People's representatives oppose cutting of trees in the name of development: Demand to build eklavya school without cutting Photograph: (sambad.in )
ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଜଙ୍ଗଲ ପାହାଡ଼ ପର୍ବତ ପାଇଁ ସାରା ରାଜ୍ୟରେ ପରିଚିତ।ଏହାର ଘଞ୍ଚ ଜଙ୍ଗଲ,ସବୁଜିମା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ବେଳେ ବିକାଶ ନାଁ ରେ ନିରୀହ ବୃକ୍ଷକୁ ବଳି ପକେଇବା କେତେ ଯୁକ୍ତିଯୁକ୍ତ।
ଗଛ କାଟି ଗୃହ ନିର୍ମାଣ କରିବାକୁ ପରିବେଶବିତମାନେ ନାପସନ୍ଦ କରୁଥିବା ବେଳେ ସ୍ଥାନୀୟ ବ୍ଲକ ଅଞ୍ଚଳରେ ପ୍ରସ୍ତାବିତ ଏକଲବ୍ୟ ସ୍କୁଲର ଗତ ୩୦.୦୫.୨୦୨୩ରେ ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶର ଟୁଡୁଙ୍କ ଦ୍ବାରା କଳିଙ୍ଗା ପଞ୍ଚାୟତ ମାଲାନସୁଗା ଛକ ନିକଟରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଦୀର୍ଘ ୩ ବର୍ଷ ପରେ ଏହି ଏକଲବ୍ୟ ସ୍କୁଲ କାର୍ଯ୍ୟ ନିମନ୍ତେ ଟେଣ୍ଡର ସରି କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଜଙ୍ଗଲ କାଟି ସଫା କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।
ପ୍ରକୃତିପ୍ରେମୀମାନେ ପ୍ରକୃତି ନଷ୍ଟ ହେଉଥିବା ଦେଖି ଦୁଃଖ ପ୍ରକାଶ କରିଛନ୍ତି । ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଛି କିନ୍ତୁ ତା ପରିମାଣରେ ଜଙ୍ଗଲ ସୃଷ୍ଟି ବା ଗଛ ଲଗା ଯାଉନାହିଁ । ଯାହା ଫଳରେ ପ୍ରତି ଦିନ ଜଙ୍ଗଲ ପରିବେଶ ନଷ୍ଟ ହେବା ସାଙ୍ଗକୁ ଜୀବଜନ୍ତୁଙ୍କ ବାସ ସ୍ଥାନ ନଷ୍ଟ ହେଉଛି ।
କେନ୍ଦ୍ର ସରକାରଙ୍କ ଦ୍ଵାରା ନୂତନ ଭାବରେ ନିର୍ମାଣ କରାଯାଉଥିବା ଏକଲବ୍ୟ ସ୍କୁଲ ଗୃହ ନିର୍ମାଣ ପାଇଁ ଗଛ ଓ ପାହାଡ କାଟି ଏହାକୁ ସଫା କରି ସ୍କୁଲ ଘର,ହଷ୍ଟେଲ,ଖେଳ ପଡିଆ ଆଦି ବିଭିନ୍ନ କାର୍ଯ୍ୟ କରାଯିବା ନିମନ୍ତେ ପ୍ରସ୍ତାବ ପାରିତ ହୋଇ ଜଙ୍ଗଲ କାଟିବା ଆରମ୍ଭ ହୋଇଛି ।
ଏହାକୁ ଦେଖି ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ସରପଞ୍ଚ ବକ୍ସି ମଲିକ ଏବଂ ସମିତି ସଭ୍ୟ ମାଲ୍ୟବନ୍ତ କଁହର ଗତକାଲି ସ୍ଥାନୀୟ ବ୍ଲକ ପରିସରରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲିଖିତ ଅଭିଯୋଗ ପତ୍ର ମାଧ୍ୟମରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ଏହି ସ୍ଥାନରେ ସ୍କୁଲ ହେଉ ଯାହା ଫଳରେ ଅଞ୍ଚଳର ପିଲାମାନେ ଉପକୃତ ହେବେ। କିନ୍ତୁ ସ୍କୁଲ କରିବା ବାହାନାରେ ହଜାର ହଜାର ଗଛ କଟା ନଯାଉ । ଗଛ ନ କାଟି କିପରି ସ୍କୁଲ ଗୃହ ନିର୍ମାଣ ହୋଇପାରିବ ତା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି।
ଯାହା ଫଳରେ ଗଛ ପରିବେଶ ଜଙ୍ଗଲ ନଷ୍ଟ ହେବ ନାହିଁ। ଅଭିଯୋଗ ପତ୍ର ପାଇବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଆର୍ ଏନ୍ ମିଶ୍ର ଏବଂ ବାଲିଗୁଡା ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଏକଲବ୍ୟ ସ୍କୁଲ ନିର୍ମାଣ ସ୍ଥଳ ପରିଦର୍ଶନ କରି ଅଭିଯୋଗକାରୀ ଦ୍ୱୟଙ୍କୁ ଏହି ବିଷୟରେ ବନ ବିଭାଗ ଓ ନିର୍ମାଣ ନିମନ୍ତେ ଠିକା ପାଇଥିବା ସଂସ୍ଥା ସହ ଆଲୋଚନା କରିବା ନିମନ୍ତେ କହିଛନ୍ତି।
ଅଧିକ ପଢ଼ନ୍ତୁ: କାର୍ଯ୍ୟ ନ କରି ରିପୋର୍ଟ ଏବଂ ଫଟୋ ପ୍ରଦାନ କରି ଅଧିକାରୀଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛି ଟିପିଏସଓଡିଏଲ
ତେବେ ଜଙ୍ଗଲ କାଟି ସ୍କୁଲ ନିର୍ମାଣ କରିବା ପାଇଁ କଣ ସବୁ ନିୟମ ରହିଛି ତାହା ସାର୍ବଜନୀନ କି ? ନା ସରକାର ନିଜ ଅଧୀନରେ ସବୁ କାର୍ଯ୍ୟ ନିୟନ୍ତ୍ରଣ କରି କାମ ଆରମ୍ଭ କରୁଛନ୍ତି ସେନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କି ମାରିଛି। ଗଛ ଲଗାଇବା ଆଜିକାର ଦିନରେ ବହୁତ କଷ୍ଟ କିନ୍ତୁ ଗଛ କାଟିବା ସହଜ । ସେସବୁ ଦୃଷ୍ଟିରେ ରଖି ଜନ ପ୍ରତିନିଧି ଅଭିଯୋଗ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସ୍କୁଲ ନିର୍ମାଣ ହେଉ କିନ୍ତୁ ଗଛ କଟା ନ ଯାଉ ଓ ଜଙ୍ଗଲ ନଷ୍ଟ କରା ନ ଯାଉ ବୋଲି ସେମାନେ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ: ପାକିସ୍ତାନୀ ଗୁପ୍ତଚର ଭାବେ ଧରାପଡ଼ିଲେ କଂଗ୍ରେସ ନେତାଙ୍କ ପୂର୍ବତନ ପର୍ସନାଲ୍ ଆସିଷ୍ଟାଣ୍ଟ୍
Kandhamal
Follow Us