ଭିତରକନିକା ଇତିହାସରେ ପ୍ରଥମ: ଲୁଣା ଜଙ୍ଗଲ ପାଇଁ ଜମି ଦାନ କଲେ ଲୋକେ

Advertisment
ଭିତରକନିକା ଇତିହାସରେ ପ୍ରଥମ: ଲୁଣା ଜଙ୍ଗଲ ପାଇଁ ଜମି ଦାନ କଲେ ଲୋକେ

ରାଜନଗର : ଭିତରକନିକା ଲୁଣା ଜଙ୍ଗଲର ସୁରକ୍ଷା ଓ ନୂତନ ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ସ୍ଥାନୀୟ ଲୋକେ ଆଗେଇ ଆସିଛନ୍ତି। ଲୁଣା ଜଙ୍ଗଲର ପରିସୀମା ବଢାଇବା ପାଇଁ ସ୍ଥାନୀୟ ଲୋକେ ନିଜର ମୂଲ୍ୟବାନ ଜମି ବନବିଭାଗକୁ ହାତକୁ ଟେକି ଦେଇଛନ୍ତି। ରାସ୍ତା ପାର୍ଶ୍ବ ୨ ଏକର ମୂଲ୍ୟବାନ ଜମିକୁ ୨ ଯୁବକ ବନବିଭାଗକୁ ହସ୍ତାନ୍ତର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଆଜି ବିଶ୍ବ ଲୁଣା ଜଙ୍ଗଲ ସଂରକ୍ଷଣ ଦିବସରେ ବ୍ୟକ୍ତିଗତ ଜମିରେ ଲୁଣା ଜଙ୍ଗଲ ନିମନ୍ତେ ଚାରାରୋପଣ କରାଯାଇଛି।

ବନ ମହୋତ୍ସବ ସପ୍ତାହ ଅବସରରେ ରାଜନଗର ଡିଏଫଓ ଡ. ଯଜ୍ଞଦତ୍ତ ପତି ‘ମ୍ୟାନଗ୍ରୁଭ ମିତ୍ର ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଅବୈତନିକ ବନଖଣ୍ତ ତତ୍ତ୍ବାବଧାରକ ସୂର୍ଯ୍ୟ ନାରାୟଣ ଲେଙ୍କା ଓ କନିକା ରେଂଜ ଅଫିସର ମାନସ କୁମାର ଦାସ ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ପରେ ଲୋକେ ବନବିଭାଗର ‘ମ୍ୟାନଗ୍ରୁଭ ମିତ୍ର’ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆଗେଇ ଆସିଛନ୍ତି। ରାଜେନ୍ଦ୍ରନାରାୟଣପୁର ଗାଁର ଦିଲ୍ଲୀପ କୁମାର ମଣ୍ତଳ ପରମାନନ୍ଦପୁର ମୌଜାର ୧ ଏକର ଜମି ଓ ନଳିତାପାଟିଆ ଗାଁର ସତ୍ୟପ୍ରିୟ ସାହୁ ନଳିତାପାଟିଆ ମୌଜାରେ ୧ ଏକର ଜମି ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ବନବିଭାଗକୁ ହସ୍ତାନ୍ତର କରିବା ନିମନ୍ତେ ଲିଖିତ ଭାବେ ଜଣାଇଥିଲେ। ବ୍ରାହ୍ମଣୀ ନଦୀ କୂଳରେ ଏହି ୨ ଏକର ଜମି ଅବସ୍ଥିତ। ନଦୀର ଜୁଆର ପାଣି ଏହି ଜମିକୁ ଯାଆସ କରୁଛି। ଆଜି ବିଶ୍ବ ଲୁଣା ଜଙ୍ଗଲ ସଂରକ୍ଷଣ ଦିବସ ଅବସରରେ ଏହି ବ୍ୟକ୍ତିଗତ ଜମିରେ ଲୁଣା ଜଙ୍ଗଲ ସୃଷ୍ଟି ନିମନ୍ତେ ଚାରାରୋପଣ କରାଯାଇଛି। ଜମି ମାଲିକଙ୍କ ସହ ଡିଏଫଓ, ଅବୈତନିକ ବନଖଣ୍ତ ତତ୍ତ୍ବାବଧାରକ, ରେଂଜ ଅଫିସର, ଖମାରସାହି ସରପଞ୍ଚ ରତିକାନ୍ତ ସେଠୀ ପ୍ରମୁଖ ଯୋଗଦେଇ ବ୍ୟକ୍ତିଗତ ଜମିରେ ଲୁଣା ଜଙ୍ଗଲ ସୃଷ୍ଟି ନିମନ୍ତେ ବୃକ୍ଷରୋପଣ କରିଥିଲେ।

ଏହି ଅବସରରେ ଲୁଣା ଜଙ୍ଗଲ ପରିସୀମା ବୃଦ୍ଧି ଓ ଉପକୂଳର ସୁରକ୍ଷା ପାଇଁ ‘ମ୍ୟାନଗ୍ରୁଭ ମିତ୍ର’ କାର୍ଯ୍ୟକ୍ରମରେ ଅଂଚଳବାସୀ ସାମିଲ ହେବାକୁ ଡିଏଫଓ ଶ୍ରୀ ପତି ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe