ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଅତ୍ୟନ୍ତ ଉଚ୍ଚକୋଟୀର ପ୍ରଦର୍ଶନ ଓ ବିଜୟ ଓଡ଼ିଶାର ରାଜନୈତିକ ଦୃଶ୍ୟପଟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଏହି ବିଜୟ ସରକାରଙ୍କ ନୀତି, ଆଦର୍ଶ ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରତି ଜନସାଧାରଣଙ୍କ ସମ୍ପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ କହିଛନ୍ତି ଯେ ନୂଆପଡ଼ାବାସୀ ବିରୋଧୀ ଦଳଙ୍କ ଅପପ୍ରଚାର ଓ ମିଥ୍ୟା ପ୍ରତିଶ୍ରୁତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ବିକାଶକୁ ସମର୍ଥନ କରି ବିଜେପି ସପକ୍ଷରେ ଏକ ସ୍ପଷ୍ଟ ଜନାଦେଶ ଦେଇଛନ୍ତି। ଏଥିପାଇଁ ନୂଆପଡ଼ାର ପ୍ରତ୍ୟେକ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇବା ସହ ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କୁ ଅଭିନନ୍ଦନ ଜଣାଉଛି। ଏହି ବିଶାଳ ବିଜୟ ପାଇଁ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ, ସାଂସଦ ଓ ବିଧାୟକଗଣ ତଥା ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ଆନ୍ତରିକ ଧନ୍ୟବାଦ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦେଶରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ହେଉଛି ବିକାଶର ଏକମାତ୍ର ପରିଭାଷା। ତାଙ୍କ ଆଦର୍ଶ ଓ ମାର୍ଗଦର୍ଶନରେ ରାଜ୍ୟ ସରକାର ଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟବାସୀଙ୍କ କଲ୍ୟାଣ ଓ ରାଜ୍ୟର ବିକାଶ ପାଇଁ ଦିନରାତି କାମ ଜାରି ରଖିଛନ୍ତି। ନୂଆପଡ଼ାବାସୀଙ୍କ ସମର୍ଥନ ନୂଆ ପ୍ରେରଣା ଓ ଶକ୍ତି ଦେଇଛି। ନୂଆପଡ଼ାର ବିକାଶ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ସମସ୍ତଙ୍କ ସହଯୋଗରେ ସମୃଦ୍ଧ ନୂଆପଡ଼ା ଓ ସମୃଦ୍ଧ ଓଡ଼ିଶା ଗଠନରେ ନିଶ୍ଚୟ ସଫଳ ହେବ।
Follow Us