Mahabir Doctor's Hub
ଭୁବନେଶ୍ୱର : ଗଠିତ ହୋଇଛି ରାଜ୍ୟ ଅକ୍ୟୁପେସନାଲ ଥେରାପି ଓ ଫିଜିଓଥେରାପି କାଉନ୍ସିଲ୍। ଓଡ଼ିଶା ଷ୍ଟେଟ୍ କାଉନ୍ସିଲ ଫର ଅକ୍ୟୁପେସନାଲ ଥେରାପି ଏଣ୍ଡ ଫିଜିଓଥେରାପି ଆଇନ,୨୦୧୯ ଅନୁଯାୟୀ ଜୁନ୍ ୩ ତାରିଖରେ ଏହି କାଉନ୍ସିଲ ଗଠିତ ହୋଇଥିଲା। ତେବେ ସରକାରୀ ଭାବେ ନିକଟରେ ଏହାର ଘୋଷଣା କରାଯାଇଛି।
ରାଜ୍ୟରେ ଏଭଳି ଏକ ଆଇନ ଆଣିବା ପାଇଁ ରାଜ୍ୟ ଶାଖା ପକ୍ଷରୁ ଦୀର୍ଘଦିନ ଧରି ପ୍ରସ୍ତୁତି ଚାଲିଥିଲା। ୨୦୧୧ ମସିହାରେ ଏ ନେଇ ଏକ କମିଟି ଗଠିତ ହୋଇଥିଲା। ଏହାର ସଂଯୋଜକ ଦାୟିତ୍ବ ତୁଲାଇଥିଲେ ଡା.ଭୁବନାନନ୍ଦ ପାଣି। ଡା. ଆର.ଏନ୍ ଦାସ, ଡା.ପି.ପି ମହାନ୍ତି ଓ ଡା.ଅମ୍ଳାନ୍ ମାଇତି ପ୍ରମୁଖ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ନିକଟରେ ରାଜ୍ୟ ଆଇଏପି ପାଇଁ ୪ଟି ବଡ଼ ସଫଳତା ମିଳିଛି। ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଥିବା ଫିଜିଓଥେରାପି ଶିକ୍ଷା ଏବେ ସ୍ବାସ୍ଥ୍ୟ ବିଭାଗ ଅଧୀନକୁ ଆସିଛି। ଏହାସହ ବିପିଟି କୋର୍ସ ଶିକ୍ଷା ପ୍ରଦାନ କରୁଥିବା ଫିଜିଓଥେରାପି ଅନୁଷ୍ଠାନଗୁଡ଼ିକ ପାଇଁ ସର୍ବନିମ୍ନ ନିୟମାବଳୀ ପ୍ରସ୍ତୁତ କରିବା, ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ରୁଲ ୨୦୧୭ରେ ସଂଶୋଧନ ଓ ଓଡ଼ିଶା ଷ୍ଟେଟ୍ କାଉନସିଲ ଫର ଅକ୍ୟୁପେସନାଲ ଥେରାପି ଏଣ୍ଡ ଫିଜିଓଥେରାପି ଆଇ ୨୦୧୯ ଗଠନ କରାଯାଇଛି।
ଫିଜିଓଥେରାପିଷ୍ଟମାନଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଥିବା କହିଛନ୍ତି ଇଣ୍ଡିଆନ୍ ଆସୋସିଏସନ୍ ଅଫ ଫିଜିଓଥେରାପିଷ୍ଟ ବା ଆଇଏପିର ଓଡ଼ିଶା ଅଧ୍ୟକ୍ଷ ତଥା ସମ୍ ହସ୍ପିଟାଲର ଫିଜିଓଥେରାପି ବିଭାଗର ମୁଖ୍ୟ ଡା.ସ୍ଥିତିପ୍ରଜ୍ଞା ଦଳବେହେରା। ନୂତନ କାଉନସିଲ ଗଠନ ଦ୍ବାରା ଫିଜିଓଥେରାପିଷ୍ଟମାନଙ୍କ ବୃତିଗତ କ୍ଷେତ୍ରରେ ଅନେକ ଉନ୍ନତି ଘଟିବ। ତେବେ ଆଇନରେ ରହିଥିବା କିଛି ତ୍ରୁଟିରେ ପରିବର୍ତନ କରାଗଲେ ଏହା ଜନସାଧାରଣଙ୍କ ପାଇଁ ହିତକର ହେବ ବୋଲି ଡା.ଦଳବେହେରା ସୂଚନା ଦେଇଛନ୍ତି।
Follow Us