‘ଠିକଣା ସମୟରେ ଲୋକଙ୍କୁ ରାଜସ୍ବ ସେବା ମିଳୁ’

ରାଜସ୍ୱ ସେବାଗୁଡ଼ିକୁ ସହଜ ଓ ଲୋକାଭିମୁଖୀ କରିବାକୁ ପଡ଼ିବ। ଏଥିପାଇଁ ରାଜସ୍ବ ଆଇନରେ ସଂଶୋଧନ ଓ ସଂସ୍କାର ଆଣିବା ଜରୁରି ହୋଇପଡ଼ିଛି। ଏ ନେଇ ରାଜ୍ୟ ସରକାର............

Untitled-25

ଭୁବନେଶ୍ବର: ରାଜସ୍ୱ ସେବାଗୁଡ଼ିକୁ ସହଜ ଓ ଲୋକାଭିମୁଖୀ କରିବାକୁ ପଡ଼ିବ। ଏଥିପାଇଁ ରାଜସ୍ବ ଆଇନରେ ସଂଶୋଧନ ଓ ସଂସ୍କାର ଆଣିବା ଜରୁରି ହୋଇପଡ଼ିଛି। ଏ ନେଇ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ରାଜସ୍ବ ବିଭାଗର ଅଧିକାରୀମାନେ ମଧ୍ୟ ଠିକ୍ ଭାବେ ଓ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲୋକଙ୍କ ନିକଟରେ ସେବା ପହଞ୍ଚାଇବାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗୋଠପାଟଣାସ୍ଥିତ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ଅନୁଷ୍ଠାନ (ରୋଟି)ଠାରେ ଆୟୋଜିତ ଦୁଇଦିନିଆ କେନ୍ଦ୍ରାଞ୍ଚଳ ରାଜସ୍ୱ ସମ୍ମିଳନୀକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ରାଜସ୍ୱ ଆଇନକୁ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ସରଳ କରିବା ଦରକାର। ଆଧୁନିକ ବୈଷୟିକ ଜ୍ଞାନର ଉପଯୋଗ କରି ରାଜସ୍ୱ ସେବାକୁ ଆହୁରି କ୍ରିୟାଶୀଳ କରାଯାଇପାରିବ। ରାଜସ୍ୱ ଅଧିକାରୀମାନେ ଜନସାଧାରଣଙ୍କ ଜମିଜମା ସମସ୍ୟାର ସମାଧାନର ବାଟ ଖୋଜିବାକୁ ପ୍ରୟାସ କରିବା ଦରକାର। ଏହାଦ୍ବାରା ଲୋକଙ୍କୁ ଠିକ୍ ସମୟରେ ସେବା ମିଳିପାରିବ। ଏହାସହ ଶ୍ରୀ ପୂଜାରୀ କହିଛନ୍ତି, ସରକାରୀ ସମ୍ପତ୍ତିର ସୁରକ୍ଷା କରିବା ଓ ଜବରଦଖଲ ମୁକ୍ତ କରିବା ରାଜସ୍ୱ ଅଧିକାରୀଙ୍କ ମୁଖ୍ୟ ଦାୟିତ୍ବ ହୋଇଥିବା ବେଳେ ସରକାରୀ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଜମି ଯୋଗାଇଦେବା ଉପରେ ମଧ୍ୟ ଗୁରୁତ୍ବ ଦେବା ଉଚିତ। ତହସିଲଦାରମାନେ ନିଜ ଅଞ୍ଚଳର ଜମିଜମା ସ୍ଥିତି ସମ୍ପର୍କରେ ଏକ ଡାଟାବେସ୍‌ ପ୍ରସ୍ତୁତ କରନ୍ତୁ। ଯଦିଓ ଆଜିର ଦିନରେ ରାଜସ୍ୱ ଅଧିକାରୀମାନଙ୍କ କାର୍ଯ୍ୟର ପରିସର ବୃଦ୍ଧି ପାଇଛି ତା’ ସତ୍ତ୍ବେ ଜନସାଧାରଣଙ୍କୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେବା ଯୋଗାଇ ଦେବାକୁ ଚେଷ୍ଟା କରିବା ଦରକାର। ଫଳରେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ସମ୍ଭବ ହୋଇପାରିବ। 

ଏହି ସମ୍ମିଳନୀ‌ରେ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂହ କହିଥିଲେ ସରକାର ଜନସାଧାରଣଙ୍କ ହିତ ପାଇଁ ଯେଉଁ ରାଜସ୍ୱ ଆଇନ ପ୍ରଣୟନ କରିଛନ୍ତି ସେ ସବୁର ସଫଳ ରୂପାୟନ ରାଜସ୍ୱ ଅଧିକାରୀଙ୍କ ଦାୟିତ୍ବ। ଏ ଦିଗରେ ରାଜସ୍ୱ ଅଧିକାରୀମାନେ ଯତ୍ନବାନ ହେବା ଉଚିତ। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଗୁହା ପୁନମ ତାପସ କୁମାରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳର ୧୦ଟି ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିବାବେଳେ ୯ ଜଣ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ୧୬ ଜଣ ଉପଜିଲ୍ଲାପାଳ, ୧୧୨ ଜଣ ତହସିଲଦାର, ୧୦ ଜଣ ଜିଲ୍ଲା ନିବନ୍ଧକ, ୬୨ ଜଣ ସହକାରୀ ନିବନ୍ଧକ, ୪ ଜଣ ଜିଲ୍ଲା ମଙ୍ଗଳ ଅଧିକାରୀ ଯୋଗ ଦେଇଥିଲେ। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସଚିବ ନିହାର ରଞ୍ଜନ ଦାଶ ଧନ୍ୟବାଦ  ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe