୨୦୦କୋଟି ଡଲାର ଏଫ୍‌ଡିଆଇ ଆଣିବାକୁ ଯୋଜନା

ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଆସନ୍ତା ୫ବର୍ଷରେ ‘ଉତ୍କର୍ଷ ଓଡ଼ିଶା’ ପୁଞ୍ଜିବିନିଯୋଗ ସମ୍ମିଳନୀ ମାଧ୍ୟମରେ୨୦୦କୋଟି ଡଲାରରୁ ଅଧିକ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆଣିବାକୁ ଯୋଜନା କରିଛନ୍ତି।

fdi

ଭୁବନେଶ୍ବର: ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଆସନ୍ତା ୫ବର୍ଷରେ ‘ଉତ୍କର୍ଷ ଓଡ଼ିଶା’ ପୁଞ୍ଜିବିନିଯୋଗ ସମ୍ମିଳନୀ ମାଧ୍ୟମରେ୨୦୦କୋଟି ଡଲାରରୁ ଅଧିକ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆଣିବାକୁ ଯୋଜନା କରିଛନ୍ତି। ଏହାସହ  ୨.୫ଲକ୍ଷ କୋଟି ଟଙ୍କାରୁ ଅଧିକ ଘରୋଇ ପୁଞ୍ଜିନି‌େବଶ ଆଣିବାକୁ ଯୋଜନା ହୋଇଛି ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ସୂଚନା ଦେଇଛନ୍ତି।

ଆଜି ଶିଳ୍ପ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ପରେ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି, ଅଧିକରୁ ଅଧିକ ଶିଳ୍ପ ସଂସ୍ଥା ଯେପରି ଓଡ଼ିଶାକୁ ଆସିବେ ସେଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଯିବ। ଏଥିପାଇଁ ଇପିକଲ୍‌ ମାଧ୍ୟମରେ ୧୨୦କୋଟି ଖର୍ଚ୍ଚ କରାଯିବ। ପୂର୍ବ ସରକାର ସମୟରେ ବହୁ ପ୍ରକଳ୍ପକୁ ଅନୁମୋଦନ ମିଳିଥିଲେ ହେଁ ସେଥିରୁ ବହୁ ପ୍ରକଳ୍ପର ଶିଳାନ୍ୟାସ ହୋଇନି, ଶିଳାନ୍ୟାସ ହୋଇଥିବା ପ୍ରକଳ୍ପର କାମ ଆରମ୍ଭ ହୋଇନି। ତେଣୁ ଆମର ପ୍ରମୁଖ ଲକ୍ଷ୍ୟ ହେଉଛି ସିଙ୍ଗଲ ୱିଣ୍ଡୋ କମିଟି ଦ୍ବାରା ଅନୁମୋଦିତ ହୋଇଥିବା ପ୍ରକଳ୍ପର ଶୀଘ୍ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନକୁ ନିଶ୍ଚିତ କରିବା। ଶିଳ୍ପ ସଂସ୍ଥାକୁ ଯେପରି ସହଜରେ ଜମି ଯୋଗାଇ ଦିଆଯିବ ସେଥିପାଇଁ ଲ୍ୟାଣ୍ଡ ବ୍ୟାଙ୍କରେ ୧୦ଲକ୍ଷ ଏକର ଜମି ରଖାଯାଇଛି। କନେକ୍ଟ ଓଡ଼ିଶା ସ୍କିମ୍ ଦ୍ବାରା ୧୦କୋଟି ଟଙ୍କା ବ୍ୟୟରେ ୮ଟି ସ୍ଥାନରେ ‘ମଲ୍ଟିମୋଡାଲ୍ ଲଜିଷ୍ଟିକ୍ ପାର୍କ’ ନିର୍ମାଣ କରାଯିବ। ଅଟୋମୋବାଇଲ୍, ବିଦ୍ୟୁତଚାଳିତ ଯାନ, ସେମିକଣ୍ଡକ୍ଟର ଏବଂ ଆଇଟି ଉପରେ ବିଶେଷ ଧ୍ୟାନ ଦେଇ  ‘ରାଜ୍ୟ ରାଜଧାନୀ ଅଞ୍ଚଳରେ ଏଫ୍‌ଡିଆଇ ପାର୍କ’ ଯୋଜନା ଆରମ୍ଭ କରାଯିବ। ଶ୍ରମିକମାନଙ୍କୁ ଘର ଯୋଗାଇବା ପାଇଁ ‘ଶିଳ୍ପାଞ୍ଚଳରେ ଦିନଦୟାଲ କର୍ମଚାରୀ ନିବାସ’ ଯୋଜନା ଆରମ୍ଭ ହେବ। କଳିଙ୍ଗ ଷ୍ଟୁଡିଓର ପୁନଃଉନ୍ନତିକରଣ ପାଇଁ ୨୦କୋଟି ଦିଆଯାଇଛି। ସେହିପରି ନୂତନ କରି ଗଢ଼ାଯାଉଥିବା ଶିଳ୍ପାଞ୍ଚଳ ଏବଂ ଶିଳ୍ପ ପାର୍କଗୁଡ଼ିକରେ ଆଇଆଇଡିଏଫ୍‌ ଯୋଜନା ଅଧୀନରେ ସଡ଼କ, ଜଳ ଯୋଗାଣ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଭଳି ଭିତ୍ତିଭୂମିର ବିକାଶ ପାଇଁ ୬୦କୋଟି ଖର୍ଚ୍ଚ ହେବ। 

ଏହାସହ ମନ୍ତ୍ରୀ କହିଛନ୍ତି ଯେ ଚଳିତବର୍ଷର ବଜେଟ୍ ପୂର୍ବ ବର୍ଷ ତୁଳନାରେ ୧୮କୋଟି ଅଧିକ ଅଛି। ଯେପରି ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ ସେନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାବିଦ୍ୟାଳୟ ସ୍ତରରେ ଦକ୍ଷତା କେନ୍ଦ୍ର ଖୋଲାଯିବ। ବିଭିନ୍ନ ଶିଳ୍ପାନୁଷ୍ଠାନର ଚାହିଦା ଅନୁଯାୟୀ ଏଠାରେ ଛାତ୍ରଛାତ୍ରୀଙ୍କୁ ତାଲିମ୍ ଦିଆଯିବ। ପୂର୍ବୋଦୟ ଆର୍ଥିକ ଅଭିବୃଦ୍ଧିର ଦାୟିତ୍ବ ଓଡ଼ିଶା ନେବ। ପୂର୍ବ ସରକାର ବିଭିନ୍ନ ସୂତାକଳକୁ ବନ୍ଦ କରିଦେଲେ। ହେଲେ ଜାଣିପାରିଲେନି ଯେ ଗଞ୍ଜାମରୁ ସବୁଠୁ ଅଧିକ ଲୋକ ସୁରତର ସୂତାକଳରେ କାମ କରୁଛନ୍ତି। ଗଞ୍ଜାମରେ ସୂତା କଳ କଲେ ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଯିବେନି। ଆମେ ଏନେଇ ଚିନ୍ତା କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe