ହାଇକୋର୍ଟରେ ପିପିଲି ଉପନିର୍ବାଚନ ସ୍ଥଗିତ ମାମଲାର ଶୁଣାଣି

ନିଶାନିବାରଣ କେନ୍ଦ୍ରରେ ଅବ୍ୟବସ୍ଥା ପ୍ରସଂଗ: ୯ ପ୍ରଭାବିତ ଜିଲ୍ଲାରେ କି ପଦକ୍ଷେପ ଗ୍ରହଣ କରାଯାଇଛି?

କଟକ : ରାଜ୍ୟରେ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତର ନିର୍ବାଚନ କମିସନ ପିପିଲି ଉପନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ତେବେ, ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ହାଇକୋର୍ଟ ଆଜି ନିର୍ବାଚନ ସ୍ଥଗିତ ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିବାବେଳେ ଆସନ୍ତା ୭ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରାଯାଇଛି।

ବରିଷ୍ଠ ଆଇନଜୀବୀ ସୌର୍ଯ୍ୟକାନ୍ତ ପାଢୀଙ୍କ ଜନସ୍ବାର୍ଥ ଆବେଦନ ଉପରେ ଏହି ଶୁଣାଣି କରାଯାଇଥିଲା। ଶୁଣାଣି ସ‌ମୟରେ ଭାରତର ନିର୍ବାଚନ କମିସନଙ୍କ ପକ୍ଷରୁ ସମୟ ଲୋଡ଼ାଯାଇଥିଲା। ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଜନ ପ୍ରତିନିଧି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଏବେ ପିପିଲି ଉପନିର୍ବାଚନ ସ୍ଥଗିତ ରଖିବାକୁ ଶ୍ରୀ ପାଢୀ ନିର୍ବାଚନ କମିସନଙ୍କ ସମେତ ଅନ୍ୟ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ଲିଖିତ ଭାବେ ଅନୁରୋଧ କରିଥିଲେ।
ବରିଷ୍ଠ ଆଇନଜୀବୀ ଶ୍ରୀ ପାଢୀ ଆବେଦନରେ ଦର୍ଶାଇଥିଲେ ଯେ ପୁଣି କରୋନା ସଂକ୍ରମଣ ସ୍ଥିତି ଗୁରୁତର ରୂପ ଧାରଣ କରିଛି। ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ହେବ ବୋଲି ଧାର୍ଯ୍ୟ କରାଯାଇଥିବାବେଳେ ମତଦାନ ତାରିଖର ଦୁଇ ଦିନ ପୂର୍ବରୁ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିଲା। ନିର୍ବାଚନ ସ୍ଥଗିତ ରହିବା ସହିତ ଉପନିର୍ବାଚନ ପାଇଁ ସାନି ତାରିଖ ଭାବେ ମେ ୧୩କୁ ଘୋଷଣା କରାଯାଇଥିଲା। ଏହାପରେ ଏହି ତାରିଖରେ ପରିବର୍ତ୍ତନ କରାଯାଇ ଉପନିର୍ବାଚନ ପାଇଁ ମତଦାନ ଲାଗି ‌ମେ ୧୬ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏବେ ଦେଖା ଦେଇଥିବା ସ୍ଥିତିରେ ପିପିଲି ଉପନିର୍ବାଚନ କରାଗଲେ କରୋନା ସଂକ୍ରମଣ ସଂପୃକ୍ତ ଅଞ୍ଚଳରେ ଗୁରୁତର ରୂପ ଧାରଣ କରିବା ନିଶ୍ଚିତ। ଏଭଳି ସ୍ଥିତିରେ ପିପିଲି ଉପନିର୍ବାଚନ ଏବେ ଚାରି ମାସ ପାଇଁ ସ୍ଥଗିତ ରଖାଯାଉ ବୋଲି ଦର୍ଶାଇ ଶ୍ରୀ ପାଢୀ ଭାରତର ନିର୍ବାଚନ କମିସନ, ରାଜ୍ୟ ନିର୍ବାଚନ କମିସନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏପ୍ରିଲ ୧୯ରେ ଚିଠି ଲେଖିଥିଲେ। ଏହା ଉପରେ କୌଣସି ନିଷ୍ପତ୍ତି ନିଆନଯିବାରୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଜନପ୍ରତିନିଧି ଆଇନର ଧାରା ୧୫୧-କରେ ଥିବା ବ୍ୟବସ୍ଥା ଅନୁସାରେ ନିର୍ବାଚନ କମିସନ କେନ୍ଦ୍ର ସରକାରଙ୍କ ସହିତ ପରାମର୍ଶ କରି ଉପନିର୍ବାଚନ ସ୍ଥଗିତ ରଖିପାର‌ିବେ। ତେଣୁ ଜନସାଧାରଣଙ୍କ ହିତ ତଥା ଆଇନରେ ଥିବା ବ୍ୟବସ୍ଥାକୁ ବିଚାରକୁ ନିଆଯାଇ ପିପିଲି ଉପନିର୍ବାଚନ ୪ ମାସ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି।

ତେବେ, ଗୋଟିଏପଟେ ହାଇକୋର୍ଟ ମାମଲାର ଶୁଣାଣି କରିଥିବାବେଳେ ଅନ୍ୟପଟେ କମିସନର ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe