ଡାକ୍ତର-ଫାର୍ମାସିଷ୍ଟ ପାଟିତୁଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ, ନ୍ୟାୟ ଦାବି କଲା ଫାର୍ମାସିଷ୍ଟ ମହାସଂଘ

ଡାକ୍ତର-ଫାର୍ମାସିଷ୍ଟ ପାଟିତୁଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ, ନ୍ୟାୟ ଦାବି କଲା ଫାର୍ମାସିଷ୍ଟ ମହାସଂଘ

ସମ୍ବଲପୁର: ବୁର୍ଲା ବଡ଼ ଡାକ୍ତରଖାନା ନିରାମୟ କେନ୍ଦ୍ରରେ ବୁଧବାର ହୋଇଥିବା ଡାକ୍ତର-ଫାର୍ମାସିଷ୍ଟ ଗଣ୍ଡଗୋଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭିମ୍‌ସାର୍‌ ନିର୍ଦ୍ଦେଶକ। ଏନେଇ ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ ମହିଳା ଫାର୍ମାସିଷ୍ଟ ତେଜସ୍ବିନୀ ରଣାଙ୍କ ଅଭିଯୋଗ ଓ ଭାଇରାଲ୍ ହୋଇଥିବା ଗଣ୍ଡଗୋଳର ଭିଡିଓ ଆଧାରରେ ଏହି ତଦନ୍ତ ଆଦେଶ ଦିଆଯାଇଛି। ତଦନ୍ତରେ ଉଭୟ ପକ୍ଷକୁ ଶୁଣିବା ପରେ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭିମସାର୍‌ ଅଧୀକ୍ଷକ ପ୍ର. ଲାଲ୍‌ମୋହନ ନାୟକ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଏହି ଘଟଣାରେ ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ ଫାର୍ମାସିଷ୍ଟ ତେଜସ୍ବିନୀ ଏବଂ ମାନସ ରଂଜନ ପତିଙ୍କ ଅଭିଯୋଗ ଆଧାରେ ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ଭିମସାର୍‌ ବୁର୍ଲା ଶାଖା ତରଫରୁ ମଧ୍ୟ ଅଧୀକ୍ଷକଙ୍କୁ ଲିଖିତ ଅଭିଯୋଗ କରାଯାଇଛି। ସଂପୃକ୍ତ ଡାକ୍ତର କାର୍ଯ୍ୟରତ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବାରୁ ତୁରନ୍ତ ଏକ ତଦନ୍ତ କମିଟି ଗଠନ କରି ଘଟଣାର ଯାଞ୍ଚ କରାଯାଉ ବୋଲି ସଂଘ ଦାବି କରିଛି। ଅପରପକ୍ଷରେ ଓଡ଼ିଶା ଫାର୍ମାସିଷ୍ଟ ମହାସଂଘ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛି। ଫାର୍ମାସିଷ୍ଟଙ୍କୁ ନ୍ୟାୟ ନମିଳିଲେ ଓଡ଼ିଶାର ୬୫ ହଜାର ଫାର୍ମାସି ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମହାସଂଘର ସଭାପତି ଦୀପ୍ତିରଂଜନ ସ୍ବାଇଁ ଏବଂ ସଂପାଦକ ସବ୍ୟସାଚୀ ପଣ୍ଡା ଏକ ପ୍ରେସ୍ ବିବୃତିରେ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ବୁର୍ଲା ଓପିଡିରେ ଥିବା ନିରାମୟ କେନ୍ଦ୍ରରେ ଔଷଧ ଦେବାରେ ବିଳମ୍ବ ହେବାକୁ ନେଇ ଫାର୍ମାସିଷ୍ଟ ତେଜସ୍ବିନୀ ଏବଂ ଏସ୍‌ପିଏମ୍ ବିଭାଗର ବରିଷ୍ଠ ଆବାସିକ ଡାକ୍ତର ଅଭିଷେକଙ୍କ ମଧ୍ୟରେ ହୋଇଥିବା ପାଟିତୁଣ୍ଡର ଏକ ଭିଡିଓ ବୁଧବାର ଭାଇରାଲ ହୋଇଥିଲା। ଓପିଡିରେ ଥିବା ଉକ୍ତ ନିରାମୟ କେନ୍ଦ୍ରରେ ଔଷଧ ନେବାକୁ ରୋଗୀମାନେ ଲାଇନରେ ଛିଡ଼ା ହୋଇଥିବା ବେଳେ ଉକ୍ତ ଡାକ୍ତର ସେଠାରେ ପହଞ୍ଚି ତାଙ୍କୁ ତୁରନ୍ତ ଔଷଧ ଦେବାକୁ କହିଥିଲେ। କର୍ମଚାରୀ ଜଣକ ଅନ୍ୟ ରୋଗୀଙ୍କୁ ଔଷଧ ଦେବାରେ ବ୍ୟସ୍ତ ଥିବାରୁ ଡାକ୍ତରଙ୍କୁ ଦେବାରେ ବିଳମ୍ବ ହୋଇଥିଲା। ଫଳରେ ଡାକ୍ତର ରାଗି ଯାଇଥିଲେ ଓ ଉଭୟଙ୍କ ମଧ୍ୟରେ ବାକଯୁଦ୍ଧ ଚାଲିଥିଲା ଯାହା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି। ମହିଳା କର୍ମଚାରୀ ତେଜସ୍ବିନୀ ରୋଗୀଙ୍କ ପାଇଁ ଡାକ୍ତରଖାନା ବୋଲି କହୁଥିବା ବେଳେ ଡାକ୍ତରଙ୍କ ପାଇଁ ଡାକ୍ତରଖାନା ବୋଲି ସଂପୃକ୍ତ ଡାକ୍ତର କହୁଥିବା ଭିଡିଓରୁ ଶୁଣିବାକୁ ମିଳୁଛି। ଅପରପକ୍ଷରେ ଇଣ୍ଡୋର ବିଭାଗରେ ଯେଭଳି କର୍ମଚାରୀଙ୍କ ପାଇଁ ନିରାମୟ କେନ୍ଦ୍ର ଅଛି ଓପିଡିରେ ମଧ୍ୟ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର କେନ୍ଦ୍ର ଖୋଲାଯିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe