ଟିତ ହୋଇଛି। ପ୍ରାୟ ୧୧ ଶହ ହେକ୍ଟର ଜମିରେ ଖଣି ଖୋଳିବ କମ୍ପାନି।  ବାର୍ଷିକ ୫.୨୬ ମେଟ୍ରିକ ଟନ କୋଇଲା ଉତ୍ତୋଳନ ହେବ।  ଖଣିରେ  ହେମଗିରି ବ୍ଲକର ବିଜାହାନ, ଭୋଗ୍ରାକଛାର ଓ ଝାରପଲମ ଗାଁ ବିସ୍ଥାପିତ ହେବ। ୧୧ ଶହ ହେକ୍ଟର ଜମିରୁ ୬୦୮.୬୪ ହେକ୍ଟର ଜଙ୍ଗଲ ଜମି ରହିଛି। କେବଳ ଜଙ୍ଗଲ କିସମ ଜମି ନୁହେଁ, ଏଥିରେ ରହିଛି  ବିଜାହାନ ସଂରକ୍ଷିତ  ଜଙ୍ଗଲ।  ଯାହା ଛତିଶଗଡ଼ ପର୍ଯ୍ୟନ୍ତ ଲମ୍ବିଛି।

ଆଦାନିର ଏହି ଖଣି ହେଲେ ସୁନ୍ଦରଗଡ଼ ଜିଲ୍ଲା ସବୁଜ  ମାନଚିତ୍ରରୁ ୬୦୮.୬୪ ସଂରକ୍ଷିତ ଜଙ୍ଗଲ ନିଶ୍ଚିହ୍ନ ହୋଇଯିବ। ଏଥିପାଇଁ ପରିବେଶ ମନ୍ତ୍ରାଳୟ ଆଦାନି କମ୍ପାନିକୁ କ୍ଷତିଗ୍ରସ୍ତ ଜଙ୍ଗଲର ଭରଣା ପାଇଁ ୪୯୫.୫୪ ହେକ୍ଟର ଜମିରେ ଜଙ୍ଗଲ ସୃଷ୍ଟି କରିବାକୁ ନିର୍ଦେଶ ଦେଇଛି।  ଏଥିପାଇଁ ଆଦାନି କମ୍ପାନି ବାଲାଙ୍ଗୀରରେ ସବୁଜ ବନାନୀ  ପ୍ରସ୍ତୁତ କରିବା ପାଇଁ ଶାଗ ମାଛ ଦରରେ ଜମି କିଣିଛି।

ହେଲେ ପ୍ରଶ୍ନ ଉଠୁଛି, ସୁନ୍ଦରଗଡ଼ରେ ଜଙ୍ଗଲ ଉଜାଡ଼ି ୩୫୦ କିଲୋମିଟର ଦୂର ବଲାଙ୍ଗୀରରେ  ବନୀକରଣ କରିବାକୁ କମ୍ପାନି କାଇହିଁକି ଆଗ୍ରହ ଦେଖାଇଛି। ଚର୍ଚ୍ଚା ହେଉଛି, ଖଣି ପାଇଁ ଆଦାନିକୁ ୧୧ ଶହ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ପଡ଼ିବ। ଏଥିପାଇଁ ୨୦୧୩ ପୁନର୍ବାସ ଓ ଥଇଥାନ ନୀତି  ଅନୁସାରେ ବିସ୍ଥାପିତଙ୍କୁ କ୍ଷତିପୁରଣ ଓ ଅନ୍ୟ  ସୁବିଧା ଦେବାକୁ ପଡ଼ିବ। ଏପଟେ  ପୁଣି ଜଙ୍ଗଲ ସୃଷ୍ଟି ପାଇଁ ୪୯୫.୫୪ ହେକ୍ଟର ସୁନ୍ଦରଗଡ଼ରେ ଜମି ଅଧିଗ୍ରହଣ ବା କିଣିବାକୁ ପଡ଼ିବ, ଯାହାର ମୂଲ୍ୟ ହଜାର ହଜାର କୋଟିରୁ ଅଧିକ ହେବ। ତେଣୁ ଏଠାରେ ଜମି ନକିଣି ବଲାଙ୍ଗୀରରେ  ଶାଗମାଛ ଦରରେ ଗନ୍ଧମାର୍ଦନ ଅଞ୍ଚଳରେ ଜମି କିଣିବାରେ ଲାଗିଛି ଆଦାନି। ଏହି ବାଟରେ ସେ ବିପୁଳ ଅର୍ଥ ବ୍ୟୟରୁ ରକ୍ଷା ପାଇବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe