କରୋନାଠୁ ବଳି ପଡୁଛି କିଡ୍‌ନି ରୋଗ; ମରୁଛନ୍ତି ଶହଶହ, ପ୍ରତିକାର ନାହିଁ

କିଡ୍‌ନି ପ୍ରତିରୋପଣ ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଆଲୋଚନା: ବୈଠକ ପାଇଁ ଆମର ଜାଲ୍ ଦସ୍ତଖତ

Europa

କଣ୍ଟାମାଲ: ସାରା ରାଜ୍ୟରେ କରୋନା ରୋଗର ନିରାକରଣ ପାଇଁ ଶହଶହ କୋଟି ଟଙ୍କା ରାଜ୍ୟ ସରକାର ପାଣି ଭଳି ଖର୍ଚ୍ଚ କରୁଛନ୍ତି। ହେଲେ କଣ୍ଟାମାଲ ବ୍ଲକ୍‌ରେ କିଡ୍‌ନି ରୋଗ ମହାମାରୀ ଭଳି ବ୍ୟାପୀ ଚାଲିଛି। ଗତ ୪ମାସ ମଧ୍ୟରେ ଗୁଡ଼ଭେଲିପଦରରେ ୬ଜଣ, ବିଲାସପୁରରେ ୩ ଜଣ, ଯୋଗିନ୍ଦ୍ରପୁରରେ ୮ ଜଣ, ଘିକୁଣ୍ଡିରେ ୪ ଜଣ, ବରଗୋଛାରେ ୫ଜଣ ମୃତ୍ୟବରଣ କଲେଣି। କଣ୍ଟାମାଲ ବ୍ଲକ୍‌ରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଲାଣି। ବ୍ଲକ୍‌ରେ କରୋନା ନିରାକରଣରେ ପ୍ରାୟ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଲାଣି। କିନ୍ତୁ କିଡ୍‌ନି ରୋଗର ନିରାକରଣ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ କୌଣସି ନିରାକରଣ ବ୍ୟବସ୍ଥା କରାଯାଉନାହିଁ। ଗଣମାଧ୍ୟମରେ କିଡ୍‌ନି ରୋଗରେ ମୃତ୍ୟୁ ସମ୍ପର୍କିତ ଖବର ପ୍ରକାଶିତ ହେବାପରେ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେହି ଗାଁକୁ ଥରେ ଯାଇ ବୁଲି ଆସି କିଛି ରୋଗୀଙ୍କ ନାଁ ଲେଖି ଚାଲି ଆସୁଛନ୍ତି। ଏତିକିରେ ପ୍ରତିଷେଧକ ବ୍ୟବସ୍ଥା ଶେଷ ହୋଇଯାଉଛି। ପରବର୍ତ୍ତୀ ସମୟରେ ବିଭାଗ ତରଫରୁ ଉକ୍ତ ଗାଁକୁ ଯାଇ କେଉଁ କାରଣରୁ ଏହି ରୋଗ ବ୍ୟାପୁଛି, ତାର କାରଣ ଖୋଜି ପଦକ୍ଷେପ ଗ୍ରହଣ କରାଯାଉନାହିଁ।

ଲୋକଙ୍କୁ ଭଣ୍ଡାଇବା ପାଇଁ ଭୁବନେଶ୍ୱରରୁ ବିଶେଷଜ୍ଞ ଦଳ ଆସିବେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତ୍ରିଲୋଚନ ପ୍ରଧାନ କହୁଛନ୍ତି। ଏନେଇ ସହରୀପାଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଗ୍ରାମରେ ପ୍ରତ୍ୟେକ ପରିବାରକୁ କିଡ୍‌ନି ରୋଗ ଗ୍ରାସ କରିସାରିଲାଣି। ଗୋଟିଏ ପରିବାରର ବଡ଼ ଭାଇ ସର୍ବେ ପାତ୍ରଙ୍କ ମୃତ୍ୟୁର ୧୦ ଦିନ ପରେ ସାନ ଭାଇ ଦନ ପାତ୍ରଙ୍କ ମୃତ୍ୟୁ ହୋଇଛି। ହେଲେ କ’ଣ ପାଇଁ ଚିକିତ୍ସା ବଦଳରେ ବିଭାଗ ତରଫରୁ ମିଛ ପ୍ରତିଶ୍ରୁତି ଦିଆଯାଉଛି ତାହା ତଦନ୍ତ ପାଇଁ ଦାବି ହେଉଛି।

ଗୁଡ଼ଭେଲିପଦର ଗ୍ରାମର ଶ୍ରଦ୍ଧାକର ବାରିକ, ମୁରଲୀ ବାରିକ, ଝରି ମହାକୁଡ଼, ରାମ ପ୍ରସାଦ ନାଏକ, ପବନ ଷାଣ୍ଢ ପ୍ରମୁଖ ୨ଥର ବୌଦ୍ଧ ଯାଇ ଔଷଧ ଆଣି ଖାଇଲେ। ହେଲେ ମାସକୁ ୧୦ ଦିନର ଔଷଧ ଦେଉଥିବା ବେଳେ ବାକି ୨୦ ଦିନ ବିନା ଔଷଧରେ ରହିଲେ। ଏନେଇ ଡାକ୍ତରଙ୍କୁ କହିବାରୁ, ତମେ ଆଉ ଏଠାକୁ ଆସିବ ନାହିଁ ବୋଲି ଉତ୍ତର ମିଳୁଛି ବୋଲି ରୋଗୀମାନେ କହିଛନ୍ତି। ଇତି ମଧ୍ୟରେ ଝରି ମହାକୁଡ଼ ଓ ପବନ ଭୋଇ ରୋଗରେ ମୃତ୍ୟବରଣ କଲେଣି। ବର୍ତ୍ତମାନ ରାମପ୍ରସାଦ ଓ ମୁରଲୀଙ୍କ ଅବସ୍ଥା ସଂକଟାପନ୍ନ ଅଛି। ଏହି ଗ୍ରାମର ଗୋଟିଏ ପରିବାରର ୩ ଭାଇ ନରେନ୍ଦ୍ର ମହଲା, ମାଧିଆ ମହଲା ଓ ହରିବୋଲ ମହଲା ଏହି ରୋଗରେ ହିଁ ମୃତ୍ୟୁବରଣ କରିଛନ୍ତି। ଏତେ ଲୋକଙ୍କ ମୃତ୍ୟୁ ପରେବି, ନା ହେଉଛି ପ୍ରତିଷେଧକ ବ୍ୟବସ୍ଥା ନା ଆସୁଛନ୍ତି ବିଶେଷଜ୍ଞ ଡାକ୍ତରଦଳ। କରୋନା ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ରହିଛି। କିନ୍ତୁ କିଡ୍‌ନି ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା ହେଉନି। ତେଣୁ ଏହି କିଡ୍‌ନି ରୋଗୀଙ୍କ ପ୍ରତି ଉପହାସ ହେଉଛି ବୋଲି ସମାଜସେବୀ ନିରଞ୍ଜନ କଲତା ଅସନ୍ତୋଷ ପ୍ରକାଶ କରି କହିଛନ୍ତି।

ଏ ସଂକ୍ରାନ୍ତରେ ବୌଦ୍ଧ ସିଡିଏମ୍‌ଓ ଶ୍ରୀଯୁକ୍ତ ପ୍ରଧାନଙ୍କୁ ପଚାରିବାରୁ ଲକ୍‌ଡାଉନ ଯୋଗୁଁ ବିଶେଷଜ୍ଞ ଡାକ୍ତରୀ ଦଳ ଆସିଲେ ନାହିଁ। କିଡ୍‌ନି ରୋଗୀଙ୍କ ପାଇଁ ସେମିତି କୌଣସି ନିର୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା ନାହିଁ। ଡାଇଲେସିସ୍‌ କିମ୍ବା କିଡ୍‌ନି ପ୍ରତିରୋପଣ କଲେ ଏହି ରୋଗୀ ବଞ୍ଚିପାରିବେ। ୧୦୮ ଆମ୍ବୁଲାନ୍ସ ସହାୟତାରେ କିଡ୍‌ନି ରୋଗୀ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସିଲେ ଯଥା ସମ୍ଭବ ଚିକିତ୍ସା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe