ମୃତ୍ୟୁ ମୁହଁରୁ ବର୍ତ୍ତିଗଲା ଶିଶୁ

Advertisment

ହତ୍ୟା ଉଦ୍ୟମ ବେଳେ ଧରିଲେ ଲୋକେ, ଚକ୍‌ମା ଦେଇ ଅଭିଯୁକ୍ତ ଫେରାର୍‌

ହତ୍ୟା ଉଦ୍ୟମ ବେଳେ ଧରିଲେ ଲୋକେ, ଚକ୍‌ମା ଦେଇ ଅଭିଯୁକ୍ତ ଫେରାର୍‌

ମୃତ୍ୟୁ ମୁହଁରୁ ବର୍ତ୍ତିଗଲା ଶିଶୁ

ବ୍ୟାସନଗର : ଯାଜପୁର ରୋଡ଼୍‍ ନିକଟ ବ୍ୟାସସରୋବରେ ଏକ ଦେଢ଼ବର୍ଷର ଶିଶୁପୁତ୍ରକୁ ହତ୍ୟା ଉଦ୍ୟମ କରାଯାଇଛି। ମାତ୍ର ଶିଶୁଟିର ଚିତ୍କାର ଶୁଣି ଜଣେ ଗୁପ୍‌ଚୁପ୍‌ ବିକାଳୀ ଓ କେତେକ ଗ୍ରାମବାସୀ ସେଠାରେ ପହଞ୍ଚିଯିବାରୁ ଅଭିଯୁକ୍ତ କୌଶଳକ୍ରମେ ଗ୍ରାମବାସୀଙ୍କୁ ଚକ୍‌ମା ଦେଇ ଘଟଣାସ୍ଥଳରୁ ଖସିଯାଇଛି। ଜଣେ ଗୁପ୍‌ଚୁପ୍‌ ବିକାଳୀ ଓ ଗ୍ରାମବାସୀ ଶିଶୁଟିକୁ ଉଦ୍ଧାର କରିଛନ୍ତି।

ଘଟଣାସୂତ୍ରରୁ ପ୍ରକାଶ ଯେ, ଯାଜପୁରରୋଡ଼ ବୀଣାପାଣି ସାହିର ଗଣେଶ୍ୱର ହାତୀ ସକାଳେ ବ୍ୟାସସରୋବର ନିକଟରେ କିଛି କାମ କରୁଥିବା ବେଳେ ଗୋଟିଏ ଛୋଟିଆ ଛୁଆର ଚିତ୍କାର ଶୁଣିଥିଲେ। ଗୁପ୍‌ଚୁପ୍‌ ବିକୁଥିବା ଗଣେଶ୍ୱର ବ୍ୟାସନଗର ଠାରେ ହେବାକୁ ଥିବା ବାଣିଜ୍ୟ ମେଳାରେ ଦୋକାନ ଖୋଲିବା ପାଇଁ ଜାଗା ସ୍ଥିର କରିବାକୁ ସେଠାକୁ ଯାଇଥିଲେ। ବ୍ୟାସସରୋବର ନିକଟସ୍ଥ ଏକ ଅପନ୍ତରା ଜାଗାରୁ ଚିତ୍କାର ଶୁଣି ସେ ସେଠାକୁ ଧାଇଁ ଯାଇଥିଲେ। ସେଠାରେ ଜଣେ ୪୦/୪୫ ବର୍ଷର ଲୋକ ଗୋଟିଏ ଛୋଟ ଛୁଆର ତଣ୍ଟି ଚିପି ଧରିଛି। ଏହା ଦେଖି ଗଣେଶ୍ୱର ନିକଟରେ ଥିବା ଅନ୍ୟ କିଛି ଲୋକଙ୍କୁ ଡାକ ପକାଇବାରୁ ଆତତାୟୀ ଜଣକ ଛୁଆଟିକୁ ଛାଡ଼ି ଫେରାର୍‌ ହୋଇଯାଇଥିଲା। କିଛି ଲୋକ ତାକୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ଧସ୍ତାଧସ୍ତିରେ ତା ପକେଟରୁ କିଛି କାଗଜପତ୍ର ଖସି ପଡ଼ିଥିଲା। ସେଥିରୁ ମିଳିଥିବା ଭୋଟର ପରିଚୟପତ୍ରଟି ଭଦ୍ରକ ଜିଲ୍ଲା ବେଲ ସାଉଁଟିଆ ଗ୍ରାମର ଫକୀର ମଳିକଙ୍କ ପୁଅ କରୁଣା କରଙ୍କର ବୋଲି ଜଣାପଡ଼ିଛି।

ଖବର ପାଇ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କ ନିର୍ଦ୍ଦେଶରେ ଶିଶୁ ସୁରକ୍ଷା ୟୁନିଟ୍‌ର ତପନ କୁମାର ପଣ୍ଡା, ପଦ୍ମନାଭ ସାମନ୍ତରାୟ ବୀଣାପାଣି ସାହିରେ ପହଞ୍ଚି ଶିଶୁଟି ସମ୍ପର୍କରେ ପଚରାଉଚୁରା କରିଥିଲେ। ଶିଶୁ ସୁରକ୍ଷା କର୍ମଚାରୀ ତପନ ପଣ୍ଡା କହିଛନ୍ତି ଯେ, ଶିଶୁଟିର ଯେତେ ଦିନ ପର୍ଯ୍ୟନ୍ତ ପରିଚୟ ମିଳିନାହିଁ ସେ ଗଣେଶ୍ୱରଙ୍କ ଘରେ ରହିବ। ସେତେଦିନ ପର୍ଯ୍ୟନ୍ତ ତାର ଚିକିତ୍ସା ଓ ଖାଦ୍ୟ ପେୟ ଖର୍ଚ୍ଚ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ବହନ କରିବ।

ଅନ୍ୟପକ୍ଷରେ, ଏ ଘଟଣାରେ ପୁଲିସ୍‌ ଚୁପ୍‌ ହୋଇ ବସିଥିବା ଦେଖିବାକୁ ମିଳିଛି। ଆଇଆଇସି ଶିଶିରକୁମାର ମିଶ୍ର କହିଛନ୍ତି ଯେ ଶିଶୁଟିର ଦାୟିତ୍ୱ ଶିଶୁ ସୁରକ୍ଷା ସମିତି ନେଇଥିବାରୁ ଆମେ ସେଥିରେ ମୁଣ୍ଡ ପୂରାଉ ନାହୁଁ। ଆଇଆଇସିଙ୍କ ଏଭଳି ଖାମଖିଆଲି ଉତ୍ତରକୁ ବୁଦ୍ଧିଜୀବୀ ମହଲ ସହଜରେ ହଜମ କରିପାରିନାହାନ୍ତି। ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପଦକ୍ଷେପ ନେବା ପରିବର୍ତେ ଘଟଣାକୁ ଆଡେଇ ଯାଉଛି।

କୁହାଯାଉଛି ଯେ ଶିଶୁଟିକୁ ପାରାଦୀପରୁ ଅପହରଣ କରାଯାଇ ସେଠାକୁ ନିଆଯାଇ ହତ୍ୟା ଯୋଜନା କରାଯାଇଥିଲା। ତେବେ, ଦେଢ଼ବର୍ଷର ଏକ ନିଷ୍ପାପ ଶିଶୁକୁ ହତ୍ୟା ଉଦ୍ୟମ କରିବା ପଛରେ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe