ପିଲାସାଲୁଙ୍କୀ ସେଚ ପ୍ରକଳ୍ପ: ହଟିଲା ନନ୍ଦିନୀଙ୍କ ଫଳକ, ଲାଗିଲା ନବୀନଙ୍କ ଫଟୋ

କଂଗ୍ରେସର ତୀବ୍ର ବିରୋଧ

ପିଲାସାଲୁଙ୍କୀ ସେଚ ପ୍ରକଳ୍ପ: ହଟିଲା ନନ୍ଦିନୀଙ୍କ ଫଳକ, ଲାଗିଲା ନବୀନଙ୍କ ଫଟୋ

ଫୁଲବାଣୀ: ୨୦୨୪ ନିର୍ବାଚନ ପୂର୍ବରୁ କନ୍ଧମାଳ ଜିଲ୍ଲାର ଏକମାତ୍ର ଜଳସେଚନ ପ୍ରକଳ୍ପ ଖଜୁରୀପଡ଼ା ବ୍ଲକ୍‌ରେ ଥିବା ପିଲାସାଲୁଙ୍କୀ ମଧ୍ୟମ ସେଚ ପ୍ରକଳ୍ପକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ପ୍ରକଳ୍ପଟିର ଶିଳାନ୍ୟାସ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଦ୍ବାରା କରାଯାଇଥିଲା। ପରବର୍ତ୍ତୀ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ଏହା ଲୋକାର୍ପିତ ହୋଇଥିଲା। ମାତ୍ର ଏହି ପ୍ରକଳ୍ପରୁ ନନ୍ଦିନୀ ଶତପଥୀଙ୍କ ନାମ ଥିବା ଶିଳାନ୍ୟାସ ଫଳକକୁ ହଟାଇ ଦିଆଯାଇଛି। ସେଠାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବିଶାଳ ଫଟୋ ଲଗାଯାଇଛି। ଏହାକୁ କଂଗ୍ରେସ ତୀବ୍ର ବିରୋଧ କରିଛି।

ସୂଚନାଯୋଗ୍ୟ ଯେ ପିଲାସାଲୁଙ୍କୀ ମଧ୍ୟମ ସେଚ ପ୍ରକଳ୍ପର ଶିଳାନ୍ୟାସ ୧୯୭୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଦ୍ବାରା ସଂପାଦିତ ହୋଇଥିଲା। ୧୯୮୫ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ଏହି ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ କନ୍ଧମାଳ ଜିଲ୍ଲାର ଚାଷୀଙ୍କ ପାଇଁ ଲୋକାର୍ପିତ ହୋଇଥିଲା। ଏହି ମଧ୍ୟମ ସେଚ ପ୍ରକଳ୍ପ ଜିଲ୍ଲାର ୩୯ଟି ଗ୍ରାମର ୨,୦୩୩ ହେକ୍ଟର ଜମିରେ ଖରିଫ୍‌ ଋତୁରେ ଏବଂ ୧୨୦୦ ହେକ୍ଟର ଜମିକୁ ରବିଋତୁରେ ଜଳସେଚନ ସୁବିଧା ‌ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରତିଷ୍ଠା ଯାଇଥିଲା। ଏହାଦ୍ବାରା ୩୮ ବର୍ଷ ହେଲା କନ୍ଧମାଳର ଆଦିବାସୀ ଚାଷୀ ଆଜି ମଧ୍ୟ ଦୁଇ ଫସଲ କରି ଲାଭବାନ ହୋଇ ପାରୁଛନ୍ତି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୩ ବର୍ଷର ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଦ୍ବିତୀୟ ଜଳସେଚନ ପ୍ରକଳ୍ପ କନ୍ଧମାଳରେ ଆଉ ସମ୍ଭବପର ହୋଇ ପାରିନାହିଁ।

ତେବେ ପ୍ରକଳ୍ପ ନିକଟରେ ବିଜେଡି ସରକାର କଂଗ୍ରେସ ଅମଳର ଫଳକ ବାହାର କରି ନବୀନ ପଟ୍ଟନାୟକଙ୍କ ଫ‌ଟୋ ଲଗାଇଛନ୍ତି ବୋଲି କଂଗ୍ରେସ ନେତୃବର୍ଗ ଅଭିଯୋଗ ଆଣିଛନ୍ତି। ଜିଲ୍ଲାରେ ବିଜେଡି ସରକାର ଗୋଟିଏ ହେଲେ ଚାଷୀ ହିତକାରୀ ପ୍ରକଳ୍ପ କରିନାହିଁ। କିନ୍ତୁ କଂଗ୍ରେସ ସରକାରର ପୁରୁଣା ପ୍ରକଳ୍ପକୁ ନିଜ ନାମରେ କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଏଆଇସିସି ସଦସ୍ୟ ତଥା କନ୍ଧମାଳ ରାଜୀବ ଗାନ୍ଧି ପଞ୍ଚାୟତିରାଜ ସଂଗଠନର ସଂଯୋଜକ ବିସ୍ମୟ ମହାପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି। ବିଜେଡି କନ୍ଧମାଳ ଜିଲ୍ଲାରେ ଏଭଳି ଶସ୍ତା ରାଜନୀତିରୁ କ୍ଷାନ୍ତ ରହୁ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe