ଦୁର୍ନୀତି ଦୂର ପାଇଁ ଲୋକଙ୍କ ସହଯୋଗ ଆବଶ୍ୟକ: ଲୋକପାଳ

କିଟ୍‌ରେ ଭାରତର ପ୍ରଥମ ଲୋକପାଳ ଜଷ୍ଟିସ୍‍ ପିନାକୀ ଚନ୍ଦ୍ର ଘୋଷ

ଦୁର୍ନୀତି ଦୂର ପାଇଁ ଲୋକଙ୍କ ସହଯୋଗ ଆବଶ୍ୟକ: ଲୋକପାଳ

ଭୁବନେଶ୍ୱର : ସମାଜରୁ ଦୁର୍ନୀତି ଦୂର ପାଇଁ ସାଧାରଣ ଲୋକଙ୍କ ସହଯୋଗର ଆବଶ୍ୟକତା ରହିଛି। କିଟ୍‍ ଲ ସ୍କୁଲ୍‍ ପକ୍ଷରୁ ଗତ ୨୬ ତାରିଖ ଦିନ ବିଚାରପତିଙ୍କ ବକ୍ତୃତାମାଳା କାର୍ଯ୍ୟକ୍ରମର ଉଦ୍‍ଘାଟନ ଅବସରରେ ଏହା କହିଛନ୍ତି ଭାରତର ଲୋକପାଳ ଅଧ୍ୟକ୍ଷ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ।

‘ଭାରତରେ ଲୋକପାଳଙ୍କ ଭୂମିକା ଓ ଗୁରୁତ୍ୱ’ ଉପରେ ବକ୍ତୃତା ପ୍ରଦାନ କରି ଜଷ୍ଟିସ୍‍ ଘୋଷ ଦୁର୍ନୀତି ନିବାରଣରେ ଲୋକପାଳଙ୍କ ଭୂମିକା ଓ କାର୍ଯ୍ୟ ପରିସର ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଦୁର୍ନୀତି ହେଉଛି ଉଇ ସଦୃଶ। ଏହି ଦୁର୍ନୀତି ରୂପକ ଉଇର ମୂଳୋତ୍ପାଟନ ନିମନ୍ତେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେବା ଉଚିତ୍‍। । ଆମମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ ବଦ୍ଧପରିକର ହେବା ଉଚିତ୍‍। ଦୁର୍ନୀତିକୁ ଆମ ଜୀବନରୁ ଦୂର କରିବାକୁ ହେବ ବୋଲି ଆମ ସମସ୍ତଙ୍କ ଭିତରେ ଏକ ଦୃଢ ଧାରଣା ସୃଷ୍ଟି ହେବା ଉଚିତ୍‍ ବୋଲି ଜଷ୍ଟିସ୍‍ ଘୋଷ କହିଥିଲେ। ଏଥିସହିତ, ଆମେମାନେ ଆମ ଜୀବନରେ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଓ ଦୁର୍ନୀତି ଉପାୟରେ ସମ୍ପତ୍ତି ଆହରଣ ଚିନ୍ତାଧାରା ଯେବେ ମନରୁ ସମ୍ପୂର୍ଣ୍ଣ ଦୂରେଇ ଦେବା, ତେବେ ସମାଜରୁ ଦୁର୍ନୀତି ଦୂର ହୋଇପାରିବ। ଦୁର୍ନୀତି ଦୂର ପାଇଁ ଆମ ଦେଶରେ ଅନେକ ଆଇନ୍‍ କାର୍ଯ୍ୟକାରୀ ହୋଇଛି, ତଥାପି ଦୁର୍ନୀତି ଦୂର ହୋଇପାରୁନାହିଁ। ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା ଓ ସହଯୋଗର ଆବଶ୍ୟକ ରହିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କିଟ୍‍ ଲ ସ୍କୁଲ୍‍ର ନିର୍ଦ୍ଦେଶକ ପ୍ରଫେସର ଭବାନୀ ପ୍ରସାଦ ପଣ୍ଡାଙ୍କ ସମେତ ସ୍କୁଲ୍‍ର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କିଟ୍‍ ଲ ସ୍କୁଲ୍‍ର ଡିନ୍‍ ପ୍ରଫେସର ପ୍ରଫୁଲ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe