ଖୋର୍ଧା : ଖୋର୍ଦ୍ଧା ବ୍ଲକ୍ ଅନ୍ତର୍ଗତ ଜୟମଙ୍ଗଳ ଗ୍ରାମବାସୀମାନେ ଆଜି ବିଭିନ୍ନ ଦାବିରେ ଖୋର୍ଧା- ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ କରିଥିଲେ। ଦାବିଗୁଡ଼ିକ ମଧ୍ୟରେ ଇଡକୋ ବେଆଇନ ଭାବେ କରୁଥିବା ଶିଳ୍ପ ପ୍ରତିଷ୍ଠାନକୁ ବନ୍ଦ କରିବା, ଶିଳ୍ପାଞ୍ଚଳରେ ଗଢ଼ି ଉଠିଥିବା କମ୍ପାନିଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରିବା, ଜଳସେଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ଜାତୀୟ ରାଜପଥ ମରାମତି କରିବା ଆଦି ରହିଛି। ଦାବିଗୁଡ଼ିକ ସମ୍ପର୍କରେ ତୁରନ୍ତ ବିଚାର କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନର ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀ ରାସ୍ତାରୋକରୁ ହଟିଥିଲେ।
ଉପରୋକ ଦାବିଗୁଡ଼ିକର ପୂରଣ ପାଇଁ ଗ୍ରାମବାସୀ ସକାଳ ୯ଟାରୁ ଜୟମଙ୍ଗଳ ଛକ ଠାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ସେମାନଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରି ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା କଂଗ୍ରେସ ସଭାପତି ସୁରେଶ କୁମାର ରାଉତରାୟ, ବ୍ଲକ୍ କଂଗ୍ରେସ ସଭାପତି ପଦ୍ମଚରଣ ରାୟଙ୍କ ସହିତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ଖବର ପାଇ ଖୋର୍ଧା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ହେଁ କୌଣସି ସୁଫଳ ମିଳିନଥିଲା। ପରେ ଉପଜିଲ୍ଲାପାଳ ସରୋଜ କୁମାର ସାହୁ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ଦାବି ପତ୍ର ଗ୍ରହଣ କରିଥିଲେ। ଏ ସମ୍ପର୍କରେ ଆଲୋଟନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସାହୁ ପ୍ରତିଶ୍ରୁତି ଦେବାରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
Follow Us