India Posts English
ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶହ ଶହ ଯାତ୍ରୀଙ୍କ ମୃତଦେହ ସ୍ଥାନୀୟ ଏକ ସ୍କୁଲରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ସେହି ସ୍କୁଲରେ ଭୂତ-ପ୍ରେତ ବାସ କରିବା ଭଳି ଅନ୍ଧବିଶ୍ବାସକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା। ସରକାର ଲୋକଙ୍କୁ ସଚେତନ କରିବା ପରିବର୍ତ୍ତେ ସେହି ସ୍କୁଲ ଘର ଭାଙ୍ଗି ସେଠାରେ ନୂତନ କୋଠା ନିର୍ମାଣ କରୁଛନ୍ତି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମଠୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ଦୃଢ଼ ବିରୋଧ କରାଯାଇଛି। ଏହା କରିବା ଦ୍ବାରା ସରକାର ଅନ୍ଧବିଶ୍ବାସକୁ ପ୍ରୋତ୍ସାହନ ଦେଉଥିବା କହି ଲୋକମାନେ ସରକାରଙ୍କୁ ସମାଲୋଚନା କରିଛନ୍ତି। ଚଳିତଥର ‘ସମ୍ବାଦ’ ଫୋନ୍-ଇନ୍-ପ୍ଲିଜ୍ ପ୍ରସଙ୍ଗ ‘ବାହାନଗା ହାଇସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ ଛଡ଼ା ଅନ୍ୟ କିଛି ନୁହେଁ’ରେ ଯାଜପୁର ସଂସ୍କରଣର ପାଠକ ଏଭଳି ମତ ଦେଇଛନ୍ତି।
ବାହାନଗା ହାଇସ୍କୁଲ ଭାଙ୍ଗିବା ଉଚିତ ନଥିଲା। ଏହା ଏକ ଅନ୍ଧବିଶ୍ବାସ। ରେଳ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଯାତ୍ରୀଙ୍କୁ ଆଶ୍ରୟ ଦେଇ ବାହାନଗା ହାଇସ୍କୁଲ ଗୌରାବାନ୍ବିତ ହୋଇଛି। ଏଥିପାଇଁ ସ୍କୁଲକୁ ପୁରସ୍କାର ଦେବା ଉଚିତ। ବାହାନଗା ହାଇସ୍କୁଲ ଭାଙ୍ଗିବା ପରେ ସରକାର ନୂତନ ସ୍କୁଲ ଘର ତିଆରି କରିବା ଉଚିତ।
ବୁଲୁ ପଟ୍ଟନାୟକ, ଘସିପୁରା, କେନ୍ଦୁଝର
ବାହାନଗା ହାଇସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ ଛଡ଼ା କିଛି ନୁହେଁ। ଘରେ କୌଣସି ଲୋକଙ୍କ ମୃତ୍ୟୁ ହେଲେ କଣ ଘର ଭଙ୍ଗାଯାଉଛି କି?
ଅର୍ଜୁନ ଚରଣ ସାହୁ, ଯାଜପୁର
ଆମେ ଆମ ପିଲାଙ୍କୁ ବିନା କାରଣରେ ଡରୁଆ କରିଦେଉଛୁ। ସରକାର ଏମିତି କରିବା ଠିକ୍ ନଥିଲା। ସ୍କୁଲ ଭାଙ୍ଗିବା ଆଦୌ ଠିକ୍ ନୁହେଁ।
ସରୋଜ ରଂଜନ ଦାଶ, ଯାଜପୁର
ଯନ୍ତ୍ର ଯୁଗରେ ମନ୍ତ୍ର କିଛି ସ୍ଥାନରେ କାମ କରେ। ଆଧୁନିକ ଯୁଗରେ ଭୌତିକ କାରଣ ମଧ୍ୟ କିଛି ରହୁଛି। ବାହାନଗା ହାଇସ୍କୁଲରେ ସେଭଳି କିଛି ଭୌତିକ କାଣ୍ଡ ଘଟିଥାଇ ପାରେ। ଏଭଳି ସ୍ଥିତିରେ ସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ ନୁହେଁ।
ମାନସ କୁମାର ଭଦ୍ର, ବିଂଝାରପୁର
ବାହାନଗା ହାଇସ୍କୁଲ ଭାଙ୍ଗିବା ଉଚିତ ପଦକ୍ଷେପ। କାରଣ ଉକ୍ତ ସ୍କୁଲ ଘରେ ଟ୍ରେନ୍ ଦୁର୍ଘଟଣା ପରେ ଶବ ରଖାଯାଇଥିବାରୁ ଏହା ଛୋଟପିଲାଙ୍କ ମନରେ ଭୟ ସୃଷ୍ଟି କରିଥିଲା। ସେମାନଙ୍କ ମନରୁ ଭୟ ହଟାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଦେବାଶିଷ ସିଅ, ଯାଜପୁର
ଭୟଙ୍କର ରେଳ ଦୁର୍ଘଟଣା ପରେ ରଖାଯାଇଥିବା ବାହାନଗା ହାଇସ୍କୁଲକୁ ଭାଙ୍ଗିବା ଆଦୌ ଅନ୍ଧବିଶ୍ବାସ ନୁହେଁ। ସାରା ଓଡ଼ିଶାରେ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ ଚଲୁଛି। ଛାତ୍ର, ଶିକ୍ଷକ ଓ ଅଭିଭାବକଙ୍କ ମାନସିକ ଭାବାବେଗକୁ ସମ୍ମାନ ଜଣାଇ ବିଦ୍ୟାଳୟ ରୂପାନ୍ତରଣ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ।
ପ୍ରମୋଦ କୁମାର ସାହୁ, କେନ୍ଦ୍ରାପଡ଼ା
ଭୂତ, ପ୍ରେତ ବୋଲି କିଛି ନାହିଁ। ଏସବୁ ଅନ୍ଧବିଶ୍ବାସ। ଏତେ ସଂଖ୍ୟାରେ ଲୋକଙ୍କ ମୃତଦେହ ଦେଖି ଲୋକେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି। ଏଥିପାଇଁ ସ୍କୁଲ ଭାଙ୍ଗିବା ଆଦୌ ଯୁକ୍ତିଯୁକ୍ତ ନୁହେଁ।
ଗୌରାଙ୍ଗ ଚରଣ କର, ଯାଜପୁର
ବାହାନଗା ହାଇସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ ଛଡ଼ା କିଛି ନୁହେଁ। ଘରେ ମୃତଦେହ ରଖିଲେ କଣ ଭୂତ ରହିବ କି?
ଅର୍ଜୁନ ଚରଣ ସାମଲ, ଯାଜପୁର
ବିଦ୍ୟାଳୟରେ ପିଲାମାନେ ଦିନରେ ପାଠ ପଢ଼ୁଛନ୍ତି, ରାତିରେ ନୁହେଁ। ଭୂତ କଣ ଦିନରେ ବାହାରନ୍ତି? ଭୂତ ବୋଲି କିଛି ନାହିଁ। ସବୁ ଅନ୍ଧବିଶ୍ବାସ। ସ୍କୁଲ ଭାଙ୍ଗିବାର କୌଣସି ଆବଶ୍ୟକତା ନଥିଲା।
ବିଶ୍ବଭୂଷଣ ଜେନା, ଯାଜପୁର
ବାହାନଗା ସ୍କୁଲ ଭାଙ୍ଗିବା ଉଚିତ ନଥିଲା। ଅନ୍ଧବିଶ୍ବାସ ପାଇଁ ସରକାରୀ ତହବିଲରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେବ।
ଦେବବ୍ରତ ପାଢ଼ୀ, କେନ୍ଦୁଝର
ବାହାନଗା ସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ। ଭୂତ, ପ୍ରେତ ଭୟରେ ସ୍କୁଲ ଭାଙ୍ଗିବା ଠିକ୍ ନୁହେଁ। ସଫାସଫି କରି ସ୍କୁଲ ଖୋଲିଥିଲେ ଭଲ ହୋଇଥାନ୍ତା।
ପଦ୍ମଲୋଚନ ମହାନ୍ତି, ଯାଜପୁର
ସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ। ଏପରି କରିବା ଉଚିତ ନୁହେଁ।
ଜ୍ୟୋତିପ୍ରକାଶ ମହାପାତ୍ର, ଯାଜପୁର
ଭୂତପ୍ରେତ ଭୟରେ ସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ। ଏହା ସମ୍ପୂର୍ଣ୍ଣ ଭାବେ ଭୁଲ ନିଷ୍ପତ୍ତି।
ସୌମ୍ୟରଂଜନ ମିଶ୍ର, ବାଲିଚନ୍ଦ୍ରପୁର
Follow Us