ମଣ୍ଡି ମହାଦୁର୍ନୀତିରେ ପେକ୍ସ ସଂପାଦକ!

ଗଡ଼ଶଙ୍କର ଡୁଙ୍ଗୁରିପାଲି ଓ ସୁନାମୁଦି ପେକ୍ସ ଦୁର୍ନୀତିର ତଦନ୍ତ ନିର୍ଦେଶ, ଏଯାଏ ନିଲମ୍ବନ ହେଲେଣି ୭

ଟୋକନ୍ ଲାପ୍‌ସ: ଚାଷୀଙ୍କ ଦୋଷ କ’ଣ?

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାର ଅନେକ ମଣ୍ଡିରେ ଗଦା ହୋଇଛି ଧାନ। ଚାଷୀ ଧାନ ବିକି ନପାରି ହଟହଟା ହେଉଛନ୍ତି। ଅଦିନିଆ ବର୍ଷା ଏବେ ଚାଷୀଙ୍କୁ ଦାଉ ସାଧିଛି। ଅନେକ ମଣ୍ଡିରେ ପଡ଼ି ରହିଥିବା ଧାନ ସବୁ ବର୍ଷା ପାଣିରେ ଭିଜିଲାଣି। ଆଉ ମଣ୍ଡିରେ ଧାନ ପଡ଼ି ରହିବା ପଛରେ ବି ଦୁର୍ନୀତି। ଜାଲିଆତି କରି ଟୋକନ୍‌ ହାତେଇଛନ୍ତି ଦଲାଲ। ପେକ୍ସ ଅଧିକାରୀ କର୍ମଚାରୀଙ୍କ ସହ ସଲାସୁତୁରା କରି ଦଲାଲ ମାଲାମାଲ ହୋଇଛନ୍ତି। ଏବେ ମଣ୍ଡି ମହାଦୁର୍ନୀତିମାନ ସାମ୍ନାକୁ ଆସିବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବି ଆରମ୍ଭ ହୋଇଛି। ଆଉ କିଛି ପେକ୍ସ ସଂପାଦକଙ୍କ କାରନାମା ଉପରେ ତଦନ୍ତ ବି ଚାଲିଛି। ପାଟଣାଗଡ଼ ସୁନାମୁଦି ପେକ୍ସ ସଂପାଦକ ମୌସମ ବେହେରା, ଗଡ଼ଶଙ୍କର ଡୁଙ୍ଗୁରିପାଲି ପେକ୍ସ ସଂପାଦକ ଶୋଭାବନ ପଧାନଙ୍କ ବିରୋଧରେ ଏବେ ତଦନ୍ତ ଆରମ୍ଭ ହୋଇଛି। ସମବାୟ ସମିତିର ଉପନିବନ୍ଧକ ତଦନ୍ତ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲାରେ ମଣ୍ଡିଗୁଡ଼ିକରେ ମିଲର୍ସଙ୍କ ମନମାନୀ ଚାଲିଛି। ପେକ୍ସ ସଂପାଦକମାନେ ବି ଦୁର୍ନୀତିରେ ସଂପୃକ୍ତ ରହୁଛନ୍ତି। ଦଲାଲ ନକଲି ଚାଷୀ ହୋଇ ମଣ୍ଡିରେ ଧାନ ବିକୁଛି। ଅସଲି ଚାଷୀ ଏବେ ବି ହଟହଟା ହେଉଛନ୍ତି। ଗଡ଼ଶଙ୍କର ଡୁଙ୍ଗୁରିପାଲି ପେକ୍ସରେ ଚାଷୀଙ୍କ ନାଁରେ ଟୋକନ ଇସ୍ୟୁ କରି ଜଣେ ଦଲାଲ ଶହ ଶହ କୁଇଣ୍ଟାଲ ଧାନ ବିକିଥିବା ତଥ୍ୟ ସାମ୍ନାକୁ ଆସିଥିଲା। ଚାଷୀ ଦେବରାଜ ବିଶି ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ଟୋକନ ଇସ୍ୟୁ କରି ଧାନ ବିକ୍ରି ହୋଇଥିବାରୁ ସେମାନେ ଏବେ ନିରାଶ। ପେକ୍ସରେ କେମିତି ଦଲାଲ ଧାନ ବିକୁଛନ୍ତି ତାହାର ବି ଭିଡିଓ ଭାଇରାଲ ହୋଇଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ତଦନ୍ତ ନିର୍ଦେଶ ବିଭାଗୀୟ ଅଧିକାରୀ ଦେଇଛନ୍ତି। ଠିକ ସେମିତି ପାଟଣାଗଡ଼ ସୁନାମୁଦି ପେକ୍ସରେ ଚାଷୀ ଧାନ ବିକିନପାରି ଆନ୍ଦୋଳନକୁ ଓହ୍ଲାଇଥିଲେ। ସେଠାରେ ବି ହେଉଥିବା ଦୁର୍ନୀତି ନେଇ ଚାଷୀ ମୁହଁ ଖୋଲିଥିଲେ। ସେହି ଘଟଣାର ବି ତଦନ୍ତ ଚାଲୁ ରହିଥିବା ସୂଚନା ମିଳିଛି।

ପୂର୍ବରୁ ଧାନ କିଣା ଅବ୍ୟବସ୍ଥାକୁ ନେଇ ଗର୍ଜିଥିଲେ ଜନପ୍ରତିନିଧି। ମଣ୍ଡିମାନଙ୍କରୁ ଅଭିଯୋଗ ପାଇ ଗସ୍ତ ବି କରିଥିଲେ। ଜିଲ୍ଲା ପରିଷଦ ବୈଠକରେ ହୋହଲ୍ଲା ହୋଇଥିଲା। ଯେଉଁ ସବୁ ପେକ୍ସରେ ଦୁର୍ନୀତି ନେଇ ଜନପ୍ରତିନିଧିମାନେ ଅଭିଯୋଗ ଉଠାଇଥିଲେ ସେ ସବୁ ପେକ୍ସ ସଂପାଦକଙ୍କ ବିରୋଧରେ ବିଭାଗ ତଦନ୍ତ କରିଥିଲା। ଜିଲ୍ଲାପାଳଙ୍କ କଡ଼ା ତାଗିଦରେ ତଦନ୍ତ ସବୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ସାତଜଣ ପେକ୍ସ ସଂପାଦକ ନିଲମ୍ବିତ ହୋଇସାରିଲେଣି। ତିନି ଜଣ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଚାକିରିରୁ ବହିଷ୍କୃତ କରାଗଲାଣି। ଆଉ ଏବେ ପୁଣି କିଛି ପେକ୍ସ ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଛି। ସାରା ଜିଲ୍ଲାରେ ଏବେ ଧାନକିଣାରେ ମହାଦୁର୍ନୀତି ହୋଇଥିବାରୁ ଆଗକୁ ଆଉ କେଉଁମାନେ ସବୁ ତଦନ୍ତରେ ଧରାପଡୁଛନ୍ତି ତାକୁ ଅପେକ୍ଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe