Pitavas murder case: ପୀତବାସ ହତ୍ୟା ମାମଲା: ପୁଲିସ ରିମାଣ୍ଡରେ ୬ ଅଭିଯୁକ୍ତ, ହତ୍ୟାର ଡେମୋ ଦେଖାଇଲେ କୁରୁପତି ଓ ଚିଣ୍ଟୁ

ବୁଧବାର ଅପରାହ୍‌ଣରେ ବ୍ରହ୍ମପୁର ବୈକୁଣ୍ଠନଗର ଛକ ଲୋକାରଣ୍ୟ ହୋଇଯାଇଥିଲା। ପୁଲିସ ପୀତବାସ ପଣ୍ଡାଙ୍କ ହତ୍ୟା ଅଭିଯୁକ୍ତ ଚିଣ୍ଟୁ ଓ କୁରୁପତିକୁ ଧରି ହତ୍ୟାସ୍ଥଳରେ ପହଞ୍ଚିଥିଲା। ବୈକୁଣ୍ଠନଗର ପ୍ରଥମ ଗଳି ଯେଉଁଠାରେ ପୀତବାସଙ୍କୁ ଗୁଳିମାଡ଼....

gaddagzc

ବ୍ରହ୍ମପୁର: ବୁଧବାର ଅପରାହ୍‌ଣରେ ବ୍ରହ୍ମପୁର ବୈକୁଣ୍ଠନଗର ଛକ ଲୋକାରଣ୍ୟ ହୋଇଯାଇଥିଲା। ପୁଲିସ ପୀତବାସ ପଣ୍ଡାଙ୍କ ହତ୍ୟା ଅଭିଯୁକ୍ତ ଚିଣ୍ଟୁ ଓ କୁରୁପତିକୁ ଧରି ହତ୍ୟାସ୍ଥଳରେ ପହଞ୍ଚିଥିଲା। ବୈକୁଣ୍ଠନଗର ପ୍ରଥମ ଗଳି ଯେଉଁଠାରେ ପୀତବାସଙ୍କୁ ଗୁଳିମାଡ଼ ହୋଇଥିଲା ସେଠାରେ ଅଭିଯୁକ୍ତମାନେ ଅପରାଧ ବେଳର ସିନ୍‌ ରିକ୍ରି‌ଏସନ୍‌ କରି ଡେମୋ ଦେଖାଇଥିଲେ। ପୀତବାସ ସ୍କୁଟିରେ ଆସିବା ପୂର୍ବରୁ ଚିଣ୍ଟୁ ଓ କୁରୁପତି ଆଗୁଆ ସେଠାରେ ପହଞ୍ଚିଥିଲେ। ପୀତବାସ ଆସିବା କ୍ଷଣି କୁରୁପତି ବାଇକ୍‌ରୁ ଓହ୍ଲାଇ ତାଙ୍କୁ ‘ପଣ୍ଡା ବାବୁ ନମସ୍କାର’ ବୋଲି କହିଥିଲା। ପୀତବାସ ‘କିଏ’ ବୋଲି ପଚାରିବା କ୍ଷଣି କୁରୁପତି ଗୁଳି ଚଳାଇଥିଲା। ଗୁଳିଟି ପୀତବାସଙ୍କ ଛାତିରେ ବାଜିବା ମାତ୍ରେ ସେ ସ୍କୁଟି ସହ ତଳେ ପଡ଼ି ଯାଇଥିଲେ। ତଥାପି ଜୀବନ ବଞ୍ଚାଇବାକୁ ସେ କିଛି ପାଦ ଦୌଡ଼ିଥିଲେ ବି ଯାଇ ପାରିନଥିଲେ। ସେଠାରେ ପଡ଼ି ନିସ୍ତେଜ ହୋଇ ଯାଇଥିଲେ।

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ୬ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନେଇଛି। ଗତକାଲି ଗିରଫ ହୋଇଥିବା ସୁପାରି କିଲର୍‌ ଓ ଟଙ୍କା ଯୋଗାଡ଼କାରୀ ଉମା ବିଷୋୟୀ ଏବଂ ସୁଟର୍‌ କୁରୁପତି ଭୂୟାଁଙ୍କୁ ରାତାରାତି ପୁଲିସ ରିମାଣ୍ଡରେ ନେଇଥିଲା। ଆଜି ସକାଳେ ଆଉ ଚାରି ଜଣଙ୍କୁ ରିମାଣ୍ଡରେ ନିଆଯାଇଛି। ସେମାନେ ହେଲେ ସୁଟର୍‌ କୁରୁପତିକୁ ପଛରେ ବସାଇ ବାଇକ୍‌ ଚଳାଉଥିବା ଚିଣ୍ଟୁ ପ୍ରଧାନ, ସୁଟର୍‌ ଯୋଗାଡ଼ କରିଥିବା ଯୋଗୀ ରାଉତ, ସୁପାରି ଟଙ୍କା ଦେଇଥିବା ମଦନ ଦଳେଇ ଓ କର୍ପୋରେଟର୍‌ ମଳୟ ବିଷୋୟୀ। ତେବେ ୨ଦିନିଆ ରିମାଣ୍ଡ ଅବଧି ପୂର୍ବରୁ ଜେଲକୁ ଫେରିଛନ୍ତି ମଦନ ଦଳେଇ ଓ ମଳୟ ବିଷୋୟୀ। ଅନ୍ୟପଟେ ଆଜି ପୀତବାସଙ୍କ ଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଗଣମାଧ୍ୟମ ଆଗରେ ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି। ଗତ ସପ୍ତାହେ ତଳେ ପୀତବାସଙ୍କ ପୁଅକୁ ଅଜ୍ଞାତ ବ୍ୟକ୍ତି ଫୋନ୍‌ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରିଦେବାକୁ ଧମକ ଦେଇଥିଲେ। ଏହାପରଠାରୁ ପରିବାର ଲୋକେ ଭୟଭୀତ ଅବସ୍ଥା‌ରେ ରହିଛନ୍ତି। ଏ ସଂକ୍ରାନ୍ତରେ ବୈଦ୍ୟନାଥପୁର ଥାନା ଆଇଆଇସି ଓ ଏସ୍‌ଡିପିଓଙ୍କୁ ଲିଖିତ ଭାବେ ଜଣାଇଛୁ ବୋଲି ପୂର୍ଣ୍ଣଚନ୍ଦ୍ର କହିଛନ୍ତି।

ହତ୍ୟାର ଡେମୋ ଦେଖାଇଲେ କୁରୁପତି ଓ ଚିଣ୍ଟୁ 
ଗୁଳି ପରେ ବି ପୀତବାସ କିଛି ପାହୁଣ୍ଡ ଦୌଡ଼ିଥିଲେ
ପୀତବାସଙ୍କ ପରିବାରକୁ ଧମକପୂର୍ଣ୍ଣ ଫୋନ୍‌

ଗୁଳିମାଡ଼ ପରେ ଚିଣ୍ଟୁ ଓ କୁରୁପତି ବାଇକ୍‌ରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଚିଣ୍ଟୁ ବାଇକ୍‌ ଚଳାଇଥିଲା ଓ କୁରୁପତି ପଛ ସିଟ୍‌ରେ ବସିଥିଲା। ସେମାନେ ସେଠାରୁ ମାଉସୀ ମା’ ମନ୍ଦିର ରାସ୍ତାରେ ଲୋଚାପଡ଼ା ଦେଇ ଶୀତଳାପଲ୍ଲୀରେ ପହଞ୍ଚିଥିଲେ। ସେଠାରେ ହତ୍ୟାକାଣ୍ଡ ବେଳେ ପିନ୍ଧିଥିବା ପୋଷାକ ବଦଳାଇଥିଲେ। ହେଲମେଟ୍‌କୁ ଫିଙ୍ଗି ଦେଇ ପିସ୍ତଲକୁ ବାଲିରେ ପୋତି ଦେଇଥିଲେ। ଯାହା ତଦନ୍ତ ସମୟରେ ପୁଲିସ ଜବତ କରିସାରିଛି। ଶୀତଳାପଲ୍ଲୀରେ ପ୍ରମାଣ ନଷ୍ଟ କରି ଉଭୟ ବାଇକ୍‌ରେ ଜାତୀୟ ରାଜପଥକୁ ଉଠିଥିଲେ। ଚାନ୍ଦପୁର ଛକରେ ଏକ ଚା’ ଦୋକାନ ନିକଟରେ ବାଇକ୍‌ ରଖି ସେମାନେ ବସ୍‌ ଯୋଗେ ଭୁବନେଶ୍ବର ଓ ସେଠାରୁ ପୁରୀ ପଳାଇଥିଲେ। ପୁରୀରୁ ଚିଣ୍ଟୁ ଟ୍ରେନ୍‌ ଯୋଗେ ବେଙ୍ଗାଲୁରୁ ଓ କୁରୁପତି ଜୟପୁର ପଳାଇଥିଲା। ସେହିପରି ଅନ୍ୟ ୪ ଅଭିଯୁକ୍ତଙ୍କୁ ଝାଳବୁହା ଜେରା କରାଯାଉଛି। ଏସ୍‌ପି ଡ. ଶରବଣା ବିବେକ ଏମ୍‌ଙ୍କ ନେତୃତ୍ବରେ ତଦନ୍ତକାରୀ ଅଧିକାରୀ ଏସ୍‌ଡିପିଓ ପ୍ରିୟସ ରଂଜନ ଛୋଟରାୟ ଓ ଟିମ୍‌ ଅଭିଯୁକ୍ତମାନଙ୍କୁ ମୁହାଁମୁହିଁ ଜେରା କରୁଛନ୍ତି। ହତ୍ୟାକାଣ୍ଡ ପାଇଁ କେବେଠାରୁ ଷଡ୍‌ଯନ୍ତ୍ର ଆରମ୍ଭ ହୋଇଥିଲା? ମଦନ ଓ ମଳୟ କାହିଁକି ଟଙ୍କା ଖର୍ଚ୍ଚ କରୁଥିଲେ? ଉମା ନେବାକୁ ଥିବା ୫୦ ଲକ୍ଷ କିଏ ଦେଇଥାନ୍ତା? ଏଭଳି ବହୁ ପ୍ରଶ୍ନର ଉତ୍ତର ଖୋଜା ଚାଲିଛି। ଯାହା ରିମାଣ୍ଡ ସମୟରେ ପୁଲିସ ଉଗାଳିବାକୁ ଚେଷ୍ଟା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe