ପିଙ୍କ ମତଦାନ କେନ୍ଦ୍ର ମୁଖ୍ୟଙ୍କ ଗୋଡ଼ ଭାଙ୍ଗିଲା

ପିଙ୍କ ମତଦାନ କେନ୍ଦ୍ର ମୁଖ୍ୟଙ୍କ ଗୋଡ଼ ଭାଙ୍ଗିଲା

ଲଖନପୁର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲଖନପୁର ବ୍ଲକ ସଦର ପଞ୍ଚାୟତ ଲଖନପୁର ଗାଁର ୱାର୍ଡ ନଂ ୨, ୩, ୪ ଓ ୫ ବାସୀଙ୍କ ଲାଗି ଏଥର ପ୍ରଥମ ଥର ବ୍ଲକରେ ମାତ୍ର ୪ ଟି ପିଙ୍କ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା। ଏହି ୪ ଟି ମତଦାନ କେନ୍ଦ୍ରରେ କେବଳ ମହିଳା ପ୍ରିଜାଇଡିଂ ଅଫିସର, ପୁଲିଂ ଅଫିସର ଓ ପୁଲିସ କର୍ମୀଙ୍କୁ ମୁତୟନ କରାଯାଇଥିଲା। ସମସ୍ତ ଚାରୋଟି କେନ୍ଦ୍ରରେ ମତଦାନ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଥିଲା। ପରେ ମତଦାନ ବାକ୍ସକୁ ଷ୍ଟ୍ରଙ୍ଗ ରୁମରେ ମତଦାନ ଅଧିକାରୀମାନେ ଜମା ପାଇଁ ବାହାରୁଥିବା ବେଳେ ସେଥିମଧ୍ୟରୁ ୫ ନଂ ୱାର୍ଡ ମତଦାନ କେନ୍ଦ୍ରର ପ୍ରିଜାଇଡିଂ ଅଫିସର ଡ. ସ୍ଵର୍ଣ୍ଣମୟୀ ପୁରୋହିତ କେନ୍ଦ୍ରର ପାହାଚରେ ଖସିଯିବାରୁ ତାଙ୍କ ବାମ ଗୋଡ଼ର ପାଦ ଭାଙ୍ଗି ଯାଇଥିଲା।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ପୁଲିସ କର୍ମଚାରୀ ଥାନା ଗାଡ଼ିରେ ତାଙ୍କୁ ଅପରାହ୍‌ଣ ୪ଟାରେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେହି ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ଡାକ୍ତର ନଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ଡ.ପୁରୋହିତଙ୍କୁ ଚିକିତ୍ସା କରିବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୌଣସି ତତ୍ପରତା ପ୍ରକାଶ କରାଯାଇ ନଥିବା ମଧ୍ୟ ଅଭିଯୋଗ ହୋଇଛି। ତାଙ୍କୁ ଡାକ୍ତରଖାନାକୁ ଆଣିବାର ଅଧଘଣ୍ଟା ପରେ ଜଣେ ଡାକ୍ତର ଆସି ତାଙ୍କ ଗୋଡ଼ର ପ୍ଲାଷ୍ଟର ପରେ ଏଠି ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର କିମ୍ବା ଏକ୍ସରେ ସୁବିଧା ନଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ରେଫର କରିଥିଲେ। ଝାରସୁଗୁଡ଼ା ନେବା ପାଇଁ ୧୦୮ ଆମ୍ବୁଲାନ୍‌ସ ସେବା ମଧ୍ୟ ନ ମିଳିବାରୁ ସ୍ଥାନୀୟ ପୁଲିସ କର୍ମଚାରୀ ଥାନା ଗାଡ଼ିରେ ତାଙ୍କୁ ଝାରସୁଗୁଡ଼ା ନେଇଥିଲେ।

ସୂଚନାଯୋଗ୍ୟ ଡ଼.ପୁରୋହିତ ଝାରସୁଗୁଡ଼ା ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟର ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପିକା ଅଛନ୍ତି। ତାଙ୍କ ପରି ଜଣେ ମହିଳା ନିର୍ବାଚନ ଅଧିକାରୀଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରାଯାଇଥିବା ଅବହେଳା ଯୋଗୁଁ ସ୍ୱାସ୍ଥ୍ୟ କେନ୍ଦ୍ର କର୍ତ୍ତୃପକ୍ଷଙ୍କ ପ୍ରତି ସ୍ଥାନୀୟ ଲୋକଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe