କାମାକ୍ଷାନଗର: ସ୍ବାର୍ଥପରତା ଆଗରେ ମାନବିକତା ବଳିପଡ଼ିଛି। ଦୁର୍ଘଟଣାର ସାମ୍ନା କରିଥିବା ଏକ ପିକ୍ଅପ୍ ଭ୍ୟାନ୍ର ଡ୍ରାଇଭର ଓ ଥଣ୍ଡା ପାନୀୟ କଂପାନିର କର୍ମଚାରୀଙ୍କୁ ସାହାଯ୍ୟ କରିବା ବଦଳରେ ରାସ୍ତାରେ ଯାଉଥିବା ଲୋକେ ଲୁଟ୍ କରିବାରେ ବ୍ୟସ୍ତ ରହିଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଆଜି ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ଶିଆରିମାଳିଆ ଗାଁ ନିକଟରେ ଥଣ୍ଡାପାନୀୟ ବୋଝେଇ ଏକ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାର ସାମ୍ନା କରିଥିବା ଡ୍ରାଇଭର ଓ କୋଲ୍ଡଡ୍ରିଙ୍କସ କମ୍ପାନିର କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କୋଲ୍ଡଡ୍ରିଙ୍କସ ଗାଡିଟି ଯାଜପୁର ଜିଲ୍ଲା ଜାରକା ଅଞ୍ଚଳରୁ ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ତେବେ ପିକ୍ଅପ୍ ଦୁର୍ଘଟଣାଗସ୍ତ ହେବା ପରେ ସୁଯୋଗକୁ ଅପେକ୍ଷା କରିଥିବା ଲୋକମାନେ କୋଲ୍ଡଡ୍ରିଙ୍କସ ବୋଝେଇ ଗାଡ଼ିରୁ ପେଟି ପେଟି କୋଲଡ୍ରିଙ୍କସ ବୋହିବାରେ ବ୍ୟସ୍ତ ଥିଲେ। କିନ୍ତୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ି ଭିତରୁ ଡ୍ରାଇଭର ଓ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଅନ୍ୟ ଏକ ଗାଡ଼ି ସାହାଯ୍ୟରେ ବଳକା କୋଲଡ୍ରିଙ୍କସ ପେଟିଗୁଡ଼ିକ ସୁରକ୍ଷିତ ଭାବେ ନିଆଯାଇଥିଲା। ଏହି ଘଟଣାକୁ ବୁଦ୍ଧିଜୀବୀମାନେ ତୀବ୍ର ନିନ୍ଦା କରିଛନ୍ତି।
Follow Us