ପ୍ରଦର୍ଶନୀରେ ବିପ୍ଲବୀ ରାମକୃଷ୍ଣ ସାମନ୍ତସିଂହାର, ସହିଦ ଶ୍ରୁତି ବିଶ୍ୱାଳଙ୍କ ତୈଳଚିତ୍ର ପ୍ରଦର୍ଶିତ

ପ୍ରଦର୍ଶନୀରେ ବିପ୍ଲବୀ ରାମକୃଷ୍ଣ ସାମନ୍ତସିଂହାର, ସହିଦ ଶ୍ରୁତି ବିଶ୍ୱାଳଙ୍କ ତୈଳଚିତ୍ର ପ୍ରଦର୍ଶିତ

ଭୁବନେଶ୍ୱର: ୧୫ ଅଗଷ୍ଟ ସ୍ୱାଧୀନତା ଦିବସରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସ୍ଥାନୀୟ ଲଳିତ କଳା ଏକାଡେମୀ ଠାରେ ୭ଦିନିଆ ଚିତ୍ର ପ୍ରଦର୍ଶନୀ ଚାଲିଛି। ଏଥିରେ ପ୍ରସଙ୍ଗ ରହିଛି - ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ଓ ସହିଦ। ଏଥିରେ ସ୍ଥାନ ପାଇଛି ଯାଜପୁରର ବରୁହାଁ ପ୍ରଗଣାରେ ଇଷ୍ଟ ଇଣ୍ଡିଆ କମ୍ପାନି ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ ଡାକରା ଦେଇଥିବା ବିପ୍ଲବୀ ରାମକୃଷ୍ଣ ସାମନ୍ତସିଂହାର (୧୭୯୨-୧୮୮୭) ଏବଂ ସହିଦ ଶ୍ରୁତି ବିଶ୍ୱାଳ (୧୮୦୬-୧୮୫୮)ଙ୍କର ପ୍ରତିଛବି।

ବୈଷ୍ଣବୀୟ ଭାବଧାରାରେ ଉଦ୍‌ବୁଦ୍ଧ ରାମକୃଷ୍ଣ ସାମନ୍ତସିଂହାର ଅତ୍ୟାଚାର ସହିନପାରି, ଇଂରେଜମାନଙ୍କ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମର ଡାକରା ଦେଇଥିଲେ। ତାଙ୍କ ନେତୃତ୍ୱରେ ବାଲିଆ ଓ ବରୁହାଁ ପ୍ରଗଣାର ଚାଷୀ, ମୁଲିଆ, କାରିଗର ଓ କୌଳିକ ବୃତ୍ତିରେ ଜୀବନ ନିର୍ବାହ କରୁଥିବା ସମସ୍ତେ ଏକଜୁଟ ହୋଇଥିଲେ।

ସୂଚନାଯୋଗ୍ୟ ଯେ ରାମକୃଷ୍ଣ ଥିଲେ ବିଦଗ୍ଧକବି ଅଭିମନ୍ୟୁଙ୍କ ପୁଅ। ରାମକୃଷ୍ଣ ଧରାପଡ଼ି କାରାବରଣ କରିବା ସହ ସମ୍ପତ୍ତି ବାଜ୍ୟାପ୍ତିର ସମ୍ମୁଖୀନ ହୋଇଥିଲେ। ଅବଶ୍ୟ ପରେ ଯେବେ ବ୍ରିଟିଶ ସରକାର ଭାରତକୁ ନିଜ ହାତକୁ ନେଲେ, ସେବେ ପ୍ରଜାବତ୍ସଳ ରାମକୃଷ୍ଣ ତଥା ତାଙ୍କର ଦୁଇ ଜଣ ସହଯୋଗୀ-ଉପେନ୍ଦ୍ର ଜେନା ଓ ଦୀନବନ୍ଧୁ ମହାପାତ୍ରଙ୍କୁ ଜେଲରୁ ମୁକ୍ତ କରିବା ସହ ସମ୍ପତ୍ତି ଫେରାଇ ଦେଇଥିଲେ। କିନ୍ତୁ ଅନ୍ୟତମ ଯୁବ ସଂଗ୍ରାମୀ ଶ୍ରୁତି ବିଶ୍ୱାଳ ଦି ହାତରେ ଚାପିଦେଇ ଦୁଇଜଣ ଇଂରେଜ ସିପାହୀଙ୍କୁ ଜୀବନରେ ମାରିଦେବା କଥା ଇଷ୍ଟ ଇଣ୍ଡିଆ କମ୍ପାନି ଅଧିକାରୀଙ୍କୁ ବିସ୍ମିତ କରିଥିଲା। ଶ୍ରୁତି ବିଶ୍ୱାଳଙ୍କ ଅଣ୍ଟାରେ ବେଡ଼ି ପକାଇ ପ୍ରଥମେ ଯାଜପୁର ଓ ପରେ କଟକ ନିଆଯାଇଥିଲା ବିଚାର ପାଇଁ। ଦୁଇ ସିପାହୀଙ୍କୁ ହତ୍ୟା ଓ ଦେଶଦ୍ରୋହ ଦଫାରେ ତାଙ୍କ ଗାଁ ଛତିଶ-ଦେବିଲରେ ୧୭ ଜୁନ ୧୮୫୮ ଦିନ ଫାଶୀଖୁଣ୍ଟରେ ଝୁଲାଇ ଦେଇଥିଲେ ଇଂରେଜ ଅଧିକାରୀ। ଯାଜପୁର ମାଟିର ଏହି ଦୁଇ ସଂଗ୍ରାମୀଙ୍କ ତୈଳଚିତ୍ର ସ୍ଥାନ ପାଇଥିବାରୁ ନାଗରିକ ମହଲରେ ଗର୍ବ ଓ ଆନନ୍ଦ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe