କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦ୍ବାରା ପିଜିଆଇ ୨୦୧୯-୨୦ ଜାରି: ଓଡ଼ିଶାର ପ୍ରଦର୍ଶନରେ ଉନ୍ନତି

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦ୍ବାରା ପିଜିଆଇ ୨୦୧୯-୨୦ ଜାରି: ଓଡ଼ିଶାର ପ୍ରଦର୍ଶନରେ ଉନ୍ନତି

Jagran Josh

ଭୁବନେଶ୍ବର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କଙ୍କ ମଞ୍ଜୁରିକ୍ରମେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପାଇଁ ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ(ପିଜିଆଇ) ୨୦୧୯-୨୦ ଜାରି କରାଯାଇଛି। ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ କେନ୍ଦ୍ର ସରକାର ୭୦ଟି ମାନଦଣ୍ଡର ଏକ ସେଟ୍ ସହ ପ୍ରଦର୍ଶନ ମାନ୍ୟତା ସୂଚକାଙ୍କ ବା ପିଜିଆଇର ପ୍ରାରମ୍ଭ କରିଛନ୍ତି। ୨୦୧୯ରେ ପ୍ରଥମଥର ଲାଗି ୨୦୧୭-୧୮ ଶିକ୍ଷାବର୍ଷର ପ୍ରଦର୍ଶନକୁ ଆଧାର କରି ପ୍ରକାଶିତ ହୋଇଥିଲା। ଚଳିତଥର ତୃତୀୟ ଥର ଲାଗି ପିଜିଆଇ ପ୍ରକାଶ ପାଇଛି। ଯେଉଁଥିରେ ଓଡ଼ିଶାର ପ୍ରଦର୍ଶନରେ ଉନ୍ନତି ଘଟିଛି। ଭିତ୍ତିଭୂମି କ୍ଷେତ୍ରରେ ୨୦% ଓ ଇକ୍ୟୁଟି କ୍ଷେତ୍ରରେ ୧୦% ସୁଧାର ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

୨୦୧୯-୨୦ ଶିକ୍ଷାବର୍ଷ ଲାଗି ପଞ୍ଜାବ, ଚଣ୍ଡୀଗଡ଼, ତାମିଲନାଡ଼ୁ, ଆଣ୍ଡାମାନ ଓ ନିକୋବର ଦ୍ବୀପସମୂହ ଓ କେରଳ ସର୍ବୋଚ୍ଚ ଗ୍ରେଡ(ଏ++) ମିଳିଛି। ପୂର୍ବବର୍ଷ ତୁଳନାରେ ଅଧିକାଂଶ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ନିଜର ଗ୍ରେଡିଂରେ ସୁଧାର ଆଣିପାରିଛନ୍ତି। ଆଣ୍ଡାମାନ ଓ ନିକୋବର ଦ୍ବୀପସମୂହ, ଅରୁଣାଚଳ ପ୍ରଦେଶ, ମଣିପୁର, ପୁଡୁଚେରୀ, ପଞ୍ଜାବ ଓ ତାମିଲନାଡ଼ୁ ସାମଗ୍ରିକ ପିଜିଆଇ ସ୍କୋରରେ ୧୦%ସୁଧାର କରିପାରିଛନ୍ତି, ଅର୍ଥାତ୍‌ ଶହେ କିମ୍ବା ତା’ଠାରୁ ଅଧିକ ପଏଣ୍ଟ ହାସଲ କରିଛନ୍ତି। ପିଜିଆଇର କାର୍ଯ୍ୟକ୍ଷେତ୍ର(ଡୋମେନ) ଆକ୍ସେସ କ୍ଷେତ୍ରରେ ଆଣ୍ଡାମାନ ଓ ନିକୋବର ଦ୍ବୀପସମୂହ, ଲାକ୍ଷାଦ୍ବୀପ ଓ ପଞ୍ଜାବ ୧୦% (୮ପଏଣ୍ଟ) କିମ୍ବା ଅଧିକ ସୁଧାର ଆଣିପାରିଛନ୍ତି।

ପିଜିଆଇର ଭିତ୍ତିଭୂମି ଓ ସୁବିଧା ଡୋମେନ୍‌ରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ୧୦%(୧୫ ପଏଣ୍ଟ) କିମ୍ବା ତା’ଠାରୁ ଅଧିକ ସୁଧାର ପ୍ରଦର୍ଶନ କରିଛନ୍ତି। ଆଣ୍ଡାମାନ ଓ ନିକୋବର ଦ୍ବୀପସମୂହ ଏବଂ ଓଡ଼ିଶା ୨୦% କିମ୍ବା ତା’ଠାରୁ ଅଧିକ ପ୍ରଦର୍ଶନରେ ସୁଧାର ଆଣିପାରିଛନ୍ତି। ପିଜିଆଇର ଇକ୍ୟୁଟି ଡୋମେନରେ ଅରୁଣାଚଳ ପ୍ରଦେଶ, ମଣିପୁର ଓ ଓଡ଼ିଶା ୧୦% ପ୍ରଦର୍ଶନ ସୁଧାର କରିଛନ୍ତି। ପିଜିଆଇର ଡୋମେନ ଗର୍ଭନାନ୍ସ ପ୍ରୋସେସରେ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ୧୦%(୩୬ ପଏଣ୍ଟ) କିମ୍ବା ଏହାଠାରୁ ଅଧିକ ପ୍ରଦର୍ଶନ ସୁଧାର କରିପାରିଛନ୍ତି। ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ମଣିପୁର, ପଞ୍ଜାବ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ଅତି କମ୍‌ରେ ୨୦%(୭୨ ପଏଣ୍ଟ କିମ୍ବା ଅଧିକ) ସୁଧାର ପ୍ରଦର୍ଶନ କରିଛନ୍ତି।

ପିଜିଆଇ ମାଧ୍ୟମରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କୁ ବହୁମୁଖୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ଲାଗି ଅନୁପ୍ରାଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଫଳରେ ବହୁ ବଞ୍ଚିତ ସର୍ବୋତ୍କୃଷ୍ଟ ଶିକ୍ଷା ପରିଣାମ ହାସଲ କରାଯାଇପାରିବ। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକରେ ଶିକ୍ଷା କ୍ଷେତ୍ରରେ ରହିଥିବା ଅଭାବ ଅସୁବିଧାକୁ ଦର୍ଶାଇବାରେ ପିଜିଆଇ ସହାୟକ ହେବ। ସେହି ଅନୁଯାୟୀ କାର୍ଯ୍ୟକ୍ରମର ବିଭିନ୍ନ କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ। ଫଳସ୍ବରୂପ ବିଦ୍ୟାଳୟ ଶିକ୍ଷାପ୍ରଣାଳୀର ସମସ୍ତ ସ୍ତରକୁ ମଜଭୁତ କରାଯିବା ସୁନିଶ୍ଚିତ ହୋଇପାରିବ ବୋଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe