ଜନସ୍ୱାସ୍ଥ୍ୟ ବିଭାଗ ପାଇପ୍‌ କିଣାରେ ଦୁର୍ନୀତି : ଦୁଇ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

Advertisment
ଜନସ୍ୱାସ୍ଥ୍ୟ ବିଭାଗ ପାଇପ୍‌ କିଣାରେ ଦୁର୍ନୀତି : ଦୁଇ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ୱର : ଅମୃତ ଯୋଜନାରେ ସହରାଞ୍ଚଳରେ ପ୍ରତି ଘରକୁ ପାଇପ୍‌ ପାଣି ଯୋଗାଣ ପାଇଁ ସରକାର ଯୋଜନା କରିଛନ୍ତି। ଏଥିପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କାର ପାଇପ୍‌ କିଣା ହେଉଛି। ଏହି ପାଇପ୍‌ କିଣାରେ ବଡ଼ ଧରଣ ଦୁର୍ନୀତି ଏବେ ଧରା ପଡ଼ିଛି। ସରକାରୀ ନିୟମକୁ ଅବମାନନା କରି ବେଆଇନ୍‌ ଭାବେ ପାଇପ୍‌ କିଣିଥିବାରୁ ଜନସ୍ୱାସ୍ଥ୍ୟ ବିଭାଗର ଦୁଇ ଜଣ ନିର୍ବାହୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଜନସ୍ୱାସ୍ଥ୍ୟ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଦୟାନିଧି ସାମଲ ପ୍ରାୟ ୪୦ଲକ୍ଷ ଟଙ୍କାର ପାଇପ୍‌ ଏକ ସ୍ଥାନୀୟ ସଂସ୍ଥା ଠାରୁ କିଣିଛନ୍ତି। ଯେତେବେଳେକି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ୍‌ କିଣିବା ପାଇଁ ୪ଟି ପାଇପ୍‌ ଉତ୍ପାଦନକାରୀ ସଂସ୍ଥାକୁ ବଛାଯାଇଛି। ନିର୍ବାହୀ ଯନ୍ତ୍ରୀ ବେଆଇନ ଭାବେ ପାଇପ୍‌ କିଣିଥିବା ଜଣାପଡ଼ିବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ଶ୍ରୀ ସାମଲ ଏହି ପାଇପ୍‌ କିଣିବା ପାଇଁ ଭବାନିପାଟଣା ଅଧୀକ୍ଷଣ ଯନ୍ତ୍ରୀଙ୍କ ଠାରୁ ଅନୁମତି ଆଣି ପାଇପ୍‌ କିଣିଥିଲେ ହେଁ ଅଧୀକ୍ଷଣ ଯନ୍ତ୍ରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି।
ଅପରପକ୍ଷେ ବଲାଙ୍ଗୀର ଡିଭିଜନର ନିର୍ବାହୀ ଯନ୍ତ୍ରୀ ରତ୍ନାକର ଜେନା ଏକ ସ୍ଥାନୀୟ ସଂସ୍ଥା ଠାରୁ ୩କୋଟି ୮୦ଲକ୍ଷ ଟଙ୍କାର ପାଇପ୍‌ କିଣିବା ପାଇଁ ଅର୍ଡର ଦେଇଥିବା ଜଣାପଡ଼ିବା ପରେ ତାଙ୍କୁ ମଧ୍ୟ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଏହାସହ ପାଇପ୍‌ କିଣା ଅର୍ଡରକୁ ରଦ୍ଦ କରାଯାଇଛି।

ଜନସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ଦୁଇଟି ଡିଭିଜନରେ ପାଇପ କିଣାରେ ଦୁର୍ନୀତି ହୋଇଥିବା ଜଣାପଡ଼ିବା ପରେ ଏବେ ଅନ୍ୟ ସମସ୍ତ ଡିଭିଜନର ପାଇପ୍‌ କିଣା ରିପୋର୍ଟ ଯାଞ୍ଚ ହେବ। ଯଦି କେହି ବେଆଇନ ଭାବେ ପାଇପ୍‌ କିଣିଥିବେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe