ବାଲେଶ୍ବର/ଚାନ୍ଦିପୁର : ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍)ରୁ ଆଜି ପୂର୍ବାହ୍ଣ ୧୧ଟା ୫୬ରେ କ୍ଷେପଣାସ୍ତ୍ର ‘ପିନାକର ସଫଳ ପରୀକ୍ଷଣ କରାଯାଇଛି। ‘ପିନାକ’ ହେଉଛି ରକେଟ୍ କ୍ଷେପଣାସ୍ତ୍ରର ଏକ ବିକଶିତ ସଂସ୍କରଣ (ଅପଗ୍ରେଡେଡ୍ ଭର୍ସନ୍)।
ଆଜି ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚରରୁ ଉତ୍କ୍ଷେପଣ ହେବା ପରେ ‘ପିନାକ’ ନିର୍ଦ୍ଧାରିତ ୭୫ କିଲୋମିଟର ଦୂରକୁ ସଫଳତାର ସହ ଲକ୍ଷ୍ୟଭେଦ କରିଥିଲା। ଗୋଟିଏ ସ୍ଥାନରୁ ବିଭିନ୍ନ ଦିଗକୁ ‘ପିନାକ’ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରଖିଛି। ପୁନେସ୍ଥିତ ଆର୍ମଡ୍ ରିସର୍ଚ ଆଣ୍ଡ ଡେଭଲପ୍ମେଣ୍ଟ ଏଷ୍ଟାବ୍ଲିସ୍ମେଣ୍ଟ (ଏଆର୍ଡିଇ), ହାଇଦ୍ରାବାଦସ୍ଥିତ ଡିଫେନ୍ସ ରିସର୍ଚ ଆଣ୍ଡ ଡେଭଲପ୍ମେଣ୍ଟ ଲାବୋରୋଟୋରି (ଡିଆର୍ଡିଏଲ୍), ରିସର୍ଚ ସେଣ୍ଟର ଇମାରତ୍ (ଆରସିଆଇ), ପ୍ରୁଫ୍ ଏକ୍ସପେରିମେଣ୍ଟାଲ୍ ଏଷ୍ଟାବ୍ଲିସ୍ମେଣ୍ଟ(ପିଏକ୍ସଇ), ହାଇଏନର୍ଜି ମାଟେରିଆଲ୍ସ ରିସର୍ଚ ଲାବୋରୋଟୋରି (ଏଚଇଏମ୍ଆରଏଲ) ଦ୍ୱାରା ଏହାକୁ ବିକଶିତ କରାଯାଇଛି। ୧୯୯୯ କାର୍ଗିଲ୍ ଯୁଦ୍ଧ ସମୟରେ ପ୍ରଥମ କରି ‘ପିନାକ’ ରକେଟ୍ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା। ଆଜି ପରୀକ୍ଷଣ ବେଳେ ଟେଲିମେଟ୍ରି, ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ୍ ଟାର୍ଗେଟିଂ ସିଷ୍ଟମ ଦ୍ବାରା ‘ପିନାକ’ର ଗତିପଥ ଓ ଟାର୍ଗେଟ୍କୁ ନିରୀକ୍ଷଣ କରାଯାଇଥିଲା।
Follow Us