People will be sweltering in the heat till March 17: Meteorological Department issues warning Photograph: (sambad.in)
ଭୁବନେଶ୍ବର: ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତିରୁ ତ୍ରାହି ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ କରାଯାଇଛି। କେତେକ ଅଞ୍ଚଳର ତାପମାତ୍ରା ୪୧ ଡିଗ୍ରି ସେଲସିୟସ୍ ଅତିକ୍ରମ କରିପାରେ। ଏବେ ତାପମାତ୍ରା ବୃଦ୍ଧି ଯୋଗୁ ପଶ୍ଚିମ ଓଡିଶା ଜଳୁଛି ।
ଆଗାମୀ ୫ ଦିନର ସର୍ବାଧିକ ତାପମାତ୍ରା ୪୧ ଡିଗ୍ରି ସେଲସିୟସ୍ ଅତିକ୍ରମ କରିପାରେ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ପ୍ରଦାନ କରିଛନ୍ତି। ତାତିର ତାଉରେ ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ଅସମ୍ଭାଳ ହେଉଥିବା ବେଳେ ରାଜ୍ୟରେ ଆଗାମୀ ୪ ଦିନ ଗ୍ରୀଷ୍ମପ୍ରବାହ ହେବା ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହର ସତର୍କତା ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କଳାହାଣ୍ଡି,ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ,ବୌଦ୍ଧ, ସମ୍ବଲପୁର, ମୟୁରଭଞ୍ଜ, କେନ୍ଦୁଝର ଓ ସୋନପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିର ସତର୍କତାକୁ ନେଇ ବାଲେଶ୍ୱର, ଭଦ୍ରକ ଓ ଗଜପତିକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ହୋଲିରେ ଟାଇଁଟାଇଁ ଖରା ଅନୁଭବ ହେବାକୁ ଥିବା ବେଳେ ୧୭ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ। ଶୁକ୍ରବାର କଳାହାଣ୍ଡି,ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ,ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ମୟୁରଭଞ୍ଜ ,କେନ୍ଦୁଝର ଓ ସୋନପୁରରେ ପ୍ରବଳ ଖରା ହେବ ବୋଲି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିର ସତର୍କତାକୁ ନେଇ ବାଲେଶ୍ୱର, ଭଦ୍ରକ, ଗଜପତି, ଖୋର୍ଦ୍ଧା ଓ କଟକ ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ରାତିରେ ଗୁଳିଗୁଳି ସହ ଗରମ ହେବା ନେଇ ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବୌଦ୍ଧରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ୧୫ ତାରିଖରେ ବଲାଙ୍ଗୀର,ବୌଦ୍ଧ, ସୋନପୁର ,ସମ୍ବଲପୁର, ଝାରସୁଗୁଡା,କଳାହାଣ୍ଡି ଓ ସୁନ୍ଦରଗଡ ପ୍ରଭୃତି ୭ ଟି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିର ସତର୍କତାକୁ ନେଇ ବିଭାଗ ପକ୍ଷରୁ କନ୍ଧମାଳ ଓ ବରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉଷ୍ମ ରାତ୍ରିର ସତର୍କତାକୁ ନେଇ ବଲାଙ୍ଗୀର ସମ୍ବଲପୁର ସୁନ୍ଦରଗଡ ଓ ବୌଦ୍ଧରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୬ ତାରିଖରେ ପ୍ରବଳ ଖରା ନେଇ ବୌଦ୍ଧ, ସୋନପୁର ,ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡିରେ ଏବଂ ୧୭ ତାରିଖରେ ବଲାଙ୍ଗୀର ନୂଆପଡା ବରଗଡକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ଅଧିକ ପଢ଼ନ୍ତୁ: ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି: +୨ ପରେ ବି.ଏଡ୍ରେ ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ
ଏହିସବୁ ଜିଲ୍ଲାବାସୀଙ୍କୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ସାଢ଼େ ୩ଟା ଭିତରେ ଯେତେଦୂର ସମ୍ଭବ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଏଥିସହ ୪-୫ ଦିନ ଭିତରେ ଓଡ଼ିଶାରେ ତାପମାତ୍ରାର କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପୂର୍ବାନୁମାନ କରାଯାଇଛି।
ଏଥର ତାତି ରେକର୍ଡ ଭାଙ୍ଗିବା ସହ ମାର୍ଚ୍ଚରୁ ମେ’ ଯାଏଁ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। ମାର୍ଚ୍ଚରୁ ମେ’ ମଧ୍ୟରେ ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ସମ୍ଭାବନା ରହିଛି। ଅସ୍ୱାଭାବିକ ଗରମ ସାଙ୍ଗକୁ ତାତି ପୂର୍ବ ରେକର୍ଡ ଭାଙ୍ଗିପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ:ରୋହିତ-କୋହଲିଙ୍କ ସମେତ ୩ ଖେଳାଳିଙ୍କୁ ଲାଗିପାରେ ଝଟକା
Follow Us