ଜେଲ ଭିତରେ ମହିଳା କଏଦୀଙ୍କ ସହ ଶାରୀରିକ ସମ୍ପର୍କ ଘଟଣା : କାହିଁକି ଚୁପ୍ ଜେଲ ବିଭାଗ?

Advertisment
ଆଦିବାସୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ନେଇ ପିଏମ୍‌ଓକୁ ଚିଠି : ୯ ଛାତ୍ରୀଙ୍କ ବୟାନ ରେକର୍ଡ଼, ୩ ଅଧ୍ୟାପକଙ୍କୁ ବି ପଚରାଉଚରା

Representational photo

ମହିଳା ଓ୍ୱାର୍ଡକୁ ଯିବାକୁ ଅଭିଯୁକ୍ତଙ୍କୁ କିଏ କରୁଥିଲା ସହଯୋଗ?
ସିସିଟିଭି ଥାଇ ବି କର୍ତ୍ତୃପକ୍ଷ ଜାଣିପାରିଲେନି କେମିତି?
ପୂର୍ବରୁ ବି ବିଭିନ୍ନ ଜେଲ ବିରୋଧରେ ରହିଛି ଅନେକ ସଙ୍ଗୀନ ଅଭିଯୋଗ

ଭୁବନେଶ୍ବର : ଜେଲର ଚାରିକାନ୍ଥ ଭିତରେ ବି ମହିଳା କଏଦୀ ଅସୁରକ୍ଷିତ। ମହିଳା କଏଦୀ ରହୁଥିବା ଵାର୍ଡକୁ ପୁରୁଷ କର୍ମଚାରୀ ପ୍ରବେଶ କରିବା ନିଷେଧ ରହିଛି। କିନ୍ତୁ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଜେଲରେ ଜଣେ ପୁରୁଷ କଏଦୀ ସବୁ ସୁରକ୍ଷା ବଳୟକୁ ଭେଦ କରି ମହିଳା ଵାର୍ଡକୁ ଯାଇ ଜଣେ କଏଦୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଘଟଣା ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ପରେ ଅନ୍ଧାରୀ କୋଠରିର ଭିତିରି କଥା ଏବେ ପଦାରେ ପଡ଼ିଛି। ଏହା ପଛରେ ଜେଲ୍ କର୍ମଚାରୀଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡିତା। ଜେଲ ଭିତରେ ଥାଇ ଅଭିଯୁକ୍ତ ମୋବାଇଲ ଫୋନରେ କଥାବାର୍ତ୍ତା ହେବାର ଅଡିଓ ଟେପ୍ ମଧ୍ୟ ପୁଲିସ ନିକଟରେ ଦାଖଲ କରିଛନ୍ତି। ଆହୁରି କିଛି ତଥ୍ୟ ମଧ୍ୟ ପୁଲିସକୁ ଦେଇଛନ୍ତି। ଏହି ଚାଞ୍ଚଲ୍ୟକର ଘଟଣାକୁ ଏବେ ଦୁଇ ଦିନ ବିତି ଯାଇଥିଲେ ବି ଜେଲ ବିଭାଗ କାହିଁକି ଚୁପ୍ ରହିଛି ତାକୁ ନେଇ ସଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଜେଲ୍ କାର୍ଯ୍ୟାଳୟ ଓ ଅଧୀକ୍ଷକଙ୍କ ପ୍ରକୋଷ୍ଠରେ ସିସିଟିଭିର ନିୟନ୍ତ୍ରଣ ରହିଛି। ଜେଲ ପରିସର ଗତିବିଧି ଉପରେ ଏହି ସିସିଟିଭି କ୍ୟାମେରା କଡ଼ା ନଜର ରଖିଛି। ମହିଳା ଵାର୍ଡ ସ୍ବତନ୍ତ୍ର ଭାବେ ଅଲଗା ରହିଛି। ସେହି ଵାର୍ଡକୁ ପୁରୁଷ କର୍ମଚାରୀ ଯିବା ନେଇ ମଧ୍ୟ ନିଷେଧାଦେଶ ରହିଛି। ୨୪ ଘଣ୍ଟିଆ ସୁରକ୍ଷାକର୍ମୀ ଏହା ଉପରେ ନଜର ରଖିଛନ୍ତି। ଏତେ ସୁରକ୍ଷା ସତ୍ତ୍ବେ ଜଣେ କଏଦୀ ମହିଳା ଵାର୍ଡକୁ ଗଲା କେମିତି? ମହିଳା ଜଣକ ନଭେମ୍ବରରୁ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଏକ ପାରିବାରିକ କଳହ ମାମଲାରେ ଜେଲରେ ବିଚାରାଧୀନ ଥିବା ବେଳେ ସେହି ସମୟରେ ଜିଏସ୍‌ଟି ଠକେଇ ମାମଲାରେ ଗିରଫ ହୋଇଥିବା ତୀର୍ଥଙ୍କର ପଟେଲ ଓରଫ୍ ପପୁ ବି ଜଣେ ବିଚାରାଧୀନ କଏଦୀ। ପପୁ ଅଫିସ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ଦେଖାସାକ୍ଷାତ ଓ ସମ୍ପର୍କ ଗଢ଼ି ଉଠିଥିଲା ସତ। କିନ୍ତୁ ଵାର୍ଡକୁ ଯାଇ ସେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ କେମିତି? କେଉଁ କର୍ମଚାରୀ ଏଥିପାଇଁ ସହାୟତା ଯୋଗାଇ ଦେଉଥିଲେ? ପୁରୁଷ ଵାର୍ଡରୁ ବାହାରି ଯଦି ତୀର୍ଥଙ୍କର ମହିଳା ଵାର୍ଡକୁ ଯାଇଥିଲେ; ତାହେଲେ ଡ୍ୟୁଟିରେ ଥିବା ଵାର୍ଡର କଣ କରୁଥିଲେ? ସିସିଟିଭି କିଏ ନିୟନ୍ତ୍ରଣ କରୁଥିଲା? ଯଦି ଗୋଟିଏ ଵାର୍ଡରୁ ବାହାରି ଅନ୍ୟ ଵାର୍ଡକୁ ଯିବାର ଚିତ୍ର ସିସିଟିଭିରେ ରହିଛି ତାହାଲେ କାହିଁକି ସମ୍ପୃକ୍ତ କର୍ମଚାରୀ ଅଟକାଇ ନ ଥିଲେ? ପୀଡ଼ିତା ମହିଳା ଅଭିଯୁକ୍ତ ପପୁଙ୍କ ସହ ଦାଖଲ କରିଥିବା ଅଡିଓ ବାର୍ତ୍ତାଳାପ ଯଦି ସତ ତାହେଲେ କେମିତି ଜେଲ୍‌ ଭିତରକୁ ମୋବାଇଲ ଫୋନ୍ ଯାଉଛି? ଏ ପୂରା ଘଟଣା ଜେଲ ଅଧିକାରୀ ଓ କର୍ମଚାରୀଙ୍କୁ ସନ୍ଦେହ ଭିତରକୁ ଠେଲି ଦେଇଛି।

ତେବେ ଇଏ ଗୋଟିଏ ଘଟଣା ନୁହେଁ, ନିକଟରେ ଗ୍ୟାଙ୍ଗଷ୍ଟର ଡି ବ୍ରଦର୍ସ ଜେଲ୍ ଭିତରେ ଥାଇ ମଧ୍ୟ ଅପରାଧ ଓ ବନ୍ଧୁକ କାରବାର ଦୁନିଆରେ ସକ୍ରିୟ ରହିଛନ୍ତି। କମିସନରେଟ ପୁଲିସ ଘରୁ ବିପୁଳ ପରିମାଣରେ ବନ୍ଧୁକ ଓ ଗୁଳି ଜବତ କରିବା ସହ କାମ କରୁଥିବେ ନେଟଵର୍କର ଏକାଧିକ ଏଜେଣ୍ଟଙ୍କୁ ଗିରଫ କରିବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି। କିନ୍ତୁ କେଉଁ ଜେଲ୍ କର୍ମଚାରୀ ସମ୍ପୃକ୍ତ ରହିଛନ୍ତି ସେ ନେଇ ଖୋଳତାଡ଼ ହେଲାନି। ଝାରପଡା ଜେଲରେ ଟିଟୋ ଓ ତା ସହଯୋଗୀ ମୋବାଇଲ ଫୋନରେ କଥା ହେବା ଭିଡିଓ ଭାଇରାଲ୍ ହୋଇଥିଲା। କଏଦୀ-କଏଦୀଙ୍କ ଭିତରେ ମାରପିଟ୍, ମୋବାଇଲ ଫୋନ୍, ନିଶାଦ୍ରବ୍ୟ ଭଳି ସାମଗ୍ରୀ ଯିବା ନେଇ ଥାନା ଓ କର୍ତ୍ତୃପକ୍ଷଙ୍କ ନିକଟରେ ଏକାଧିକ ଅଭିଯୋଗ ମଧ୍ୟ ହୋଇଛି। କିନ୍ତୁ ଏହି ଘଟଣାରେ ମଧ୍ୟ ଜେଲ ବିଭାଗ ସେମିତି କୌଣସି ତତ୍ପରତା ଦେଖାଇ ନ ଥିଲା। ଯାହା ଜେଲ ବିଭାଗର ଭୂମିକାକୁ ସନ୍ଦେହଘେରକୁ ଟାଣି ଆଣିଛି। ଟିଟାଲଗଡ଼ ଜେଲରେ ମହିଳାଙ୍କ ସହ ପୁରୁଷ କଏଦୀ ଶାରୀରିକ ସମ୍ପର୍କ ରଖିବା ଓ ପ୍ରତାରଣା କରିବା ଅଭିଯୋଗ ଘଟଣାରେ ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସମ୍ବଲପୁର ଜେଲ ଡିଆଇଜି ଘଟଣାର ତଦନ୍ତ କରୁଛନ୍ତି। ଯଦି କାହାର ସଂପୃକ୍ତିର ପ୍ରମାଣ ମିଳେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe