ତୀର୍ଥ ପୁଷ୍କରିଣୀ ବିକାଶ ପ୍ରକଳ୍ପ: ମିଳୁନି ପଥର, ଅଟକିଛି କାମ

ତୀର୍ଥ ପୁଷ୍କରିଣୀ ବିକାଶ ପ୍ରକଳ୍ପ: ମିଳୁନି ପଥର, ଅଟକିଛି କାମ

ପୁରୀ: ନୂଆ ରୂପ ନେଉଛି ଐତିହ୍ୟ ପୁଷ୍କରିଣୀ। ୬୪ କୋଟି ବ୍ୟୟରେ ଶ୍ରୀକ୍ଷେତ୍ରର ୪ଟି ପବିତ୍ର ତୀର୍ଥ ପୁଷ୍କରିଣୀ ପାଇଁ ବିକାଶ କାର୍ଯ୍ୟ ଚାଲୁରହିଛି। କିନ୍ତୁ ସୌନ୍ଦର୍ଯ୍ୟୀକରଣ ପାଇଁ ଆବଶ୍ୟକ ଖଣ୍ଡୋଲାଇଟ ପଥରର ଅଭାବ କାର୍ଯ୍ୟରେ ବାଧା ସୃଷ୍ଟି କରିଛି। ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟରେ ଖଣ୍ଡୋଲାଇଟ ପଥର ବ୍ୟବହାର ହେଉଛି। ପୁଷ୍କରିଣୀ ଚତୁଃପାର୍ଶ୍ବରେ ପାଚେରି କାନ୍ଥରେ ସରୋବରର କାହାଣୀ ବଖାଣିବା ପାଇଁ ପ୍ୟାନେଲ୍‌ରେ ଖଣ୍ଡୋଲାଇଟ ପଥର କାରୁକାର୍ଯ୍ୟ ଖଞ୍ଜାଯାଉଛି। ପଥର ଆବଶ୍ୟକ ମୁତାବକ ମିଳୁନଥିବାରୁ କାରିଗରମାନେ ସୌନ୍ଦର୍ଯ୍ୀକରଣ କାର୍ଯ୍ୟ ଆଗେଇ ନେଇପାରୁନାହାନ୍ତି।

ଏକକାଳୀନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସହ ଐତିହ୍ୟ ନରେନ୍ଦ୍ର ପୁଷ୍କରିଣୀ ସମେତ ଇନ୍ଦ୍ରଦ୍ୟୁମ୍ନ, ଶ୍ବେତଗଙ୍ଗା, ମାର୍କଣ୍ଡ ପୁଷ୍କରିଣୀ ଓ ମାର୍କେଟର ଉନ୍ନତୀକରଣ କାର୍ଯ୍ୟରେ ବହୁ ଖଣ୍ଡୋଲାଇଟ ପଥରର ବିନିଯୋଗ ହେଉଛି। ଏଣେ ଯଦିଓ ପୁଷ୍କରିଣୀଗୁଡ଼ିକର ଉନ୍ନତୀକରଣ କାର୍ଯ୍ୟ ୧୮ ମାସ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ରହିଛି, କିନ୍ତୁ ଖଣ୍ଡୋଲାଇଟ ପଥର ଯୋଗାଣ ସମୟ ମୁତାବକ ହୋଇପାରୁନଥିବାରୁ କାରିଗରୀ କାର୍ଯ୍ୟ ଆଗେଇ ପାରୁନାହିଁ। ସମସ୍ତ କାର୍ଯ୍ୟ ଗତ ବର୍ଷ ଜୁନ ମାସରୁ ଆରମ୍ଭ ହୋଇଥିବା ବେଳେ ଇତି ମଧ୍ୟରେ ୧୫ ମାସ ବିତିସାରିଛି। ମାତ୍ର ପ୍ୟାନେଲ୍‌ କାମ କେଉଁଠାରେ ବି ୨୦ ପ୍ରତିଶତ ଶେଷ ହୋଇନାହିଁ। ତେଣୁ ଚଳିତ ବର୍ଷ ନଭେମ୍ବର ସୁଦ୍ଧା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଥିଲେ ହେଁ ଏହା ସମ୍ଭବ ହେବ ନାହିଁ ବୋଲି ଓବିସିସିର ଅଧିକାରୀମାନେ ଇସାରା ଦେଇ ସାରିଲେଣି।

ଶ୍ରୀକ୍ଷେତ୍ରର ୪ଟି ତୀର୍ଥ ପୁଷ୍କରିଣୀର ଉନ୍ନତୀକରଣରେ ୬୪କୋଟି ଟଙ୍କା ଖର୍ଚ୍ଚ ହେଉଛି। ପୁଷ୍କରିଣୀ ଜଳକୁ ବିଶୋଧନ କରିବା ପାଇଁ ପ୍ରାକୃତିକ ଉପାୟ ଆପଣାଯାଉଛି। ତୀର୍ଥ ପୁଷ୍କରିଣୀକୁ ଆକର୍ଷଣୀୟ କରିବା ପାଇଁ ପାଚେରି ଗାତ୍ରରେ ସେଇ ପୁଷ୍କରିଣୀର ଐତିହ୍ୟକୁ ସ୍ଥାନିତ କରାଯାଉଛି। କୁଶଳୀ କାରିଗରମାନଙ୍କ ଦ୍ବାରା ଖଣ୍ଡୋଲାଇଟ୍‌ ପଥରରେ ବିଭିନ୍ନ ଐତିହ୍ୟକୁ ରୂପ ଦେଇ ସ୍ଥାନିତ କରାଯାଉଛି। ଇତିମଧ୍ୟରେ ନରେନ୍ଦ୍ର ପୁଷ୍କରିଣୀର ପାଚେରି ଗାତ୍ରରେ ଦଶାବତାର ସ୍ଥାପିତ ହୋଇସାରିଛି। ମାତ୍ର ପଥର ଅଭାବରୁ ଏହି କାମ ଆଗେଇବାରେ ସମସ୍ୟା ହେଉଛି। ପୁଷ୍କରିଣୀକୁ ଯାଇଥିବା ପାହାଚଗୁଡ଼ିକୁ ମରାମତି କରାଯାଉଛି। ପୁଷ୍କରିଣୀ ଚତୁଃପାର୍ଶ୍ବ ପାହାଚରେ ପାଦଚଲା ରାସ୍ତା ପ୍ରସ୍ତୁତ କରାଯାଉଛି। ପର୍ଯ୍ୟଟକମାନେ ବସିବା ପାଇଁ ବେଞ୍ଚ ସ୍ଥାପନ ହେଉଛି।
କିଛି କାର୍ଯ୍ୟ ସରିଥିଲେ ବି ବହୁ ନିର୍ମାଣ କାମ ବାକି ରହିଛି। ୨୮୨ଟି ପ୍ୟାନେଲର କାରିଗରୀ କାମ ବାକି ଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୧୦ଟି ପ୍ୟାନେଲ କାର୍ଯ୍ୟ ଶେଷ ହୋଇଛି। ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ଚନ୍ଦନ ଯାତ୍ରାର ଥିମ୍‌କୁ ନେଇ ସୁଦୃଶ୍ୟ ତୋରଣ ନିର୍ମିତ ହେବାକୁ ବାକି ରହିଛି। ଏଥିସହ ଚତୁଃପାର୍ଶ୍ବ ଆଲୋକୀକରଣ କରାଯିବ। ୭୦ଟି ଏଲ୍‌ଇଡି ଲାଇଟ୍‌ ସହ ୬ଟି ହାଇମାଷ୍ଟ ଲାଇଟ୍‌ ଲଗାଯିବ। ଭକ୍ତି ସଂଗୀତ ପରିବେଷଣ ଓ ସଚେତନ କରିବା ପାଇଁ ସାଉଣ୍ଡ ବକ୍ସ ଓ କାହାଳୀ ଥିବା ବେଳେ ଆହୁରି ଉନ୍ନତ ଧରଣର ସାଉଣ୍ଡ ବକ୍ସ ଲଗାଯିବ। ନରେନ୍ଦ୍ର ନିକଟରେ ଚୁଟି ପକାଇବା ପାଇଁ ପୂର୍ବରୁ ଏକ ବାରିକ ଚାଳି ରହିଥିବା ବେଳେ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଚାଳି ପ୍ରସ୍ତୁତ ହେବ। କିନ୍ତୁ ସମୟସାପେକ୍ଷ ପ୍ୟାନେଲ କାର୍ଯ୍ୟ ସହ ଏବେ ବି ବହୁ କାମ ଖଣ୍ଡୋଲାଇଟ ପଥର ଅଭାବରୁ ହୋଇପାରୁନାହିଁ। ଏନେଇ ଓବିସିସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀଧର ରାଉତଙ୍କ କହିଛନ୍ତି, ଗୁଣାତ୍ମକ ଖଣ୍ଡୋଲାଇଟ ପଥର ମିଳିବାରେ ବିଳମ୍ବ ଯୋଗୁଁକାମ ବିଳମ୍ବ ହୋଇଛି। ଏହି ପଥର କେବଳ ଖୋର୍ଦ୍ଧା ଜିଲ୍ଲାର ନରଣଗଡ଼ରୁ ଆସୁଛି। ବର୍ତ୍ତମାନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପଥର ଯାଉଥିବାରୁ ନରେନ୍ଦ୍ର ସରୋବର ପାଇଁ ପଥର ଆବଶ୍ୟକ ପଥର ଯୋଗାଣରେ ବିଳମ୍ବ ହେଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe