ବାଟବଣା ଉଜ୍ଜଳା ଯୋଜନା: ଗରିବ ହିତାଧିକାରୀଙ୍କୁ ମକାନଡ଼ା ଭରସା

ବାଟବଣା ଉଜ୍ଜଳା ଯୋଜନା: ଗରିବ ହିତାଧିକାରୀଙ୍କୁ ମକାନଡ଼ା ଭରସା

ଝରିଗାଁ: କେନ୍ଦ୍ର ସରକାର ଗରିବ ସୀମାରେଖା ତଳେ ରହୁଥିବା ପରିବାର ତଥା ଏସିସି ତାଲିକାରେ ଥିବା ପରିବାରକୁ ରୋଷେଇ ବେଳେ ଧୂଆଁଦାଉରୁ ରକ୍ଷା ପାଇବା ସହ ସହଜରେ ଖାଦ୍ୟ ପ୍ରସ୍ତୁତି ପାଇଁ ମାଗଣାରେ ଭର୍ତ୍ତି ଇନ୍ଧନ ଗ୍ୟାସ ହାଣ୍ଡି ସହ ବିଭିନ୍ନ ଉପକରଣ ପ୍ରଦାନ କରିଥିଲେ। ଇନ୍ଧନ ଗ୍ୟାସ ହାଣ୍ଡି ଓ ବିଭିନ୍ନ ଉପକରଣର ଧାର୍ଯ୍ୟ ହୋଇଥିବା ମୂଲ୍ୟ ପରବର୍ତ୍ତୀ ସମୟରେ ହିତାଧିକାରୀ ଇନ୍ଧନ ଗ୍ୟାସ ନେବା ସମୟରେ ସବସିଡ ନଦେଇ ସେହି ଟଙ୍କା କଟା ଯିବ ବୋଲି କୁହାଯାଇଥିଲା। କିନ୍ତୁ ହିତାଧିକାରୀମାନେ ଥରେ ଭର୍ତ୍ତି ଇନ୍ଧନ ଗ୍ୟାସ ହାଣ୍ଡି ବିଭିନ୍ନ ଉପକରଣ ମାଗଣାରେ ନେବା ପରେ ଗ୍ୟାସ ଦର ଆକାଶ ଛୁଆଁ ରହିଥିବା ଯୋଗୁଁ ଆଉ ଥରେ ଗ୍ୟାସ ଭର୍ତ୍ତି କରିବା ପାଇଁ ହିତାଧିକାରୀ ମାନେ ସାହାସ ଜୁଟାଇ ପାରୁନଥିବା ଦେଖିବାକୁ ମିଳିଛି। ଫଳରେ ଏହି ଯୋଜନା ଝରିଗାଁ ବ୍ଳକରେ ବାଟବଣା ହୋଇଥିବା ଅଭିଯୋଗ ହେଉଛି।

ପ୍ରାୟ ହିତାଧିକାରୀ ପ୍ରଥମ ଥର ଗ୍ୟାସ୍‌ ନେବା ପରେ ଦର ଅଧିକ ରହିଥିବା ଯୋଗୁଁ  ଆଉ ଥରେ ଏହା ଭର୍ତ୍ତି କରିବା ପାଇଁ ସକ୍ଷମ ହୋଇ ପାରୁନାହାନ୍ତି। ହିତାଧିକାରୀମାନେ ଗ୍ୟାସ୍‌ ବ୍ୟଵହାର କରୁନାହାନ୍ତି। ସେମାନଙ୍କ ଗ୍ୟାସ ସିଲେଣ୍ଡର ଧୂଳିଧୂସର ହୋଇ ପଡ଼ିଥିବା ବେଳେ ଚୁଲାରେ କଳଙ୍କ ଲାଗିଲାଣି। ପାଇପ ଏବଂ ରେଗୁଲେଟର ମଧ୍ୟ ନଷ୍ଟ ହେବାରେ ଲାଗିଛି। ଝରିଗାଁ ବ୍ଳକର କିଛି ହିତାଧିକାରୀ ଅଳ୍ପ ଦରରେ ଗ୍ୟାସ ହାଣ୍ଡି ସହ ଉପକରଣ ମଧ୍ୟ ବିକ୍ରି କରିଦେଇଥିବା ଶୁଣିବାକୁ ମିଳୁଛି।

ଅନ୍ୟପକ୍ଷେ ଗରିବ ହିତାଧିକାରୀମାନେ ଗ୍ୟାସ୍‌ ଦର ବୃଦ୍ଧି ଯୋଗୁଁ ଗ୍ୟାସ ଭର୍ତ୍ତି କରିନପାରି ମକାନଡ଼ାକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ମକାଗଛରୁ ମକା ଭାଙ୍ଗିବା ପରେ ଯେଉଁ ଲମ୍ବା ଲମ୍ବା ନଡ଼ା ରହିଯାଏ ସେହି ନଡ଼ାକୁ ସଂଗ୍ରହ କରନ୍ତି। ପରେ ସେହି ନଡ଼ା ଉପରେ ଗବର ଲେପ ଦେଇ ଶୁଖାଇ ଦିଅନ୍ତି। ସେଥିରେ ରୋଷେଇ କରୁଥିବା କହିଛନ୍ତି। ଆଉ କିଛି ହିତାଧିକାରୀ ଆଖପାଖ ଜଙ୍ଗଲରୁ କାଠ ସଂଗ୍ରହ କରି ସେଥିରେ ରୋଷେଇ କରୁଥିବା କହିଛନ୍ତି।

ତେବେ ଏହି ଯୋଜନା ସଫଳ ରୂପାୟନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ଅଧିକ ରିହାତି ଦେବା ପାଇଁ ହିତାଧିକାରୀମାନେ ଅନୁରୋଧ କରିଛନ୍ତି। ନଚେତ ଏହି ଯୋଜନା ଝରିଗାଁ ବ୍ଳକରେ ବାଟବଣା ହେବାର ସମ୍ଭାବନା ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe