ଖୁବଶୀଘ୍ର ବସ୍ତିବାସିନ୍ଦାଙ୍କୁ ପକ୍କା ଘର; ସରିଲାଣି ୫୦% କାମ, ଟାର୍ଗେଟ ରହିଛି ୨୪,୦୦୦ ଘର

ଖୁବଶୀଘ୍ର ବସ୍ତିବାସିନ୍ଦାଙ୍କୁ ପକ୍କା ଘର; ସରିଲାଣି ୫୦% କାମ, ଟାର୍ଗେଟ ରହିଛି ୨୪,୦୦୦ ଘର

ରାଉରକେଲା: ଛଅ ବର୍ଷ ପ୍ରତିକ୍ଷାର ଅନ୍ତ ହେବାକୁ ଯାଉଛି। ପୂରଣ ହେବାକୁ ଯାଉଛି ସ୍ମାର୍ଟସିଟିର ବସ୍ତିବାସିନ୍ଦାଙ୍କ ସ୍ବପ୍ନ। ଆବାସ ଯୋଜନାରେ ବସ୍ତିବାନ୍ଦାଙ୍କୁ ମିଳିବାକୁ ଯାଉଛି ପକ୍କା ଘର। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫୦୦ ପରିବାରକୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ୧୦ ଏକର ଜମିରେ ପାଖାପାଖି ୧୫୦୦ ଘର ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି। ଛେଣ୍ଡକଲୋନି ବିପିୟୁଟି ପଛପାର୍ଶ୍ବରେ ପ୍ରାୟ ୫.୫ ଏକର ଜାଗାରେ ଚାଲିଥିବା ୫୦୦ ଗୃହର ନିର୍ମାଣ କାର୍ଯ୍ୟ ୫୦% ଶେଷ ହୋଇଛି।ଅବଶିଷ୍ଟ ୫୦% କାମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ଠିକା ସଂସ୍ଥାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ମାଣଧୀନ କୋଠାରେ ସିଭିଲଟାଉନସିପ୍ ମାନଟୋଲା ବସ୍ତି (ଏ), ମାନଟୋଲା ବସ୍ତି (ବି), ପାନପୋଷ ବ୍ରାହ୍ମଣୀ କ୍ଲବ ନିକଟ ବାଙ୍ଗଲାଟୋଲା, ପାନପୋଷ ବସ୍ତିବାସୀଙ୍କୁ ଘର ଯୋଗାଇ ଦିଆଯିବ।

ନିର୍ମାଣ କାମ କଚ୍ଛପ ଗତିରେ ଚାଲୁଥିବାରୁ ନିର୍ମାଣ କାମ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃ୍ଷ୍ଟି ହୋଇଛି। ଏମିତି ଭାବେ ମୋଟ ୨୪ ହଜାର ଗୃହ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ରେଲୱ କଲୋନି ନିକଟ ମଧୂସୁଦନପାଲୀ, ଗୋପବନ୍ଧୁପାଲୀ। ହଜାର ହଜାର ବସ୍ତି ରହିଥିବା ଏହି ସ୍ଥାନରେ ପ୍ରାୟ ୬୦ ଏକର ସରକାରୀ ଜାଗା ରହିଛି। ଗତ ୨୦୧୭ରେ ୩୬ ଏକର ଜାଗାରେ ଆବାସ ଯୋଜନାରେ ବିଲ୍ଡିଂ ନିର୍ମାଣ ହେବାକୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା। ବଲ୍ଡିଂ ନିର୍ମାଣ ସ୍ଥାନକୁ ମାଟି ପକାଇ ସମତୁଲ କରାଯାଇଥିଲା। ମାତ୍ର ବସ୍ତିବାସିନ୍ଦାଙ୍କ କଡା ବିରୋଧ ଯୋଗୁଁ ବିଲ୍ଡିଂ ନିର୍ମାଣ କାର୍ଯ୍ୟକୁ ଶେଷ ମୂହୂର୍ତ୍ତରେ ବାତିଲ କରାଯାଇଥିଲା। ଏବେ ଦ୍ବିତୀୟ ପର୍ଯ୍ୟାୟରେ ଧାମରା ସଂଘ ବସ୍ତିରେ ପ୍ରାୟ ୧୦ ଏକର ଜାଗାରେ ନିର୍ମାଣ ହେବାକୁ ଯାଉଥିବା ୧୫୦୦ ଗୃହ ହୋଇ ପାରିବ କି ନାହିଁ ସନ୍ଦେହ। କାରଣ ଧାମରା ବସ୍ତି ରେ ଆର୍‌ଡିଏକୁ ଯେତିକି ଜାଗା ମିଳିଥିବା ସେଥିରୁ ପାଖାପାଖି ୫୦% ଜାଗା ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି।

ପ୍ରତ୍ୟେକ ଦିନ ଏଠାରେ ଗୋଟିଏ ପରେ ଗୋଟିଏ ଘର ନିର୍ମାଣ ଚାଲିଥିଲେ ହେଁ ନା ଆର୍‌ଡିଏ ନା ଆର୍‌ଏମ୍‌ସି କାହାର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଛେଣ୍ଡ କିଛି ଦଲାଳ ଏଭଳି ବେଆଇନ କାମ କରୁଥିବା ଅଭିଯୋଗ ହେଉଛି। ଯେଉଁମାନେ ସରକାରୀ ଜାଗାକୁ ନିଜ ଇଚ୍ଛାରେ ଘର କରିବାକୁ ଅନୁମତି ଦେଇ ମୋଟା ଅଙ୍କର କମାଉଛନ୍ତି। ଯାହାର କିଛି ଭାଗ ପ୍ରୋତ୍ସାହନ ଦେଉଥିବା ଆର୍‌ଏମ୍‌ସି ଓ ଆର୍‌ଡିଏର କିଛି ଅଧିକାରୀଙ୍କ ପାଖକୁ ଯାଉଥିବା ଅଭିଯୋଗ ହେଉଛି। ଉଲ୍ଲେଖଯୋଗ୍ୟ, ୨୦୧୬ରୁ ଆଜି ପର୍ଯ୍ୟନ୍ତ ନିଜସ୍ବ ଜାଗା ଥିବା ୮୯୭ ବସ୍ତିବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଇଛି। ୨୦୧୬ରେ ୨୮୦, ଗତ ୨୦୧୮ରେ ୨୭୭ ଓ ୬୫, ୨୦୧୯ରେ ୫୩ ଓ ୩୫୧ ଗରିବ ପରିବାରଙ୍କୁ ଗୃହ କରିବାକୁ ଅର୍ଥ ପ୍ରଦାନ କରାଯାଇଛି।

୨୦୧୯ରେ ମିଳିଥିବା ୩୫୧ରୁ ବିଭିନ୍ନ କାରଣ ପାଇଁ ୧୨୯ ଘର ବାତିଲ କରି ଦିଆଯାଇଛି। ୨୦୧୬ ସର୍ଭେ ଅନୁଯାୟୀ ସହରରେ ପ୍ରାୟ ୨୪ ହଜାର ବସ୍ତିବାସିନ୍ଦାଙ୍କୁ ଆବାସ ଯୋଜନାରେ ଘର ଦେବାକୁ ଆର୍ଏମ୍ସି ଲକ୍ଷ୍ୟ ରଖିଛି। ଧାମରା ସଂଘ ନିକଟରେ ଆହୁରି ୧୦ ଏକର ଜାଗାରେ ୧୫ ଶହ ଗୃହ ନିର୍ମାଣ ହେବ। ଏଥିସହ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ତରକେରା ନିକଟରେ ୭୦ ଏକର ଜାଗା ଯୋଗାଇ ଦେବ। ଏହି ସ୍ଥାନରେ ପାଖାପାଖି ୧୦ରୁ ୧୫ ହଜାର ବସ୍ତିବାସିନ୍ଦାଙ୍କୁ ଗୃହ ଯୋଗାଇ ଦିଆଯିବ। ଅପରପକ୍ଷେ ଚିହ୍ନଟ ବସ୍ତିବାସିନ୍ଦାଙ୍କ ପାଇଁ କିଛି ସର୍ତ୍ତ ରହିଛି। ଘର ଦଖଲ ନେବା ପୂର୍ବରୁ ଥ୍ରାର୍ଡ ପାର୍ଟି ସହ ଚୁକ୍ତିନାମା ସ୍ବାକ୍ଷରିତ ହେବ। ୪୫୦ ବର୍ଗଫୁଟ୍ ଘର ପାଇଁ ବସ୍ତିର ଜଣେ ପରିବାରକୁ ୧ଲକ୍ଷ ୫୦ ହଜାର ଟଙ୍କା ଜମା କରିବାକୁ ପଡିବ। ୧ ଲକ୍ଷ ୫୦ ହଜାର ଟଙ୍କା କେନ୍ଦ୍ର ସରକାର, ଅବଶିଷ୍ଟ ୧ ଲକ୍ଷ ୫୦ ହଜାର ଟଙ୍କା ନିର୍ମାଣକାରୀ ଘରୋଇ କନଷ୍ଟ୍ରକ୍ସନ ସଂସ୍ଥା ବହନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe