କଟକ: ଭାରତୀୟ ଯୁବସମାଜ ତମାଖୁ ନିଶାରେ ପଡ଼ି ଶାରୀରିକ ଏବଂ ମାନସିକ କ୍ଷତିର ଶିକାର ହେଉଛନ୍ତି। ବିଶେଷ କରି କିଶୋରାବସ୍ଥାରେ ତମାଖୁ ନିଶା ବିଭିନ୍ନ ପ୍ରକାର ଗୁରୁତର ବ୍ୟାଧି ସୃଷ୍ଟି କରୁଛି। ଦେଶର ଯୁବପିଢ଼ିଙ୍କୁ ତମାଖୁ ନିଶା କବଳରୁ ରକ୍ଷା କରିବା ଲାଗି ବ୍ୟାପକ ସଚେତନତା ସହିତ ତମାଖୁ ସଂକ୍ରାନ୍ତ ଆଇନର କଡ଼ାକଡ଼ି ଅନୁପାଳନର ଆବଶ୍ୟକତା ରହିଛି ବୋଲି ଆଜି କଟକଠାରେ ଆୟୋଜିତ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତା’ ରେ ବିଶିଷ୍ଟ ଅତିଥିମାନେ ମତପ୍ରକାଶ କରିଛନ୍ତି। ‘ତମାଖୁ ମୁକ୍ତ ଯୁବସମାଜ ଅଭିଯାନ’ର ତୃତୀୟ ପର୍ଯ୍ୟାୟ ଅଧୀନରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି।

Advertisment

ଜନସଚେତନତା ଉପରେ ଗୁରୁତ୍ୱାରୋପ

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଆଜି କଟକଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଆଇବି/ସିବିସିର ଅତିରିକ୍ତ ମହାନିର୍ଦ୍ଦେଶକ ତଥା ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର (ଓଡ଼ିଶା ଏବଂ ଝାଡ଼ଖଣ୍ଡ କ୍ଷେତ୍ର) ଅଖିଳ କୁମାର ମିଶ୍ର ଉଦବୋଧନ ଦେଇ ତମାଖୁ ମୁକ୍ତ ସମାଜ ଗଠନ ପାଇଁ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ତମାଖୁ ସେବନର ଅପକାରିତା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କ୍ଷେତ୍ରରେ ଗଣମାଧ୍ୟମ ବିଶେଷ କରି ସାମାଜିକ ଗଣମାଧ୍ୟମର ବେଶ୍‌ ଗୁରୁତ୍ୱ ରହିଛି। ଗ୍ରାମୀଣ ଏବଂ ତୃଣମୂଳସ୍ତରରେ ସାମାଜିକ ସଚେତନତାର ମଧ୍ୟ ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଆହୁରି ପଢ଼ନ୍ତୁ: Gang Rape: ଅଧରାତିରେ ଘରେ ପଶି ନାବାଳିକାକୁ ଗଣଦୁଷ୍କର୍ମ!

ଯୁବବର୍ଗ ନିଶା କବଳରେ ପଡ଼ୁଛନ୍ତି: ଜିଲ୍ଲାପାଳ

କଟକ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ, ସାମ୍ପ୍ରତିକ ସମାଜରେ ଅଧିକ ସଂଖ୍ୟାରେ ଯୁବବର୍ଗ ନିଶା କବଳରେ ପଡ଼ୁଛନ୍ତି। ନିଶା ନିବାରଣ ଏବଂ ଏହାର କୁପ୍ରଭାବକୁ ରୋକିବା ଲାଗି ସରକାର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏଥିପାଇଁ କଠୋର ଆଇନ ପ୍ରଣୟନ ଏବଂ ପ୍ରବର୍ତ୍ତନ କରାଯାଉଛି। ତେବେ ତମାଖୁ ଏବଂ ଅନ୍ୟ ନିଶାଦ୍ରବ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ସରକାରଙ୍କ ପଦକ୍ଷେପକୁ ବ୍ୟାପକ ମାତ୍ରାରେ ପ୍ରଚାରପ୍ରସାର କରିବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ।

ଆହୁରି ପଢ଼ନ୍ତୁ: Youths Get Job: ୩୦୨ ଜଣ ଓଡ଼ିଆ ଯୁବକଯୁବତୀଙ୍କୁ ମିଳିଲା କେନ୍ଦ୍ର ସରକାରଙ୍କ ଠାରୁ ଚାକିରି

୨୦% ତମାଖୁ ଜନିତ କର୍କଟ ରୋଗରେ ପୀଡ଼ିତ

କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ଚିକିତ୍ସା ପ୍ରତିଷ୍ଠାନର ପ୍ରାଧ୍ୟାପକ ଡାକ୍ତର ସୁରେନ୍ଦ୍ର ନାଥ ସେନାପତି ତାଙ୍କ ଅଭିଭାଷଣରେ ତମାଖୁ ନିଶାର କୁପ୍ରଭାବ ସମ୍ପର୍କରେ ତଥ୍ୟାତ୍ମକ ଅବତାରଣା କରିଥିଲେ। ସେ କହିଥିଲେ, ଭାରତରେ ପ୍ରତ୍ୟେକ ବର୍ଷ ପ୍ରାୟ ୧୬ ଲକ୍ଷ ୬୧ ହଜାର ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୨୦% ତମାଖୁ ଜନିତ କର୍କଟ ରୋଗରେ ପୀଡ଼ିତ ହୋଇଥା’ନ୍ତି। ସେହିପରି ଓଡ଼ିଶାରେ ବାର୍ଷିକ ପ୍ରାୟ ୫୨,୯୬୦ କର୍କଟ ରୋଗୀଙ୍କ ମଧ୍ୟରୁ ୩୦ ପ୍ରତିଶତ ତମାଖୁ ଜନିତ କର୍କଟ ଆକ୍ରାନ୍ତ ଥିବା ଅଧ୍ୟୟନରୁ ଜଣାପଡ଼ିଛି। ୧୦ ପ୍ରତିଶତ ରୋଗୀ କିଶୋରାବସ୍ଥାରେ ତମାଖୁ କବଳରେ ପଡ଼ି ରୋଗାକ୍ରାନ୍ତ ହେବା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ପ୍ରଫେସର ସେନାପତି କହିଥିଲେ। ସେ ଆହୁରି କହିଥିଲେ, ତମାଖୁ ସେବନ କାରଣରୁ ବିଶ୍ୱରେ ପ୍ରତି ୨୬ ସେକେଣ୍ଡରେ ଜଣେ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ୁଛନ୍ତି। ତମାଖୁ ଏକ ନିରବ ଘାତକ। ଏଥିରେ ଲକ୍ଷଲକ୍ଷ ଲୋକ ରୋଗାକ୍ରାନ୍ତ ହେବା ସହିତ ମୃତ୍ୟୁବରଣ କରୁଛନ୍ତି। ତମାଖୁ ଓ ଅନ୍ୟାନ୍ୟ ନିଶା ନିବାରଣ ପାଇଁ କାର୍ଯ୍ୟକାରୀ ହେଉଥିବା ଆଇନର ପ୍ରଭାବୀ କାର୍ଯ୍ୟକାରିତା ସହିତ ଜିଲ୍ଲା ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଶାମୁକ୍ତି କେନ୍ଦ୍ର ଖୋଲିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ।