ଫାଇଲିନ୍‌ କ୍ଷତିଗ୍ରସ୍ତଙ୍କ ବ୍ରହ୍ମଗିରି ଥାନା ଘେରାଉ

Advertisment

ଗୃହ ନିର୍ମାଣ ସହାୟତା ଦାବିରେ ଆନ୍ଦୋଳନ

ଗୃହ ନିର୍ମାଣ ସହାୟତା ଦାବିରେ ଆନ୍ଦୋଳନ

ଫାଇଲିନ୍‌ କ୍ଷତିଗ୍ରସ୍ତଙ୍କ ବ୍ରହ୍ମଗିରି ଥାନା ଘେରାଉ

ପୁରୀ-ସାତପଡ଼ା ରାସ୍ତାରେ ବସିଲେ ଆନ୍ଦୋଳନକାରୀ
ପୁଲିସ୍‌ ସହ ଧସ୍ତାଧସ୍ତି, ୩ ଆହତ

ବ୍ରହ୍ମଗିରି : ଫାଇଲିନ୍‌ ବାତ୍ୟାରେ ନିଜର ଘର ହରାଇ ଦୀର୍ଘ ଚାରି ବର୍ଷ ହେଲା ଲୋକେ ପଲିଥିନ୍‌ ତଳେ ମୁଣ୍ଡ ଗୁଞ୍ଜି ରହୁଛନ୍ତି। ସରକାର କ୍ଷତିଗ୍ରସ୍ତଙ୍କୁ ବିଶ୍ୱବ୍ୟାଙ୍କ ସହାୟତାରେ ଓଡିଆର୍‌ପି ଯୋଜନାରେ ପକ୍କା ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଚାରି ବର୍ଷ ପରେ ମଧ୍ୟ ପ୍ରତିଶ୍ରୁତି ପୂରଣ ନ ହେବାରୁ ଆଜି ପୁରୀ ଜିଲ୍ଲା ଫାଇଲିନ୍‌ ପ୍ରପୀଡ଼ିତ କ୍ରିୟାନୁଷ୍ଠାନ କମିଟିର ଜେଲ୍‌ଭରୋ ଆନ୍ଦୋଳନ ଆରମ୍ଭ ହୋଇଛି। ସକାଳ ଆଠଟାରୁ ପୁରୀ-ସାତପଡ଼ା ରାଜପଥର ବ୍ରହ୍ମଗିରି ବ୍ଲକ୍‌ ସାମ୍‌ନା ଓ ପଣସପଦା ଛକଠାରେ ରାସ୍ତା ଅବରୋଧ କରି ବସି ରହିଥିଲେ ହଜାର ହଜାର କ୍ଷତିଗ୍ରସ୍ତ। ଫଳରେ ପୁରୀ-ସାତପଡ଼ା ରାଜପଥରେ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା। ଅପରାହ୍ନ ଦୁଇଟାରେ ପୁଲିସ କେତେଜଣ ରାସ୍ତା ଅବରୋଧକାରୀଙ୍କୁ ଉଠାଇ ନେଇଥିଲା। ଏହା ପରେ ଆନ୍ଦୋଳନକାରୀ ଥାନା ଆଗରେ ରାଜପଥକୁ ଅବରୋଧ କରି ବସି ରହିଥିଲେ। ରାସ୍ତା ଅବରୋଧ ହଟାଇବା ସମୟରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସଂଧ୍ୟା ସାତଟା ପର୍ଯ୍ୟନ୍ତ ବ୍ରହ୍ମଗିରି ଥାନାକୁ ଲୋକେ ଘେରି ରହିଥବାବେଳେ ପୁଲିସ ମାଡ଼ରେ ତିନି ଜଣ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଆନ୍ଦୋଳନକାରୀଙ୍କ ସହିତ ଜିଲ୍ଲା ପ୍ରଶାସନର ଏକ ବୈଠକ ପାଇଁ ଆସନ୍ତା ୨୦ ତାରିଖ ଦିନ ଧାର୍ଯ୍ୟ କରାଯିବା ପରେ ରାତି ୮ଟା ଳେକୁ ରାସ୍ତା ଅବରୋଧ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe