Image Source: Zee News
ନୂଆଦିଲ୍ଲୀ : ରଥଯାତ୍ରା ବନ୍ଦ କରିବା ପାଇଁ ୧୮ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଜଗନ୍ନାଥପ୍ରେମୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ଉପରେ ପୁନଃବିଚାର ପାଇଁ କିଛି ବ୍ୟକ୍ତି ଏବଂ ସଂଗଠନ ପକ୍ଷରୁ ୧୭ଟି ପିଟିସନ ଦାଖଲ ହୋଇଛି। ଗତକାଲି ୫ଟି ପିଟିସନ ଦାଖଲ ହୋଇଥିବା ବେଳେ ଆଜି ଆଉ ୧୨ଟି ପିଟିସନ ଦାଖଲ କରାଯାଇଛି। ଅନ୍ୟ ସବୁଠି ରଥଯାତ୍ରା ବନ୍ଦ କରି ପୁରୀରେ ରଥଯାତ୍ରା କରିବାକୁ ଆଜି ମୋଡିଫିକେସନ୍ ପିଟିସନ ଦାଖଲ କରିଛନ୍ତି ବିଜୟ ପାଇକରାୟ, ରଘୁନାଥ ଗୋଛିକାର, ମୁକେଶ ଜୈନ ଓ ସଂଜୀବ କୁମାର ଚିନ୍ନାର। ସୁପ୍ରିମକୋର୍ଟର ଆଇନଜୀବୀ ପ୍ରଣୟ ମହାପାତ୍ରଙ୍କ ଜରିଆରେ ରୁଜୁ କରାଯାଇଥିବା ଦୁଇଟି ମୋଡିଫିକେସନ ପିଟିସନରେ ଆବଶ୍ୟକ ସ୍ଥଳେ ପୁରୀକୁ ସଟ୍ଡାଉନ୍ କରି ରଥଯାତ୍ରା କରିବାକୁ ଅନୁରୋଧ କରାଯାଇଛି। ରଥଯାତ୍ରାକୁ ନେଇ ଗତ ୧୮ ତାରିଖରେ ସୁପ୍ରିମକୋର୍ଟ ଶୁଣାଇ ଥିବା ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ଆବେଦନ ଦୁଇଟିରେ ଅନୁରୋଧ କରାଯାଇଛି।
ଗତକାଲି ନୟାଗଡ଼ ବାସିନ୍ଦା ଅଫତାବ ହୁସେନ୍, ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ, ଶ୍ରୀମନ୍ଦିର ଛତିଶାନିଯୋଗ ମୁଖ୍ୟ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଶ୍ରୀମନ୍ଦିର ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗା ଦାସ ମହାପାତ୍ର ତଥା ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ମହାସଂଘ ଅଧ୍ୟକ୍ଷ ଡ. ବଦ୍ରିନାଥ ପଟ୍ଟନାୟକଙ୍କ ଦ୍ବାରା ମାମଲା ଦାଏର କରାଯାଇଥିଲା। ରଥଯାତ୍ରାକୁ ଆଉ ମାତ୍ର ତିନିଦିନ ବାକି ରହିଥିବା ବେଳେ ନ୍ୟାୟିକ ହସ୍ତକ୍ଷେପ ଲୋଡ଼ିବା ପାଇଁ ଦାଖଲ କରାଯାଇଥିବା ପିଟିସନଗୁଡ଼ିକର କେବେ ଶୁଣାଣି ହେବ ସେ ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟରୂପେ କିଛି ଜଣାପଡ଼ି ନାହିଁ। ମୋଡିଫିକେସନ ପିଟିସନ ଖୋଲା କୋର୍ଟରେ ଶୁଣାଣି ହେବାର ବ୍ୟବସ୍ଥା ଥିବାବେଳେ ରିଭ୍ୟୁ ପିଟିସନ ବିଚାରପତିମାନେ ଚାମ୍ବରରେ ଶୁଣାଣି କରିଥାନ୍ତି। ଯେଉଁ ଖଣ୍ଡପୀଠଙ୍କ ଦ୍ବାରା ରାୟ ପ୍ରଦାନ କରାଯାଇଥିବ ସେହି ବେଞ୍ଚରେ ହିଁ ମୋଡିଫିକେସନ ପିଟିସନର ଶୁଣାଣି ହେବ। ଯଥଯାତ୍ରା ସମ୍ପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଆଜିଠାରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ ଅବକାଶରେ କିପରି ହେବ ତାହା ସବୁଠାରୁ ବଡ଼ ପ୍ରଶ୍ନ। ଗ୍ରୀଷ୍ମକାଳୀନ ଅବକାଶରେ ଅର୍ଥାତ ସୋମବାର ୨୨ ତାରିଖରୁ ଦୁଇଟି ଅବକାଶ (ଭାକେସନ୍) ବେଞ୍ଚ ଜରୁରୀ ମାମଲାଗୁଡ଼ିକର ଶୁଣାଣି କରିବେ। ବିଚାରପତି ଅରୁଣ ମିଶ୍ର ଓ ବିଚାରପତି ସଂଜୀବ ଖାନ୍ନାଙ୍କୁ ନେଇ ପ୍ରଥମ ଭାକେସନ ବେଞ୍ଚ ଓ ବିଚାରପତି ହେମନ୍ତ ଗୁପ୍ତା ଓ ବିଚାରପତି ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଦ୍ବିତୀୟ ଭାକେସନ ବେଞ୍ଚ ମାମଲାଗୁଡ଼ିକର ଶୁଣାଣି କରିବ।
ଅପରପକ୍ଷେରେ ଭାକେସନ ବେଞ୍ଚ ବସିବା ସତ୍ତ୍ବେ ଯଦି ରଥଯାତ୍ରା କରିବାକୁ ଦାଖଲ କରାଯାଇଥିବା ମୋଡିଫିକେସନ୍ ପିଟିସନକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଏ ତାହା ହେଲେ ପ୍ରଧାନ ବିଚାରପତି ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଯାହାଙ୍କ ଦ୍ବାରା ଜୁନ୍ ୧୮ରେ ରାୟ ପ୍ରଦାନ କରାଯାଇଥିଲା ସେହି ବେଞ୍ଚ ହିଁ ମାମଲାର ଶୁଣାଣି କରିବ। ଯଦି ମାମଲାର ଗୁରୁତ୍ବକୁ ବିଚାରପତି ହୃଦ୍ବୋଧ କରି ତୁରନ୍ତ ଶୁଣାଣି ପାଇଁ ରାଜି ହୁଅନ୍ତି, ଆସନ୍ତାକାଲି (ରବିବାର) ଶୁଣାଣି କରିପାରନ୍ତି। ପୂର୍ବରୁ ଏଭଳି କିଛି ଦୃଷ୍ଟାନ୍ତ ରହିଛି। ତେବେ ମାମଲାର ଶୁଣାଣି ସୋମବାର ହେବାର ଯଥେଷ୍ଟ ସମ୍ଭାବନା ରହିଛି।
Follow Us