ମହିଳା କରୋନା ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ନେଇ ବିଧାନସଭାରେ ଉଦବେଗ

Advertisment
ବିଧାନସଭାର ଶୀତ ଅଧିବେଶନ ପାଇଁ ଯାନବାହାନ କଟକଣା ଜାରି

Odisha News Insight

ଭୁବନେଶ୍ୱର : ବଲାଙ୍ଗୀରରେ କରୋନା ଆକ୍ରାନ୍ତ ଜଣେ ମହିଳାଙ୍କୁ ଜନୈକ ଡାକ୍ତର ଦୁର୍ବ୍ୟବହାର କରିଛନ୍ତି। ଧରାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ମାଡ଼ ଖାଇଲେ। ଏତେସବୁ ଘଟଣା ଘଟିଲା ଅଥଚ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କି ତାଙ୍କୁ ମାଡ଼ ମାରିଥିବା ଲୋକଙ୍କ ବିରୋଧରେ ପୁଲିସ କିଛି ବି କାର୍ଯ୍ୟାନୁଷ୍ଠାନ ନେଲାନି। କେବଳ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଡାକ୍ତରଙ୍କୁ ବଦଳି କରି ଦେଇ ସରକାର କାମ ସାରିଦେଇଛନ୍ତି। ଆଜି ବିଧାନସଭା ଶୂନ୍ୟକାଳରେ ବୈଧାନିକ ପ୍ରଶ୍ନ ଉଠାଇ ଏପରି କହିଛନ୍ତି, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଗୁରୁତ୍ବ ଦେଇ ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରନ୍ତୁ ବୋଲି ସେ ଗୃହରେ ଦାବି କରିଛନ୍ତି।

ଶ୍ରୀ ମିଶ୍ର କହିଥିଲେ, ଗତ ୪ ତାରିଖ ଦିନ ବଲାଙ୍ଗୀରର ଗୋଟିଏ କୋଭିଡ ସେଣ୍ଟରରେ ଚିକିତ୍ସିତ ହେଉଥିବା ଜଣେ ମହିଳା କରୋନା ରୋଗୀଙ୍କୁ ସେହି ସେଣ୍ଟରରେ ଇନ୍‌ଚାର୍ଜ ଥିବା ଜନୈକ ଆୟୁର୍ବେଦ ଡାକ୍ତର ବିଳମ୍ବିତ ରାତିରେ ତାଙ୍କ ଶଯ୍ୟା ପାଖକୁ ଯାଇ ଆଶାଳୀନ ଆଚରଣ କରିଛନ୍ତି। ପରେ ସେହି ମହିଳା ଜଣକ ପାଟି କରିବାରୁ ସ୍ଥାନୀୟ ଲୋକମାନେ ସମ୍ପୃକ୍ତ ଡାକ୍ତରଙ୍କୁ ମାଡ଼ ମାରିଥିଲେ। ପୁଲିସ ଆସି ସମ୍ପୃକ୍ତ ଡାକ୍ତରଙ୍କୁ ପୁଲିସ ଷ୍ଟେସନ୍‌ ନେଲା କିନ୍ତୁ ଚାପ ପଡ଼ିବାରୁ ତାଙ୍କୁ ଛାଡ଼ିଦେଇଥିଲା। ସେହି ଡାକ୍ତର ଜଣକ ଜଣେ ସ୍ଥାନୀୟ ପ୍ରଭାବଶାଳୀ ସାମ୍ବାଦିକଙ୍କ ବନ୍ଧୁ। ଶୁଣିବାକୁ ମିଳୁଛି ସେ ସାମ୍ବାଦିକ ଜଣକ ପୁଲିସ ଉପରେ ଚାପ ପକାଇ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଡାକ୍ତରଙ୍କୁ କାର୍ଯ୍ୟାନୁଷ୍ଠାନରୁ ମୁକୁଳାଇ ଦେଇଛନ୍ତି। ଏ ନେଇ ଜିଲ୍ଲା ସିଡିଏମ୍‌ଓ କୋଭିଡ ପରିଚାଳନା ଦାୟିତ୍ବରେ ଥିବା ଡ. ଉଦଗାତାଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ତଦନ୍ତ କରୁଥିବା ଡ. ଉଦଗାତାଙ୍କୁ କୁଆଡ଼େ ସମ୍ପୃକ୍ତ ପୀଡ଼ିତା ମାମଲା ରଫାଦଫା ହୋଇଯାଇଛି ବୋଲି କହିଥିଲେ। ମହିଳା ଦୁର୍ବ୍ୟବହାର ଘଟଣାରେ କିଛିଟା ସତ୍ୟତା ଥିବା ନେଇ ମଧ୍ୟ ତଦନ୍ତକାରୀ ଡାକ୍ତର ରିପୋର୍ଟ ଦେଇଥିବା ଜଣାପଡ଼ିଛି। କିନ୍ତୁ ଏହି ଘଟଣା ଗୁରୁତର ହୋଇଥିବାରୁ ପୁଲିସ ଡିଜିଙ୍କୁ ନିଜେ ଶ୍ରୀ ମିଶ୍ର ଜଣାଇଥିଲେ ବି କିଛି କାର୍ଯ୍ୟାନୁଷ୍ଠାନ ହୋଇନି।

ସେହିପରି ବୈଧାନିକ ପ୍ରଶ୍ନ ଜରିଆରେ କଂଗ୍ରେସ ବିଧାୟକ ଶ୍ରୀ ସାଲୁଜା କହିଥିଲେ, କରୋନା ପାଇଁ କେତେ ଟିଏମ୍‌ସି ସେଣ୍ଟର ଖୋଲାଯାଇଛି ବୋଲି ସେ ଅଣତାରକା ପ୍ରଶ୍ନ କରିଥିଲେ। ଗତକାଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଉତ୍ତର ରଖିଛନ୍ତି। ଯେତେସବୁ ପ୍ରଶ୍ନ ପଞ୍ଚାୟତି ରାଜ ବିଭାଗକୁ ପଚରାଯାଇଛି ସବୁର ଉତ୍ତରରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ଜଣାଇଛନ୍ତି। ଏଥିରୁ ଜଣାପଡ଼ୁଛି ରାଜ୍ୟରେ କେତେ ଦକ୍ଷତାର ସହ କୋଭିଡ୍‌ ପରିଚାଳନା ହେଉଛି। ଭଲ ଚିକିତ୍ସା ପାଇବା ଆଶାରେ ଗଞ୍ଜାମ ଜିଲ୍ଲା ଲୋକ ବିଶାଖାପାଟଣା ଯାଉଛନ୍ତି। ସେହିପରି ପଶ୍ଚିମ ଓଡ଼ିଶା ଲୋକ ଛତିଶଗଡ଼ର ରାୟପୁର ଯାଉଛନ୍ତି। କିନ୍ତୁ ସେଠି ବାହାର ରାଜ୍ୟର ଲୋକ ଭାବରେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳନିୁ। ଫଳରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ୧୫ ଦିନ ତଳେ ଦୈନିକ ୫୦ ହଜାର ଲୋକଙ୍କ ପରୀକ୍ଷା କରାଯାଉଥିଲା। କିନ୍ତୁ ଏବେ ସେ ପରୀକ୍ଷା ସଂଖ୍ୟାକୁ ୪୦ ହଜାରକୁ କମାଇ ଏବେ ଦୈନିକ ୩ ହଜାର ସଂକ୍ରମିତ ଚିହ୍ନଟ ହେଉଥିବା କହୁଛନ୍ତି। ବିଧାନସଭା ଅଧିବେଶନ ପାଇଁ ବିଧାୟକମାନଙ୍କ ସମେତ ଏବେସୁଦ୍ଧା ୧୦୩୭ ଜଣଙ୍କ ପରୀକ୍ଷା କରାଗଲା। ସେଥିରୁ ୧୮୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍‌ ୧୮% ଲୋକ କରୋନା ଆକ୍ରାନ୍ତ ହେଲେ। ସେହିପରି ରାଜ୍ୟର ୪ କୋଟି ୩୦ ଲକ୍ଷ ଜନସଂଖ୍ୟାକୁ ହିସାବକୁ ନେଲେ ୭୦ରୁ ୭୫ ଲକ୍ଷ ଲୋକ ସଂକ୍ରମିତ ହୋଇଥିବେ। ଯଦି ସେମାନଙ୍କୁ ଜଣ ଜଣ କରି ଟେଷ୍ଟ କରାନଯିବ ତାହେଲେ ଆଗକୁ ପୋକ ମାଛି ବୋଲି ଲୋକ ମରିବେ ବୋଲି ଶ୍ରୀ ସାଲୁଜା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe