୧୦ ବର୍ଷ ପରେ ପହଞ୍ଚିବ ଗଣତନ୍ତ୍ର: ପଞ୍ଚାୟତ ନିର୍ବାଚନରେ ଭୋଟ ଦେବେ ସ୍ବାଭିମାନ ଅଞ୍ଚଚଳର ଲୋକେ

Advertisment
୧୦ ବର୍ଷ ପରେ ପହଞ୍ଚିବ ଗଣତନ୍ତ୍ର: ପଞ୍ଚାୟତ ନିର୍ବାଚନରେ ଭୋଟ ଦେବେ ସ୍ବାଭିମାନ ଅଞ୍ଚଚଳର ଲୋକେ

ମାଲକାନଗିରି: ଭାରତକୁ ସ୍ବାଧୀନତା ମିଳିବା ୭୪ ବର୍ଷ ବିତି ଯାଇଥିଲେ ମଧ୍ୟ ୧୦ ବର୍ଷ ଧରି ପରାଧୀନ ଅବସ୍ଥାରେ ଥିଲା ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳ। ଏଠି ଚାଲିଥିଲା ମାଓବାଦୀଙ୍କ ତାଲିବାନୀ ଶାସନ। ନିର୍ବାଚନରେ ସାମିଲ ହେଲେ କଟାଯିବ ଆଙ୍ଗୁଠି। ଏଭଳି ଫତୁଆ ଜାରି କରିଥିଲା ଲାଲବାହିନୀ। ଏବେ କିନ୍ତୁ ବଦଳିଛି ଚିତ୍ର। ଲାଲଗଡକୁ ଭେଦ କରି ଗୋଟିଏ ପରେ ଗୋଟିଏ ପୁଲିସ କ୍ୟାମ୍ପ ପ୍ରତିଷ୍ଟା ଓ ୧୦ ବର୍ଷ ପରେ ପୂନର୍ବାର ପ୍ରତିଷ୍ଠା ହେବାକୁ ଯାଉଛି ଗଣତନ୍ତ୍ର। ସରପଞ୍ଚ, ସମିତି ସଭ୍ୟ, ଚେୟାର ପର୍ସନ, ଜିଲ୍ଲା ପରିଷଦ ପରି ପଦବି ମହିଳାଙ୍କ ପାଇଁ ସଂରକ୍ଷଣ ଥିବାରୁ ଏଥର ସ୍ବାଭିମାନ ଅଂଚଳରେ ଶାସନର ଡୋରି ଧରିବେ ମହିଳା, ଯାହାକୁ ନେଇ ସଜବାଜ ହେଉଛନ୍ତି ସ୍ବାଭିମାନ ଅଂଚଳର ଲୋକେ।

ମାଲକାନଗିରି ଜିଲ୍ଲାର ଅଭେଦ ଗଡ ଭାବେ ପରିଚିତ ଥିଲା ଚିତ୍ରକୋଣ୍ଡାର ବିଛିନ୍ନାଞ୍ଚଳ। ବର୍ଷ ବର୍ଷ ଧରି ଏଠି ଲାଲବାହିନୀ ଶାସନ କରିଆସୁଥିବା ବେଳେ ଗତ ୧୦ ବର୍ଷ ହେବ ଏଠି ପହଞ୍ଚିପାରିନଥିଲା ଗଣତନ୍ତ୍ର। ନା ଏଠି ପହଞ୍ଚିପାରୁଥିଲା ପ୍ରଶାସନ ନା ଲୋକ ପ୍ରତିନିଧି । ତାଲିବାନୀ ଶାସନ ପରି ଲାଲବାହିନୀଙ୍କ ଇଶାରାରେ ଚାଲୁଥିଲା ଶାସନ।ଗୁରୁପ୍ରିୟା ସେତୁ ହେବା ପରେ ଅଭେଦ ଗଡ ମଧ୍ୟରେ ପ୍ରବେଶ କଲା ଗୋଟିଏ ପରେ ଗୋଟିଏ କ୍ୟାମ୍ପ। ଲାଲ ବାହିନୀ ପଛଘୁଞ୍ଚା ଦେଇଥିବା ବେଳେ ପୁଲିସ ପ୍ରଶାସନର ଅଧିନରେ ଆସିଲା ଏହି ଅଂଚଳ। ତେଣୁ ପ୍ରଶାସନ ଏଥର କିଭଳି ନିର୍ବାଚନ କରିବ ସେଥିପାଇଁ ସମସ୍ତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି। କିଭଳି ସ୍ବାଭିମାନ ଅଂଚଳରେ ଶାନ୍ତିଶୃଙ୍ଖଲାର ସହ ନିର୍ବାଚନ କରାଯିବ ଏବଂ ଲୋକମାନେ କିପରି ଅଧିକାରୁ ଅଧିକା ସାମିଲ ହେବେ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ପ୍ରଶାସନ କହୁଛି।

publive-image

ବର୍ଷ ବର୍ଷ ଧରି ମାଓବାଦୀମାନେ ନିର୍ବାଚନରେ ସାମିଲ ହେଲେ ଆଙ୍ଗୁଠି କାଟିବାର ଫତୁଆ ଜାରି କରିଥିଲେ ସ୍ବାଭିମାନ ଅଂଚଳର ଗାଁଗୁଡିକରେ। ପୁଲିସ କ୍ୟାମ୍ପ ପ୍ରତିଷ୍ଠା ପରେ ଏବେ ବେଶ୍ ଆଶାବାଦୀ ଅଛନ୍ତି ଏଠିକାର ଲୋକେ। ନିର୍ବାଚନରେ ସାମିଲ ହେବେ, ସେମାନଙ୍କର ଜନପ୍ରତିନିଧିକୁ ନିଜ ଇଛାରେ ବାଛିବେ ଓ ଆଗାମୀ ଦିନରେ ନିର୍ବାଚିତ ଜନପ୍ରତିନିଧି ମାନେ ଏହି ଅଂଚଳର ମୌଳିକ ସମସ୍ୟା ସମାଧାନ କରିବା ସହ କିଭଳି ବିକାଶକୁ ତ୍ବରାନ୍ବିତ କରିବେ ସେନେଇ ସଜବାଜ ହେଲେଣି ଅଂଚଳବାସୀ।ପୁଣି ଗାଁଗୁଡିକରେ ମହିଳାମାନେ ଘରୁ ଗୋଡ କାଢିବା ସହ ବିଭିନ୍ନ ବୈଠକ କରି ନିର୍ବାଚନ ନେଇ କିଭଳି ନେତା ବାଛିବେ ଏବଂ କାହାକୁ ନେତା ବାଛିବେ ସେନେଇ ଆଲୋଚନା ଆରମ୍ଭ କଲେଣି। ଆଉ ଏହି ମହିଳାମାନଙ୍କୁ ସବୁ ସହଯୋଗ କରୁଛନ୍ତି ପୁରୁଷ।

ଏବେ ବି ଯନ୍ତ୍ରୀ, ଧୂଳିପୁଟ ଓ ଅଣ୍ଡ୍ରାପାଲୀ ଭଲି ପଞ୍ଚାୟତରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ହୋଇପାରିନଥିବା ବେଳେ ରହିଛି ଲାଲବାହିନୀର ପତିଆରା। ଏଣୁ ଏହି ପଞ୍ଚାୟତଗୁଡିକ ଉପରେ ସମସ୍ତଙ୍କର ନଜର। ଅନ୍ୟଦିଗରେ କିନ୍ତୁ ପୁଲିସ ଏହି ସବୁ ଅଂଚଳରେ ମଧ୍ୟ ଏଥର ଶାନ୍ତିଶୃଙ୍ଖଳାରେ ନିର୍ବାଚନ କରାଇବା ନେଇ ଆଶା ପ୍ରକଟ କରିଛି। ବର୍ତ୍ତମାନ ସୁଦ୍ଧା ସ୍ବାଭିମାନ ଅଂଚଳରେ ନକ୍ସଲ ନିର୍ବାଚନକୁ ନେଇ କୌଣସି ପ୍ରେସ ବିଜ୍ଞପ୍ତି ଜାରି କରିନାହାନ୍ତି। କିନ୍ତୁ ନକ୍ସଲକୁ ଭୟ ନକରି ଲୋକେ ଏଥର ନିଜର ହକ୍ ଜାହିର କରିବେ ବୋଲି କହିଛନ୍ତି। ନିଜର ମନ ପସନ୍ଦର ନେତାକୁ ଭୋଟ ଦେବେ ବୋଲି କହିଛନ୍ତି। ସ୍ବାଭିମାନ ଅଂଚଳରେ ଏଥର ଗଣତନ୍ତ୍ର ଫେରିବ ବୋଲି ସରକାର ଏବଂ ପ୍ରଶାସନ ଜୋର ଦେଇ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe