ଭିଜିଲାନ୍ସ ପଞ୍ଝାରେ ଯୋଜନା ଓ ସଂଯୋଜନ ବିଭାଗ ଅନୁସଚିବ

ଦୁର୍ନୀତି ପାଖେ ପହଞ୍ଚିପାରୁନି କି ଭିଜିଲାନ୍ସ? ମାତ୍ର ୩୧୦ ଅଭିଯୋଗ ପାଇଛି ଭିଜିଲାନ୍ସ

Ommcom News

କମ୍ପ୍ୟୁଟର ବିଲ୍‌ ପାସ୍‌ କରାଇଦେବା ପାଇଁ ୩୦ ହଜାର ଲାଞ୍ଚ ନେଉଥିଲେ
ଏକାସାଙ୍ଗ‌େର ୪ ସ୍ଥାନରେ ଚଢ଼ଉ

ଭୁବନେଶ୍ବର : ଲୋକସେବା ଭବନରେ କାର୍ଯ୍ୟରତ ଯୋଜନା ଓ ସଂଯୋଜନ ବିଭାଗର ଅନୁସଚିବ ପୂର୍ଣ୍ଣଚନ୍ଦ୍ର ସାହୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। କମ୍ପ୍ୟୁଟର୍‌ ବିଲ୍‌ ପାସ୍‌ କରାଇଦେବା ପାଇଁ ଏକ ସଂସ୍ଥା ନିକଟରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଛି। ଏନେଇ ନମ୍ବର ୧୩ରେ ଏକ ମାମଲା ରୁଜୁ କରି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଆସନ୍ତାକାଲି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।

ସୂଚନା ମୁତାବକ, କମ୍ପ୍ୟୁଟର୍‌ କିଣା ବିଲ୍‌ ପାସ୍‌ କରିବା ପାଇଁ ପୂର୍ଣ୍ଣଚନ୍ଦ୍ର ଉକ୍ତ ସଂସ୍ଥାର ମାଲିକଙ୍କୁ ୬୫ ହଜାର ଟଙ୍କା ଲାଞ୍ଚ ମାଗିଥି‌ଲେ। କମ୍ପ୍ୟୁଟର୍‌ ପିଛା ୩ ହଜାର ହିସାବରେ ପ୍ରଥମ ପର୍ଯ୍ୟାୟରେ ୩୦ ହଜାର ଟଙ୍କା ମାଗିଥିଲେ। ଟଙ୍କା ଦେଲେ ଆହୁରି ୫୫ଟି ୟୁପିଏସ୍‌ କିଣିବା ପାଇଁ ଅର୍ଡର୍‌ ଦେବେ ବୋଲି କହିଥିଲେ। ତେବେ ୟୁପିଏସ୍‌ ପାଇଁ ମଧ୍ୟ ସାଢ଼େ ୨୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ନଚେତ୍‌ ଅଡର୍ର ବାତିଲ୍‌ କରି ଦିଆଯିବ ବୋଲି ଚେତାବନୀ ଦେଇଥିଲେ। ସଂସ୍ଥା ମାଲିକ ଏ ସଂପର୍କରେ ଭିଜିଲାନ୍ସରେ ଅଭିଯୋଗ କରିବାରୁ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା।

ପୂର୍ବ ଯୋଜନା ଅନୁଯାୟୀ, ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍‌ ପୂର୍ଣ୍ଣଚନ୍ଦ୍ରଙ୍କ ସରକାରୀ ବାସଭବନରେ ଡେରା ପକାଇଥିଲା। ସେତିକିବେଳେ ସଂସ୍ଥା ମାଲିକ ତାଙ୍କ ଘରେ ପହଞ୍ଚି ରସାୟନିକ ବୋଳା ୩୦ ହଜାର ଟଙ୍କା ପୂର୍ଣ୍ଣଚନ୍ଦ୍ରଙ୍କୁ ଧରାଇ ଦେଇଥିଲେ। ପୂର୍ଣ୍ଣଚନ୍ଦ୍ର ଟଙ୍କା ଧରିବା ପରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ମାଡ଼ି ବସିବା ସହ ଟଙ୍କା ଜବତ କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ଭିଜିଲାନ୍ସ ପକ୍ଷରୁ ଏକସମୟରେ ପୂର୍ଣ୍ଣଚନ୍ଦ୍ରଙ୍କ ସରକାରୀ ବାସଭବନ ସହ ଭରତପୁରସ୍ଥିତ ଦୁର୍ଗାମାଧବନଗରରେ ଥିବା ଘର, ନୟାଗଡ଼ ଓଡ଼ଗାଁସ୍ଥିତ ପୈତୃକ ଘର ଓ ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟ ଆଦି ୪ଟି ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉରେ ଭିଜିଲାନ୍ସ ହାତରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଲାଗିଛି। ଏନେଇ ତଦନ୍ତ ଜାରି ରହିଛି। ରିପୋର୍ଟ ଲେଖା ହେବା ବେଳକୁ ପୂର୍ଣ୍ଣଚନ୍ଦ୍ରଙ୍କ ସଂପତ୍ତି ସଂପର୍କରେ ଭିଜିଲାନ୍ସ ପକ୍ଷରୁ କୌଣସି ତଥ୍ୟ ଦିଆଯାଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe