ପିହୁ ନିଖୋଜ ଘଟଣା: ତଦନ୍ତ ତ୍ବରାନ୍ବିତ ପାଇଁ ଗଠନ ହେବ କମିଟି

ଅନଶନ ପ୍ରତ୍ୟାହାର କଲେ ମୋନାଲିସା 

ପିହୁ ନିଖୋଜ ଘଟଣା: ତଦନ୍ତ ତ୍ବରାନ୍ବିତ ପାଇଁ ଗଠନ ହେବ କମିଟି

ଯାଜପୁରଟାଉନ /ସଦର: ପିହୁ ନିଖୋଜ ଘଟଣାର ତଦନ୍ତ ତ୍ବରାନ୍ବିତ କରିବାକୁ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯିବ। କାର୍ଯ୍ୟରେ ଅବହେଳା କରିଥିବା ତତ୍‌କାଳୀନ ବିଂଝାରପୁର ଥାନା ଅଧିକାରୀ ଓ ତଦନ୍ତ ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ। ପ୍ରଶାସନିକସ୍ତରରେ ଏନେଇ ଆଲୋଚନା ପରେ ଆଜି ମା’ ମୋନାଲିସା ନାୟକ ଅନଶନ ପ୍ରତ୍ୟାହାର କରିଛନ୍ତି।

ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ମଧୁସୂଦନପୁର ଗ୍ରାମର ମୋନାସିଲା ନାୟକଙ୍କ ୨ ବର୍ଷର ଝିଅ ପିହୁ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ୨୦୨୦ ଅଗଷ୍ଟ୯ରେ ନିଖୋଜ ହୋଇଯାଇଥିଲା। ନିଖୋଜ ପିହୁର ସନ୍ଧାନ ଦାବିରେ ମା’ ମୋନାଲିସା ଏସ୍‌ପି, ଜିଲ୍ଲାପାଳ, ପୁଲିସ ମହାନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ୍‌, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ୩ବର୍ଷ ବିତି ଯାଇଥିଲେ ମଧ୍ୟ ପିହୁର ସନ୍ଧାନ ନମିଳିବାରୁ ମୋନାଲିସା ଗୁରୁବାର ଦିନ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ। ଗତକାଲି ରାତିରେ ଖୋଲା ଆକାଶ ତଳେ ପ୍ରବଳ ଥଣ୍ଡାରେ ମୋନାଲିସା ନିଜ ଛୋଟ ପୁଅ ସହ ମଶାରି ଟାଙ୍ଗି ରହିଥିଲେ। ରାତିସାରା ପୁଲିସ, ଅଗ୍ନିଶମ କର୍ମଚାରୀ ଏବଂ ଆମ୍ବୁଲାନ୍ସ ଅନଶନସ୍ଥଳରେ ଜଗି ରହିଥିଲେ। ମୋନାଲିସାଙ୍କ ଅନଶନକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଆଜି ଅପରାହ୍‌ଣରେ ପ୍ରଶାସନିକ ସ୍ତରରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଜିଲ୍ଲା ପ୍ରଶାସନ ଓ ପୁଲିସ ଅଧିକାରୀ ମାମଲାର ସମାଧାନ ପାଇଁ ଉଦ୍ୟମ କରିଥିଲେ। ଏକ କମିଟି ଗଠନ କରି ତଦନ୍ତକୁ ତ୍ବରାନ୍ବିତ କରିବାକୁ ସ୍ଥିର ହୋଇଥିଲା। ପିହୁ ନିଖୋଜ ସମୟର ବିଞ୍ଝାରପୁର ଥାନାଧିକାରୀ ଓ ତତ୍କାଳୀନ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଯାଜପୁର ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା, ଥାନାଧିକାରୀ ବିଲ୍ୱମଙ୍ଗଳ ସେଠୀ, ପିହୁର ମା’ ମୋନାଲିସା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe