The News Minute
କର୍ଣ୍ଣାଟକରେ କଂଗ୍ରେସର ବିଜୟ ଦଳର ପୁରୁଣା ଗୌରବକୁ ଫେରାଇ ଆଣିଛି। ଆସନ୍ତା ୨୦୨୪ ନିର୍ବାଚନରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ତେବେ ଏହାର ଶ୍ରେୟ ନିହାତି ଭାବେ ରାହୁଲଙ୍କୁ ଦେବାକୁ ପଡ଼ିବ। ତାଙ୍କର ଭାରତ ଯୋଡ଼ୋ ଅଭିଯାନ ଦେଶବାସୀଙ୍କୁ ପ୍ରଭାବିତ କରିଛି। ସେ ହିଁ ଦେଶର ପ୍ରକୃତ ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଆଣୁଛନ୍ତି। ସାହସର ସହ ନିରାଟ ସତ କଥା କହି ମୋଦୀ ସରକାରଙ୍କୁ ଅକଳରେ ପକାଉଛନ୍ତି। ସେଥିପାଇଁ ବିଜେପି ତାଙ୍କ ପଛରେ ଲାଗିଛି। ପ୍ରତି କଥାରେ ତାଙ୍କୁ ନିନ୍ଦା କରିବା ସହ ଜେଲ୍ ପଠାଇବା ଭଳି ଷଡ଼ଯନ୍ତ୍ର ରଚିଛି। ଏକଥାକୁ ବି ଲୋକ ଭଲ ଭାବେ ବୁଝୁଛନ୍ତି। ତେଣୁ ବିଜେପି ଭଳି ଅନ୍ୟ ଆଞ୍ଚଳିକ ଦଳର ଯେଉଁ ନେତାମାନେ ତାଙ୍କୁ ଥଟ୍ଟା ପରିହାସ କରୁଥିଲେ ବା ଗୁରୁତ୍ବ ଦେଉନଥିଲେ, କର୍ଣ୍ଣାଟକର ବିଜୟ ପରେ ସେମାନେ ରାହୁଲଙ୍କ ପ୍ରତି ନିଜ ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ‘ସମ୍ବାଦ’ ଫୋନ୍-ଇନ୍-ପ୍ଲିଜ୍ର ଚଳିତ ଥରର ପ୍ରସଙ୍ଗ ‘କର୍ଣ୍ଣାଟକ ଫଳ ପରେ ରାହୁଲଙ୍କୁ ମୋଦୀଙ୍କ ପ୍ରମୁଖ ବିକଳ୍ପ ଭାବେ ନୀତୀଶ-ମମତା-କେଜ୍ରିୱାଲ ଓଗେର୍ ସ୍ୱୀକାର କରିବେ’ରେ ଭାଗ ନେଇଥିବା ଯାଜପୁର ଅଞ୍ଚଳର ଅଧିକାଂଶ ପାଠକ ଏପରି ମତ ଦେଇଛନ୍ତି।
ହିନ୍ଦୁତ୍ବକୁ ନେଇ ଧ୍ରୁବୀକରଣ ରାଜନୀତି ଫେଲ୍ ମାରିଛି। କର୍ଣ୍ଣାଟକ ବିଜୟର ଶ୍ରେୟ ସାମଗ୍ରିକ ଭାବରେ କଂଗ୍ରେସ ଦଳ ଏବଂ ଏହାର ନେତା ତଥା ଭାରତ ଯୋଡ଼ ଯାତ୍ରାର ସଫଳ ନାୟକ ରାହୁଲ ଗାନ୍ଧିଙ୍କୁ ହିଁ ଯିବ। ସମ୍ମିଳିତ ଲଢ଼େଇ କଂଗ୍ରେସର ବିଜୟ ପାଇଁ ସଂଜୀବନୀ ସାଜିଛି। ଦେଖିବାର କଥା ଆଗାମୀ ୪ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ଆସନ୍ତା ଲୋକସଭା ନିର୍ବାଚନରେ ଏହି ସଫଳତା କଂଗ୍ରେସ ଦୋହରାଇ ପାରୁଛି କି ନାହିଁ! ଯଦି ସଫଳତା ମିଳେ ତେବେ ରାହୁଲ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବିବାଦୀୟ ନେତା ହୋଇପାରିବେ। କିନ୍ତୁ ରାହୁଲଙ୍କୁ ମୋଦୀଙ୍କ ବିକଳ୍ପ ଭାବେ ସାଂପ୍ରତିକ ରାଜନୀତିକ ପରିବେଶରେ କେହି ସ୍ବୀକାର କରିବା ସ୍ଥିତିରେ ନାହାନ୍ତି। ତଥାକଥିତ ତୃତୀୟ ସାମ୍ମୁଖ୍ୟ ଯଦି ଗଠିତ ହୁଏ ତାହେଲେ ହୁଏତ ଏହା ସମ୍ଭବ ହେବ। କଂଗ୍ରେସକୁ ବାଦ୍ ଦେଇ ତୃତୀୟ ସାମ୍ମୁଖ୍ୟ ଗଠନ ହେବା ଆଶା ବହୁତ କ୍ଷୀଣ। କଂଗ୍ରେସ ଦଳ ଭିତରେ ରାହୁଲଙ୍କ ପ୍ରତିଦ୍ବନ୍ଦ୍ବୀ କେହି ନାହାନ୍ତି ସତ। ହେଲେ ସମସ୍ତ ବିରୋଧୀଙ୍କୁ ଏକାଠିକରି ବିଧାନସଭା ଓ ଲୋକସଭା ନିର୍ବାଚନରେ ସଫଳତା ହାସଲ କଲେ ଯାଇ ଏହା ସମ୍ଭବ ହେବ।
-ଅରୁଣ କୁମାର ଦାସ, କାଶିପୁର, କେନ୍ଦୁଝର
କର୍ଣ୍ଣାଟକ ନିର୍ବାଚନ ଫଳ ପରେ ରାହୁଲଙ୍କୁ ମୋଦୀଙ୍କ ପ୍ରମୁଖ ବିକଳ୍ପ ଭାବେ ନୀତୀଶ-ମମତା-କେଜ୍ରିୱାଲ ସ୍ବୀକାର କରିବେ ନାହିଁ। କଂଗ୍ରେସ ବିନା କେନ୍ଦ୍ରରେ ସରକାର ଗଠନ ହୋଇପାରିବ ନାହିଁ। ମୋଦୀଙ୍କୁ ହଟାଇବାକୁ ହେଲେ କଂଗ୍ରେସ ଓ ସବୁ ବିରୋଧୀଦଳ ଏକାଠି ହେବାକୁ ପଡ଼ିବ। ବର୍ତ୍ତମାନ ସବୁ ଦଳ ଏକାଠି ହେବାର ସମୟ ଆସିଛି। ଆଗକୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ​ଅଛି। ଏଥିରେ ସଫଳତା ପାଇବାକୁ ହେଲେ କଂଗ୍ରେସ ଓ ସବୁ ବିରୋଧୀଦଳ ଏକାଠି ହେବା ଦରକାର। ଏହା ହେଲେ ଯାଇ ବିଜେପିର ଅନ୍ତ ଘଟିବ। ତୃତୀୟ ସାମ୍ମୁଖ୍ୟ ଗଠନର ଆବଶ୍ୟକତା ନାହିଁ।
-ବୁଲୁ ପଟ୍ଟନାୟକ, ଘସିପୁରା, କେନ୍ଦୁଝର
କଂଗ୍ରେସ ବିନା ତୃତୀୟ ସାମ୍ମୁଖ୍ୟ ଗଠନ ହୋଇପାରିବ ନାହିଁ।
-ଦେବରାଜ ସାହୁ, ବାରିଗାଁ, ଆନନ୍ଦପୁର
କର୍ଣ୍ଣାଟକରେ କଂଗ୍ରେସର ବିଜୟ ନିଶ୍ଚିତ ରୂପେ ମୋଦୀଙ୍କୁ ପ୍ରଭାବିତ କରିପାରେ। ନୀତୀଶ-ମମତା-କେଜ୍ରିୱାଲ ଓ ଅନ୍ୟ ଆଶାୟୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ମଧ୍ୟରେ ଏହି ରାଜନୈତିକ ପରିବର୍ତ୍ତନର ଫଳାଫଳ ଉଦ୍ବେଳନ ସୃଷ୍ଟି କରିପାରେ। ରାହୁଲଙ୍କ ଲୋକାପ୍ରିୟତା ବୃଦ୍ଧିର ଏହା ଉଦାହରଣ। ମାତ୍ର ଆଗାମୀ ନିର୍ବାଚନରେ କେନ୍ଦ୍ରରେ ବିଜେପି ସଂଖ୍ୟାଗରିଷ୍ଠତା ସହ ଆସିବା ସୁନିଶ୍ଚିତ।
-ବିଶ୍ବଜିତ ଶତପଥୀ, ଛାମୁଣ୍ଡା, ତେଲକୋଇ
ରାହୁଲ ଗାନ୍ଧୀ କଂଗ୍ରେସ ଦଳକୁ ସଜାଡ଼ିବାରେ ଲାଗିଛନ୍ତି। ଭାରତ ଯୋଡ଼ ଯାତ୍ରା ଦ୍ବାରା ସେ ନିଜର ପ୍ରଭାବ ବିସ୍ତାର କରିଛନ୍ତି। ଯେଉଁଥିପାଇଁ କଂଗ୍ରେସ କର୍ଣ୍ଣାଟକରେ ବିଜେପିକୁ ଧରାଶାୟୀ କରିଛି। ନିଶ୍ଚିତ ଭାବେ ସେ ମୋଦୀଙ୍କ ବିକଳ୍ପ ଭାବେ ଉଭା ହେବେ। ଅନେକ ନେତା ତାଙ୍କୁ ସମର୍ଥନ କରିବେ।
-ସୁରଞ୍ଜନ ରାଉତ, ଯାଜପୁର ଟାଉନ୍
Follow Us