ଅମାନିଆ ସୁନ୍ଦରଗଡ଼: ଚାରିପଟେ ପୁଲିସ ବ୍ୟାରିକେଡ୍, ମଝି ହାଟରେ ଲୋକେ ହାଉଜାଉ

Advertisment
ଅମାନିଆ ସୁନ୍ଦରଗଡ଼: ଚାରିପଟେ ପୁଲିସ ବ୍ୟାରିକେଡ୍, ମଝି ହାଟରେ ଲୋକେ ହାଉଜାଉ

ସୁନ୍ଦରଗଡ଼: ମହାମାରୀ କରୋନାର ଦ୍ବିତୀୟ ଲହର ଆରମ୍ଭରୁ ସଂକ୍ରମଣରେ ରାଜ୍ୟର ଦ୍ବିତୀୟ ସ୍ଥାନରେ ଥିବା ସୁନ୍ଦରଗଡ଼ ଗତ ୬ ଓ ୭ ତାରିଖରେ ସବା ଆଗକୁ ଚାଲି ଯାଇଥିଲା। ୬ ତାରିଖରେ ୨୦୭୩ ଓ ୭ ତାରିଖରେ ୧୯୨୨ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଗରେ ଥିବା ଖୋର୍ଦ୍ଧା ଏ ଦୁଇ ଦିନ ଦ୍ବିତୀୟ ସ୍ଥାନକୁ ଖସିଥିଲା। ତେବେ ୮ ତାରିଖରେ ସୁନ୍ଦରଗଡ଼ ପୁଣି ତା’ର ପୂର୍ବ ସ୍ଥାନକୁ ଚାଲି ଆସିଛି। ସଂକ୍ରମଣ ବି ଚାରି ଅଙ୍କରୁ ୩ ଅଙ୍କକୁ ଖସି ଆସିଛି। କିନ୍ତୁ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଜାରି କରିଥିବା ତାଲା ବନ୍ଦ ସୁନ୍ଦରଗଡ଼ ସଦରମହକୁମାରେ ଢିଲାମେଲା ରହିଥିବା ଦେଖିବାକୁ ମିଳିଛି।

ରାଜ୍ୟ ସରକାରଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ପ୍ରଶାସନ ବିଶେଷ କଠୋର ହୋଇପାରି ନାହିଁ। ଏସ୍ଥିତିରେ ଲୋକେ ବି ଅମାନିଆ ହୋଇପଡ଼ିଛନ୍ତି। ଶନିବାର ଓ ରବିବାର ଦୁଇଦିନିଆ ସଟ୍ଡାଉନ୍ ପରେ ଆଜି ସୁନ୍ଦରଗଡ଼ରେ ହାଟବଜାର ଖୋଲିଥିଲା। ରବିବାର ବିଜୁଳି ବନ୍ଧ କଡ଼ରେ ବସୁଥିବା ସାପ୍ତାହିକ ହାଟ ଆଜି ବସିଥିଲା। ହାଟରେ ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସ, ପ୍ରଶାସନ ପକ୍ଷରୁ ହାଟ ଭିତରକୁ ବାଇକ୍ ନେବାକୁ ବାରଣ କରାଯାଇଥିଲା। ଏପରିକି ଆଜି ସକାଳୁ ଜେଲଖାନା କଡ଼ ରାସ୍ତା, ରାଜବାଟୀ ଜଗନ୍ନାଥ ମନ୍ଦିର ରାସ୍ତା, ପଞ୍ଚମୁଖୀ ହନୁମାନରୁ ବଜାରକୁ ଯିବା ରାସ୍ତାକୁ ପୁଲିସ ବ୍ୟାରିକେଡ୍ କରି ବାଇକ୍ ଚଳାଚଳକୁ ସମ୍ପୂର୍ଣ୍ଣ ରୋକିଥିଲା। ହାଟବଜାରକୁ ଯାଉଥିବା ଲୋକେ ଚାଲି ଚାଲି ଯାଉଥିଲେ।

ଅନ୍ୟପଟେ ହାଟରେ ବି ଦୋକାନୀଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା ଉପରେ ନଜର ଦେଇଥିଲା ପୁଲିସ। କିନ୍ତୁ ଲୋକେ ଅମାନିଆ ହୋଇଥିଲେ। ବ୍ୟାରିକେଡ୍ ବାହାରେ ବାଇକ୍ ରଖିଥିଲେ ମଧ୍ୟ ବଜାରରେ ଆଶାତୀତ ଭାବେ ଭିଡ଼ କରିଥିଲେ। ସାମାଜିକ ଦୂରତ୍ବକୁ ଭୁଲି ପରିବା ବିକାଳିଙ୍କ ଆଗରେ ଲୋକେ ଏକ ପ୍ରକାର ହାମୁଡ଼େଇ ପଡ଼ିଥିବା ଦେଖାଯାଇଥିଲା। ଅନ୍ୟପଟେ ମଧ୍ୟାହ୍ନ ୧୨ଟା ପରେ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନରେ ସମ୍ପୂର୍ଣ୍ଣ ତାଲା ପଡ଼ୁଥିଲେ ମଧ୍ୟ ଲୋକଙ୍କ ଚଳପ୍ରଚଳ ହ୍ରାସ ପାଇ ନଥିଲା।

ହସ୍ପିଟାଲ ଛକରୁ ମିସନ, ଶଙ୍କରା ରାସ୍ତାରେ ଲୋକଙ୍କ ଭିଡ଼ ଜମିଥିଲା। ୧୨ଟା ପରେ ମଧ୍ୟ ଲୋକେ ବିଭିନ୍ନ ବାହାନାରେ ବାଇକ୍, କାର୍ ଧରି ସହରରେ ବୁଲୁଥିଲେ। ସକାଳୁ ୬ରୁ ୧୨ଟା ଯାଏ ସହରରେ ଲୋକଙ୍କୁ ଅଟକାଇ ବାହାରକୁ ବାହାରିବାରୁ କାରଣ ପଚାରୁଥିବା ପୁଲିସ ୧୨ଟା ପରେ ଢିଲାମେଲା ଛାଡ଼ି ଦେଇଥିବା ଦେଖାଯାଇଥିଲା। ପ୍ରକାଶଯୋଗ୍ୟ, ମହାମାରୀ ରୋକିବା ପାଇଁ ତାଲାବନ୍ଦକୁ କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଥିଲେ ମଧ୍ୟ ସୁନ୍ଦରଗଡ଼ରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ପୁଲିସ, ପ୍ରଶାସନ ଅମାନିଆଙ୍କ ପ୍ରତି କଠୋର ନହେଲେ, ତାଲାବନ୍ଦ, ପରୀକ୍ଷା ଓ ଚିକିତ୍ସା ସତ୍ତ୍ବେ ସଂକ୍ରମଣକୁ ରୋକାଯାଇପାରିବ ନାହିଁ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe