ଶାନ୍ତିଲତା ବସ୍‌ର ପରିମିଟ୍‌ ରଦ୍ଦ: ଜାନୁଆରି ୨୨ରେ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା

ମାଣତ୍ରୀରୁ ଭାୟା ବାଲେଶ୍ବର ହୋଇ ଭୁବନେଶ୍ୱର ଗଡ଼ୁଥିଲା ବସ୍‌

ଶାନ୍ତିଲତା ବସ୍‌ର ପରିମିଟ୍‌ ରଦ୍ଦ: ଜାନୁଆରି ୨୨ରେ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା

News Live Odisha

ବାଲେଶ୍ୱର: ଗତ ଜାନୁଆରି ୨୨ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ମାଣତ୍ରୀରୁ ଭୁବନେଶ୍ୱର ଯାଉଥିବା(ଓଡି-୦୪‌କେ-୨୨୨୫) ନମ୍ବର ବିଶିଷ୍ଟ ଶାନ୍ତିଲତା ବସ୍‌ ସୋର ଥାନା ଅନ୍ତର୍ଗତ ବିଦୁ ନିକଟରେ ଦୁର୍ଘଟଣା ହୋଇ ୬ ଜଣ ବ୍ୟକ୍ତି ପ୍ରାଣ ହରାଇବା ସହ ୨୦ ରୁ ଅଧିକ ଆହତ ହୋଇଥିଲେ। ପ୍ରାରମ୍ଭିକ ତଦନ୍ତରେ ବେପରୁଆ ଗାଡ଼ି ଚାଳନା ଓ ସଡ଼କ ସୁରକ୍ଷା ଆଇନର ଉଲ୍ଲଂଘନ ପାଇଁ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିବା ପରେ ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସମ୍ପୃକ୍ତ ବସ୍‌ର ପରମିଟ୍ ବାତିଲ୍ କିମ୍ବା ରଦ୍ଦ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣକୁ ସୁପାରିଶ୍ କରିଥିଲେ। ତଦନୁଯାୟୀ ବିଭାଗ ପକ୍ଷରୁ ସମ୍ପୃକ୍ତ ବସ୍ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯିବା ସହିତ ବାଲେଶ୍ୱର ଆଂଚଳିକ ପରିବହନ କାର୍ଯ୍ୟାଳୟକୁ ଦୁର୍ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ତଦନ୍ତ ରିପୋର୍ଟ ଓ ବସ ମାଲିକଙ୍କ ଠାରୁ କାରଣ ଦର୍ଶାଅ ନୋଟିସର ଉତ୍ତର ପାଇବା ପରେ ପରିବହନ କମିଶନର ତଥା ରାଜ୍ୟ ପରିବହନ ପ୍ରାଧିକରଣଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବସ୍‌ର ସ୍ଥାୟୀ ପରମିଟ୍ ଯାହା କି ୨୦୧୯ ଜୁନ୍‌ ୨୩ ତାରିଖ ଠାରୁ ୨୦୨୪ ଜୁନ୍‌ ୨୧ ତାରିଖ ପର୍ଯ୍ୟନ୍ତ ବୈଧ ଥିଲା ତାହାକୁ ଏବେ ରଦ୍ଦ କରାଯାଇଛି। ବସକୁ ଭୁବନେଶ୍ୱରରୁ ମାଣତ୍ରୀ ଭାୟା ଉଦଳା, ନୀଳଗିରି ରୁଟ୍‌ରେ ଚଳାଚଳ ପାଇଁ ପରମିଟ୍ ଦିଆଯାଇଥିବା ବେଳେ ତାହାକୁ ଏବେ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୬୫୭୦, ୨୦୨୨ ମଇ ୧୯ ମତେ ରଦ୍ଦ କରାଯାଇଛି। ଏଥି ସହିତ ବସ୍ ମାଲିକଙ୍କୁ ଅରଜିନାଲ ପରମିଟ୍ କାଗଜପତ୍ର ରାଜ୍ୟ ପରିବହନ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସଡ଼କ ସୁରକ୍ଷା ଆଇନର ଉଲ୍ଲଂଘନ କ୍ଷେତ୍ରରେ ଏଣିକି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଂଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜିତ ଦଳବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe