ଜ୍ବରରେ ଥରୁଛନ୍ତି ମହାପ୍ରଭୁ, ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରି ତେଲ

ଜ୍ବରରେ ଥରୁଛନ୍ତି ମହାପ୍ରଭୁ, ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରି ତେଲ

ପୁରୀ : ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପଡ଼ିଛନ୍ତି। ଅଣସର ପିଣ୍ଡିରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କୁ ଜ୍ବରରୁ ମୁକ୍ତି ପାଇଁ ଚାଲିଛି ଗୁପ୍ତନୀତି। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ଦଇତାପତି ‌ସେବକମାନଙ୍କ ଦ୍ବାରା ଶାସ୍ତ୍ରାନୁମୋଦିତ ଚିକିତ୍ସା ହୋଇଥାଏ। ବିଶ୍ୱାବସୁ ତଥା ବିଦ୍ୟାପତିଙ୍କ ବଂଶଧର (ଦଇତା ସେବକ)ମାନେ ଶ୍ରୀଅଙ୍ଗରୁ ଲେପ ଛଡ଼ାଇବା ପୂର୍ବରୁ ମହାପ୍ରଭୁଙ୍କୁ ଔଷଧଯୁକ୍ତ ତୈଳ ମର୍ଦ୍ଦନ କରିଥାନ୍ତି। ପରମ୍ପରା ଅନୁସାରେ ଆଜି ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଶଯ୍ୟାଶାୟୀ ଶ୍ରୀବିଗ୍ରହମାନଙ୍କୁ ଜଡିବୁଟିଯୁକ୍ତ ଔଷଧୀୟ ଫୁଲୁରି ତେଲ ଲାଗି କରାଯାଇଛି।

publive-image

ଚତୁର୍ଦ୍ଧା ମୂର୍ତିଙ୍କ ଶ୍ରୀଅଙ୍ଗରେ ଏହି ତେଲ ମର୍ଦ୍ଦନ ପରେ ମହାପ୍ରଭୁ ସୁସ୍ଥ ହେବେ‌ ଏବଂ ନବ‌ଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥି ପାଇଁ ଆଜି ବଡ଼ ଓଡ଼ିଆ ମଠ ପକ୍ଷରୁ ଯତ୍ନ ସହାକାରେ ଫୁଲୁରି ତେଲ ପ୍ରସ୍ତୁତ ହୋଇଥିବା ବେଳେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ବଡ଼ ଦେଉଳରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ପରମ୍ପରା ମୁତାବକ ବଡ ଓଡ଼ିଆ ମଠକୁ ଶ୍ରୀମନ୍ଦିର ବରକନ୍ଦାଜଙ୍କ ଜରିଆରେ ଫୁଲୁରି ତେଲ ବିଜେ ପାଇଁ ଖବର ଯାଇଥିଲା। ଏହି ବାର୍ତ୍ତା ପାଇବା ପରେ ବଡ ଓଡ଼ିଆ ମଠ ମହନ୍ତଙ୍କ ସହ ଅନ୍ୟମାନେ ମହୌଷଧିଯୁକ୍ତ ଫୁଲୁରି ତେଲକୁ ବଡ ଓଡ଼ିଆ ମଠରୁ ଶୋଭାଯାତ୍ରାରେ ଶ୍ରୀମନ୍ଦିର ନେଇଥିଲେ।

ମହାପ୍ରଭୁ ହେଉଛନ୍ତି ଜୀବନ୍ତ ଠାକୁର। ମାନବଦେହୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଦରଜ ଭାଙ୍ଗିବା ପାଇଁ ତୈଳ ମର୍ଦ୍ଦନର ପରମ୍ପରା ରହି ଆସିଛି। ରାଜା ପ୍ରତାପ ଦେବଙ୍କ ଅମଳରୁ ବଡ଼ ଓଡ଼ିଆ ମଠ ଫୁଲୁରି ତେଲ ସେବା ଦାୟିତ୍ୱ ତୁଲାଇ ଆସୁଛି। ସ୍ବତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ଏହି ତୈଳ ପାଇଁ ତିନୋଟି ତିନି ସେରିଆ ମାଟି ଘଡ଼ିର ଆବଶ୍ୟକତା ରହିଥାଏ। ତିନି ଘଡ଼ିରେ ଘଣା ପେଡ଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣରେ ଏହି ତୈଳ ପ୍ରସ୍ତୁତ କରାଯାଇଥାଏ। ପ୍ରତିବର୍ଷ ହେରାପଞ୍ଚମୀ ଦିନ ଏହି ମିଶ୍ରଣକୁ ମାଟି ତଳେ ପୋତାଯାଏ। ପ୍ରାୟ ବର୍ଷେ କାଳ ମାଟି ତଳେ ରହିବା ପରେ ଏହାକୁ ବାହାର କରାଯାଇ ଛଣାଯାଇଥାଏ ଏବଂ ଅଣସର ପିଣ୍ଡିକୁ ନିଆଯାଇଥାଏ। ପରେ ଦଇତାପତି, ପତି ମହାପାତ୍ର ସେବକମାନେ ଏହାକୁ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି। ଫୁଲୁରି ସେବା ପରେ ଆସନ୍ତାକାଲିଠାରୁ ମହାପ୍ରଭୁଙ୍କର ଅନ୍ୟାନ୍ୟ ଔଷଧୀୟ ଉପଚାର ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe