ରାଉରକେଲା: ଭୁବନେଶ୍ବରରୁ ରାଉରକେଲା ଆସୁଥିବା ଏକ ଯାତ୍ରୀବାହୀ ବିମାନ ଶନିବାର ହଠାତ୍ ନିୟନ୍ତ୍ରଣ ହରାଇ ରାଉରକେଲା ସହର ଉପକଣ୍ଠ ଲାଠିକଟା ବ୍ଲକ୍ ହାତୀବନ୍ଧା ପଞ୍ଚାୟତର କଂସର ଗାଁ ନିକଟ ବିଲରେ ଖସିପଡ଼ିଥିଲା। ଫଳରେ ବିମାନରେ ଥିବା ୨ ପାଇଲଟ୍ ନବୀନ କାଡ଼ାଙ୍ଗା, ତରୁଣ ଶ୍ରୀବାସ୍ତବଙ୍କ ସମେତ ୪ ଯାତ୍ରୀ ସୁଶାନ୍ତ ବିଶ୍ବାଳ, ଅନୀତା ସାହୁ, ସୁନୀଲ ଅଗ୍ରୱାଲ ଓ ସବିତା ଅଗ୍ରୱାଲ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ରାଉରକେଲା ଜୟପ୍ରକାଶ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଈଶ୍ବରଙ୍କ କୃପାରୁ ଏକ ବଡ଼ଧରଣର ଅଘଟଣ ଟଳି ଯାଇଥିବାବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ (ଡିଜିସିଏ) ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ଆଲିଆନ୍ସ ଏୟାର୍ ବିମାନ ଚଳାଚଳ ବନ୍ଦ ହେବା ପରେ ଗତ ଡିସେମ୍ବର ୪ ତାରିଖରୁ ‘ଇଣ୍ଡିଆ ୱାନ୍ ଏୟାର୍’ର ୯ ସିଟ୍ ବିଶିଷ୍ଟ ବିମାନ ଭୁବନେଶ୍ବର-ରାଉରକେଲା ରୁଟ୍ରେ ସେବା ଯୋଗାଉଛି। ଶନିବାର ବିମାନ ସାମାନ୍ୟ ବିଳମ୍ବରେ ପୂର୍ବାହ୍ନ ପ୍ରାୟ ୧୨.୨୫ରେ ଭୁବନେଶ୍ବରରୁ ରାଉରକେଲା ଅଭିମୁଖେ ଉଡ଼ାଣ ଭରିଥିଲା। ରାଉରକେଲା ବିମାନବନ୍ଦରଠାରୁ ମାତ୍ର ୮ ନଟିକାଲ୍ ମାଇଲ୍ (ପ୍ରାୟ ୧୫ କିଲୋମିଟର) ପୂର୍ବରୁ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ବିମାନଟି ଭାରସାମ୍ୟ ହରାଉଥିବା ଜାଣି ଦିନ ପ୍ରାୟ ୧.୧୪ ମିନିଟ୍ରେ ପାଇଲଟ୍ ଜରୁରୀକାଳୀନ ମେ-ଡେ କଲ୍ କରିବା ସହ ତୁରନ୍ତ ରାଉରକେଲା ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି)କୁ ସୂଚନା ଦେଇଥିଲେ। ଏଥିସହ କଂସର ନିକଟରେ ଏକ ବିଲରେ ଆପାତକାଳୀନ ଅବତରଣ କରିବାକୁ ଚେଷ୍ଟା କରିଥିଲେ। ତେବେ ବିମାନଟି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ହରାଇ ତଳକୁ ଖସିବାକୁ ଆରମ୍ଭ କରିଥିଲା ଏବଂ ଗୋଟିଏ ଗଛ ଓ ବିଦ୍ୟୁତ୍ ତାର ସହ ଧକ୍କା ହୋଇ ତଳକୁ ଖସିପଡ଼ିଥିଲା।
ନିୟନ୍ତ୍ରଣ ହରାଇବା ପରେ ମେ-ଡେ କଲ୍ କରିଥିଲେ ପାଇଲଟ୍
ତଦନ୍ତ ପାଇଁ ପହଞ୍ଚିଲେ ବିଶେଷଜ୍ଞ ଦଳ
ବିମାନର ସମ୍ମୁଖଭାଗ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଆକାଶରୁ ବିରାଟ ଶଦ୍ଦ କରି ବିମାନଟି ଖସିପଡ଼ିବା ପରେ ସ୍ଥାନୀୟ ଲୋକେ ଧାଇଁଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ୬ ଜଣଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଓ ସେଠାରୁ ଜୟପ୍ରକାଶ ହସ୍ପିଟାଲକୁ ନେଇଥିଲେ। ଘଟଣାସ୍ଥଳରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ଡିଆଇଜି ବ୍ରିଜେଶ ରାୟ, ଏସ୍ପି ନୀତେଶ ୱାଧ୍ୱାନୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଉପବାଚସ୍ପତି ଭବାନୀଶଙ୍କର ଭୋଇ ମଧ୍ୟ ହସ୍ପିଟାଲରେ ଆହତମାନଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।
ଏହି ଘଟଣାକୁ ସରକାର ଗୁରୁତ୍ବର ସହ ନେଇଛନ୍ତି। ଦୁର୍ଘଟଣା ବିଷୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ (ଡିଜିସିଏ) ମହାନିର୍ଦ୍ଦେଶକଙ୍କ ସମେତ ସମସ୍ତଙ୍କୁ ଅବଗତ କରାଯାଇଛି। ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରିବା ସହ ଆହତ ଯାତ୍ରୀ ଓ ପାଇଲଟ୍ଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଡିଜିସିଏ ନିର୍ଦ୍ଦେଶାଳୟରେ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଛି। ଦୁର୍ଘଟଣାର ତଦନ୍ତ ପାଇଁ ଡିଜିସିଏ ଟିମ୍, ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଟିମ୍ ସହ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ୨ ଜଣ ଅଧିକାରୀ ମଧ୍ୟ ରାଉରକେଲା ଆସିଛନ୍ତି।
Follow Us