ପାଚିଲା ଧାନରେ ରୋଗ, ଅମଳକୁ ନେଇ ଚିନ୍ତାରେ ବଳଙ୍ଗା ଅଞ୍ଚଳର ଚାଷୀ

ପାଚିଲା ଧାନରେ ରୋଗ, ଅମଳକୁ ନେଇ ଚିନ୍ତାରେ ବଳଙ୍ଗା ଅଞ୍ଚଳର ଚାଷୀ

ବଳଙ୍ଗା : କ୍ଷେତରେ ପାଚିଲା ଧାନ ଲହଡି ମାରୁଛି। ହେଲେ ବଳଙ୍ଗା ଅଞ୍ଚଳର ଚାଷୀମାନଙ୍କ ମନରେ ଉତ୍ସାହ ନାହିଁ। ଶହ ଶହ ଏକର ଜମିର ପାଚିଲା ଧାନ ଫସଲ ପ୍ରତି ମାଡ଼ି ଆସିଛି ବିପଦ। ଅମଳ ହାନି ଆଶଙ୍କାରେ ସମସ୍ତ ଚାଷୀ ବ୍ୟଥିତ। ପାଚିଲା ଧାନରେ ମାରାତ୍ମକ ‘ଫିମ୍ପିରୋଗ’କୁ ନେଇ ଏହି ଅଞ୍ଚଳର ଚାଷୀ ଚିନ୍ତାଗ୍ରସ୍ତ। ବଳଙ୍ଗାଠାରୁ ଆରମ୍ଭ କରି ନୂଆସନ୍ଥ, ଉଚ୍ଛୁପୁର, ବେରବୋଇ, କାଶିଆ, ବାୟାବର, ତେରହଳ, ଗୋପୀନାଥପୁର, ବ୍ରହ୍ମପିଡି, ମାଧିପୁର, ବଳରାମପୁରଗଡ, କେତକିପାଟଣା ଆଦି ଅଞ୍ଚଳରେ ସେହି ଗୋଟିଏ ପରିସ୍ଥିତି। ଯାହାକୁ ପଚାରିବ କିଏ ୨ ଏକର କହୁଛି ମୋର ଧାନ ଫସଲରେ ଫୁଲ ହୋଇଯାଇଛି ତ ଆଉକିଏ କହୁଛି ୫ ଏକର ଜମିର ପାଚିଲା ଧାନର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ପାଚିଲା ଧାନ କେଣ୍ତାରେ ଏହି ଫିମ୍ପି ବା ଫୁଲ ଯୋଗୁଁ ଧାନ ଅମଳ ପ୍ରଭାବିତ ହୋଇଥାଏ। କାରଣ ଫିମ୍ପି ଯୋଗୁଁ ଧାନକଟା ବେଳକୁ କେଣ୍ତାରୁ ଧାନ ଜମିରେ ଝଡ଼ିପଡ଼ିଥାଏ। ଯାହା କିଛି ଥାଏ ତାହା ଫିମ୍ପିପାଇଁ ବ୍ୟବହାର କିମ୍ବା ବିକ୍ରି ଅନୁପଯୋଗୀ ହୋଇଥାଏ।

ପୁରୁଖା ଚାଷୀଙ୍କ ମତରେ ପୂର୍ବରୁ କେତେବେଳେ କେମିତି ଡେରିରେ ଅମଳ ହେଉଥିବା ଦେଶୀ ଧାନରେ ଏହିରୋଗ ହେଉଥିଲା। କିନ୍ତୁ ଚଳିତ ବର୍ଷ ଫିମ୍ପି ରୋଗର ପ୍ରାର୍ଦୃଭାବ ଏତେ ଅଧିକ ଯେ କିଆରିର ଗୋଟିଏ ହେଲେ ଧାନ କେଣ୍ତା ଏଥିରୁ ବାଦ୍‌ ପଡିନାହିଁ। ଅନିୟମିତ ପାଣିପାଗ ଓ ଆର୍ଦ୍ରତା ପୂର୍ଣ୍ଣ ଜଳବାୟୁ ଯୋଗୁଁ ଏହି ରୋଗ ହୋଇଥାଏ।ଏହା ପାଇଁ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା ନାହିଁ। ଫଳରେ ଧାନ ଅମଳ ହ୍ରାସହେବା ନିଶ୍ଚିତ ହୋଇଯାଇଛି। ଅପର ପକ୍ଷେ ନିର୍ଦ୍ଧାରିତ ମାନ ନଥିବାରୁ ମଣ୍ତିରେ ମଧ୍ୟ ଏହି ଧାନ ବିକ୍ରି କରିହେବ ନାହିଁ। ଫଳରେ ଧାନ ଅମଳକୁ ନେଇ ଚାଷୀମାନେ ଚିନ୍ତାରେ ଥିବାବେଳେ ଫିମ୍ପି ରୋଗ ଚାଷୀଙ୍କ ମୁଣ୍ତରେ ଚଡକ ପକାଇଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe